ଆନନ୍ଦପୁର : ଆନନ୍ଦପୁର ଅଞ୍ଚଳରେ ଆରମ୍ଭ ହୋଇଛି ଝିପ ଝିପ୍ ବର୍ଷା । ବର୍ଷାକୁ ଦେଖିବା ପରେ ଏକ ମୁହାଁ ହୋଇ ପ୍ରାଣ ବିକଳେ ବର୍ଷଯାକ ପରିଶ୍ରମ କରି ଅର୍ଜିତ ଫସଲକୁ ଘରକୁ ନେବାକୁ ବ୍ୟସ୍ତ ଚାଷୀ । ବର୍ତ୍ତମାନ ସମୟରେ ଧାନ ଅମଳ ସମୟ ଚାଲି ଥିବାରୁ ଅଦିନିଆ ମେଘ ଓ ମେଘାଚ୍ଛନ୍ନ ଆକାଶ ସମସ୍ତ ଚାଷୀକୁଳ କୁ ବ୍ୟତିବ୍ୟସ୍ତ କରିଛି । ତେବେ ଆଜି ସକାଳର ମେଘୁଆ ପାଗ ଓ ଝିପ୍ ଝିପ୍ ବର୍ଷା ଚାଷୀଙ୍କ ଦୁଃଖକୁ ଦ୍ଵିଗୁଣିତ କରି ଦେଇଛି ।
ଚାଷ ଜମିରେ ପଡ଼ି ରହିଥିବା ଧାନ କୁ ଉଠାଇବାକୁ ଲାଗି ପଡିଛନ୍ତି ଚାଷୀ ଓ ତାଙ୍କ ପରିବାର । ତରବରିଆ ଭାବେ ଧାନ ବାନ୍ଧି ବୋହିବା ସହିତ ଧାନବସ୍ତାକୁ ସାଇତି ରଖିବାରେ ଲାଗିଛନ୍ତି ସମସ୍ତେ । ଗୋଟିଏ ପଟେ ଚାଷ ଜମିରେ ପଡ଼ିଥିବା ଧାନକୁ ନେଇ ଚାଷୀକୁଳ ଚିନ୍ତାରେ ଥିବା ବେଳେ ଅନ୍ୟପଟେ ଏଯାବତ୍ କେନ୍ଦୁଝର ଜିଲ୍ଲାରେ ମଣ୍ଡି ଖୋଲିବାର ନାଁ ଧରୁନି । ଅମଳ ହୋଇଥିବା ଧାନ କୁ ଧରି ଚାଷୀ ବିକ୍ରୀ ଚିନ୍ତାରେ ବସିଛି ।