ପୋଖରୀ ଜମି ଜବରଦଖଲକୁ ନେଇ ତୁମୂଳକାଣ୍ଡ, ପରିବାର ଉପରେ ମରଣାନ୍ତକ ଆକ୍ରମଣ

ଉଦଳା(କେନ୍ଯୁଜ୍): ପୋଖରୀ ଜମି ଜବରଦଖଲକୁ ନେଇ ଦୀର୍ଘ ଦିନରୁ ରହି ଆସିଥିବା ବିବାଦ ଶେଷରେ ଆଜି ଉଗ୍ରରୂପ ନେଇଛି । ଜବରଦଖଲକାରୀ ନିଜ ଜିଦରେ ଅଟଳ ଥିବା ବେଳେ ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଯାହାକୁ ନେଇ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଗୋଟିଏ ପରିବାର । ଏଭଳି ଘଟଣା ଘଟିଛି ଉଦଳା ଥାନା ପଣସଗଡି ଗ୍ରାମରେ ।

ଉଦଳା ଥାନା ପଣସଗଡି ଗ୍ରାମର ଗଦାଧର ବିଶ୍ୱାଳଙ୍କ ଘର ନିକଟରେ ଏକ ପୋଖରୀ ରହିଥିବା ବେଳେ ତାହା ଗ୍ରାମ ପୋଖରୀ । ହେଲେ ଗଦାଧରଙ୍କ ପରିବାର ଲୋକେ ଉକ୍ତ ପୋଖରୀ ଜମିକୁ ଜବରଦଖଲ କରି ଦୀର୍ଘ ଦିନରୁ ରଖି ଆସିଛନ୍ତି । ଯାହାକୁ ନେଇ ଅନେକ ବାର ଗ୍ରାମବାସୀ ବିରୋଧ କରିଥିଲେ ସୁଦ୍ଧା ଜବରଦଖଲ ଜମି ଛାଡିବାକୁ ଗଦାଧରଙ୍କ ପରିବାର ନାରାଜ । ଯାହାଫଳରେ ଗତକାଲି ରାତିରେ ଉକ୍ତ ଜବରଦଖଲ ଘଟଣାକୁ ନେଇ ହୋଇଯାଇଛି ତୁମୂଳକାଣ୍ଡ ।

ଗ୍ରାମବାସୀମାନେ ଗଦାଧରଙ୍କ ଘର ବାଡ ଭାଙ୍ଗିବା ସହିତ ପରିବାର ସଦସ୍ୟଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଗଦାଧରଙ୍କ ପରିବାରର ଦୁଇ ଜଣ ଗୁରୁତର ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ପରେ ସେମାନଙ୍କୁ ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରାଯାଇଥିବା ବେଳେ ଗୁରୁତର ଦୁଇ ଜଣଙ୍କୁ ବାରିପଦା ସ୍ଥାନାନ୍ତର କରାଯାଇଛି ।

ଗଦାଧରଙ୍କ ସମେତ ତାଙ୍କ ପୁଅ, ବୋହୂ, ଏବଂ ଶ୍ୱଶୁରଙ୍କୁ ଠେଙ୍ଗା ବାଡିରେ ଗ୍ରାମବାସୀମାନେ ଆକ୍ରମଣ କରିଥିଲେ । ଏ ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ଗଦାଧର ବିଶ୍ୱାଳ ଏବଂ ତାଙ୍କ ଶ୍ୱଶୁର ଶଶୀଧର ସାନ୍ତରାଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାଯାଇଛି ।

 

Leave A Reply

Your email address will not be published.