ଆଉ ଶୁଭୁନି ସେହି କୋଳାହଳର ସ୍ୱର, ଦିବଂଗତ ମହାରଥୀଙ୍କୁ ଝୁରୁଛି ହୁଙ୍କେଇପୁର ଫାର୍ମହାଉସ

ପ୍ରଦୀପ ମହାରଥୀ । ଖାଲି ଯେ ପିପିଲି ନିର୍ବାଚନ ମଣ୍ଡଳୀ ତହା ନୁହେଁ ସମଗ୍ର ଓଡ଼ିଶା ବାସୀଙ୍କ ପାଇଁ ସେ ଜଣେ ପରିଚିତ ବ୍ଯକ୍ତିତ୍ୱ ଥିଲେ । ମନୁଷ୍ଯ ସହିତ ଜୀବ ଜଗତ ପାଇଁ ମଧ୍ୟ ସେ ଥିଲେ ଏକ ଦରଦୀ ମଣିଷ । ସେଥିପାଇଁ ତ ସେ ତାଙ୍କ ହୁଙ୍କେଇପୁର ଫାର୍ମ ହାଉସରେ ପାଳିଛନ୍ତି ଅନେକ ଜୀବଜନ୍ତୁ । ସମସ୍ତଙ୍କ ପାଇଁ ସେ ଥିଲେ ଅତି ନିଜର ଅତି ଆପଣାର । ଜଣେ ଦରଦୀ ମଣିଷ । ବିଧାନ ସଭାରେ ବିରୋଧୀଙ୍କ ଶାଣିତ ଆର୍କମଣ ହେଉ ଅଥବା ନିଜ ନିର୍ବାଚନ ମଣ୍ଡଳୀରେ ଲୋକମାନଙ୍କ ସମସ୍ଯା । ସବୁକିଛିକୁ ଦୂରେଇ ଦେଇ ସେ ଚାଲି ଆସିଥାନ୍ତି ତାଙ୍କ ହିରା ମୋତି ମାଣିକଙ୍କ ପାଖକୁ । ଆଜି ତାଙ୍କୁ ଖୋଜୁଛି ତାଙ୍କ ହାତରେ ତିଆରି ହୋଇଥିବା ହୁଙ୍କେଇପୁର ଫାର୍ମହାଉସ । ଆଉ ଝୁରୁଛନ୍ତି ହୀରା ମୋତି ମାଣିକ । ଆସନ୍ତୁ ଦେଖିବା କିଭଳି ରହିଛି ସେଠାକାର ପରିସ୍ଥିତି ।
କିଏ ମଣିଷ, କିଏ ପଶୁ ସମସ୍ତେ ଏଠି ସମସ୍ତେ ପାଲଟି ଯାଇଛନ୍ତି ନିସ୍ତବ୍ଦ । ଆଉ ଶୁଭୁନି ସେହି କୋଳାହଳର ସ୍ୱର । ଗଛଲତା ଜୀବଜନ୍ତୁଙ୍କ ଠାରୁ ଆରମ୍ଭ କରି ସମସ୍ତେ ଏଠି କାନ୍ଦୁଛନ୍ତି । ଯେପରି ନିସହାୟ ହୋଇଯାଇଛି ଏମାନଙ୍କ ସୁଖ ସଂସାର । ନିଜର ଅତିପ୍ରିୟଙ୍କୁ ହରାଇବାର ଦୁଃଖ ଜଳଜଳ ଦେଖାଯାଉଛି । ପ୍ରଦୀପ ମହାରଥୀ, ଜଣେ ଦରଦୀ ମଣିଷ ସହ ଥିଲେ ପଶୁପ୍ରେମୀ । ସେଇଥିପାଇଁ ତ ସେ ତାଙ୍କ ହୁଙ୍କେଇପୁର ଫାର୍ମ ହାଉସରେ ପାଳିଛନ୍ତି ଅନେକ ଜୀବଜନ୍ତୁ । ସମସ୍ତଙ୍କ ପାଇଁ ସେ ଥିଲେ ଅତି ଆପଣାର । ବାହାର ଦୁନିଆର ଯେତେ ସମସ୍ୟା ଥିଲେ ମଧ୍ୟ ସବୁକିଛି ଦୂରେଇ ଦେଇ ସେ ଚାଲିଆସନ୍ତି ଏଠାକୁ । କିନ୍ତୁ ଆଜି ଶ୍ରୀହିନ ହୋଇଯାଇଛି ଏହି ସ୍ଥାନ । ଆଉ ଝୁରୁଛନ୍ତି ହୀରା ମୋତି ମାଣିକ ।
ମହାରଥୀଙ୍କ ଗାଡି ଫାର୍ମ ହାଉସରେ ପ୍ରବେଶ ମାତ୍ରେ ହିଁ ସମସ୍ତେ ଛୁଟି ଆସନ୍ତି ତାଙ୍କ ପାଖକୁ । ଆଉ ସେମାନଙ୍କୁ ବି ସେ କୋଳେଇ ନେଇଥାନ୍ତି ବିନା ଦ୍ୱିଧାରେ । କିନ୍ତୁ ଆଜି ଏମାନଙ୍କ ଆଖିରେ ବି ଚାଲି ଆସୁଛି ଲୁହ । ଯିଏ ଆସୁଛି ତାକୁ ବଡ ପାଟିରେ ସତେ ଯେମିତି ବାବୁ କହନ୍ତି ବୋଲି ବ୍ରୁସକୁ ପଚାରୁଛି ବ୍ରାଉନି । ସେପଟେ ହଂସ, ବତକ କ୍ରୀଡା ନକରି ଅପେକ୍ଷା କରିଛନ୍ତି ତାଙ୍କ ବାବୁଙ୍କୁ ।
ଏ ହେଉଛି ପ୍ରଦୀପ ମହାରଥୀଙ୍କ ଦରବାର । ଏଠାରେ ବସି ଲୋକମାନଙ୍କ ସୁଖ ଦୁଃଖ ବୁଝନ୍ତି ସେ । ଆଜି କିନ୍ତୁ ଖାଲି ପଡ଼ିଛି ଚେୟାର । ଦେଖନ୍ତୁ ବାବୁ ବସିବେ ବୋଲି ଚେୟାରକୁ କେମିତି ଝାଡି ଦେଉଛନ୍ତି । ମନକୁ ଯେତେ ବୁଝାଇଲେ ବି ମନ ବୁଝୁନି । ଆଖିର ଲୁହ ମନର କୋହକୁ ଛାତିରେ ଧରି ରଖିବା କଷ୍ଟକର ହୋଇପଡ଼ିଛି । ଏଠାରେ କାମ କରି ନିଜ ପରିବାର ପୋଶୁଥିବା ଲୋକେ ନିଜ ଆପଣାର ମଣିଷକୁ ହରାଇ କିଭଳି ବଞ୍ଚିବେ ତାକୁ ନେଇ ଏବେ ପଡ଼ିଛନ୍ତି ଚିନ୍ତାରେ ।