ଧାନ ମଣ୍ଡିରେ ମନମାନି କରୁଛି ମିଲର୍, କୁଇଣ୍ଟାଲ ପିଛା ୧୦କିଲୋ ଗ୍ରାମର ହେଉଛି କଟନି ଛଟନି

ଚଳିତ ବର୍ଷ ଚାଷୀ ଖରିଫ ଧାନକୁ ମଣ୍ଡିରେ ଦେଇ ସରକାରଙ୍କ ନୂତନ ବୋନସ ପାଇବା ପାଇଁ ଆଶା ରଖିଛି । କିନ୍ତୁ ମଣ୍ଡିରେ ମିଲରର ମନମାନି ଓ କଟନି ଛଟନି ପାଇଁ ଆଜି କ୍ଷତି ସହୁଛି ଚାଷୀ । ଧାନ ର ମାନ ଠିକ ନ ଥିବା କହି କୁଇଣ୍ଟାଲ ପିଛା କେଉଁଠି ଆଠ କିଲୋ ତ କେଉଁଠି ଦଶ କିଲୋ ଧାନ କାଟୁଛି । ପ୍ରଦିବାଦ କଲେ ଚାଷୀର ଧାନକୁ ଫେରାଇ ଦେଉଛି ମିଲର୍ ।
ଚଳିତ ବର୍ଷ ରାଜ୍ୟ ସରକାର ଧାନ କୁଇଣ୍ଟାଲ ପିଛା ୨୩ ଶହ ଟଙ୍କା ସହିତ ବୋନସ ୮ଶହ ଟଙ୍କା ରଖିଛନ୍ତି । ଏନେଇ ଚାଷୀ ଖୁସି କହିଲେ ନସରେ । କିନ୍ତୁ ଚାଷୀ ଆଠ ଶହ ଟଙ୍କା ବୋନସ ପାଉଛି ବୋଲି କୁଇଣ୍ଟାଲ ପିଛା ଆଠରୁ ଦଶ କିଲୋଗ୍ରାମ ଧାନ କଟନି ଛଟନି କରୁଛି ମିଲର । କଟନି ଛଟନିକୁ ପ୍ରତିବାଦ କଲେ ମିଲର ଚାଷୀର ଧାନ ଫେରାଇ ଦେଉଥିବାର ଅଭିଯୋଗ କରିଛନ୍ତି ଚାଷୀ । ଧାନର ମାନ ପରୀକ୍ଷା କରିବା ପାଇଁ ଯୋଗାଣ ବିଭାଗ ପକ୍ଷରୁ ଆନାଲାଇଜର ମେସିନ ଲକ୍ଷାଧିକ ଟଙ୍କାରେ କିଣା ହୋଇ ବାଙ୍କୀ ନିୟନ୍ତ୍ରିତ ବଜାର କମିଟି ଗୃହ ମଧ୍ୟରେ ରଖା ଯାଇଛି । ହେଲେ ଦିନେ ହେଲେ ଧାନର ମାନ ନିର୍ଦ୍ଧାରଣ କରା ଯାଉନଥିବା ନେଇ ଅଭିଯୋଗ କରିଛନ୍ତି ବହୁ ଚାଷୀ ।
ଚଳିତ ବର୍ଷ ବାଙ୍କୀ ଉପଖଣ୍ଡରେ ୫୦ ଗୋଟି ମଣ୍ଡିରେ ଖରିଫ୍ ଧାନ ସଂଗ୍ରହ କରାଯାଇଛି । ମୋଟ ୫ ହଜାର ୭ ଶହ ଚାରି ଜଣ ଚାଷୀଙ୍କ ଠାରୁ ଶେଷ ପର୍ଯ୍ୟାୟ ସୁଦ୍ଧା ୧ ଲକ୍ଷ ୫୬ ହଜାର ୩ ଶହ ୯୬ କୁଇଣ୍ଟାଲ ଧାନ ସଂଗ୍ରହ କରାଯାଇଛି । ଅନେକ ମଣ୍ଡିରେ ମିଲରର ମନମାନି ଯୋଗୁଁ ଚାଷୀ ଧାନ ଦେଇ ପାରିନାହାଁନ୍ତି । ଗତ ମାସରେ ମିଲର୍ କଟନି ଛଟନିର ଅଭିଯୋଗ ହେବା ପରେ ଜିଲ୍ଲାପାଳ ଖାଦ୍ୟ ଯୋଗାଣ ବିଭାଗର ଏକ ତିନି ଜଣିଆ ଟିମ୍ କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
କଟନି ଛଟନିକୁ ନେଇ ମିଲର୍ ପକ୍ଷରୁ କୌଣସି କର୍ମଚାରୀ କିମ୍ବା କତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ମିଲର୍ ମନମାନି ଘଟଣାରେ କଟକ ଜିଲ୍ଲାପାଳ ତଦନ୍ତ କରି ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
Also Read: ଧାନର F.A.Q ମାନର ନିର୍ଦ୍ଧାରଣ ନେଇ ଚାଷୀ ମିଲର୍ ହେଲେ ମୁହାମୁହିଁ, ମଣ୍ଡିରୁ ଉଠି ପାରିଲା ନାହିଁ ଧାନ