ପରୀକ୍ଷା ପ୍ରଶ୍ନପତ୍ରରେ ସାଙ୍ଘାତିକ ତ୍ରୁଟି, ପଢିଲେ ଗୋଟିଏ, ପ୍ରଶ୍ନ ଆସିଲା ଗୋଟିଏ

ସିବିଏସଇ ଦ୍ବାଦଶ ପରୀକ୍ଷାରେ ୩୨ ଛାତ୍ରଛାତ୍ରୀଙ୍କ ବଦଳିଗଲା ପ୍ରଶ୍ନପତ୍ର । ଇଂରାଜୀ କୋର୍ ବିଷୟ ବଦଳରେ ପରୀକ୍ଷାର୍ଥୀଙ୍କୁ ଦିଆଗଲା ଇଂରାଜୀ ଇଲେକ୍ଟିଭ ପ୍ରଶ୍ନ । ଫଳରେ ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଆଦର୍ଶ ବିଦ୍ୟାଳୟର ୩୨ ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଏବେ ଅନ୍ଧାରରେ । ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ଟିଟିଆ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସେଣ୍ଟରରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବଡ଼ସାହିର ଦ୍ବାଦଶ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ।
ଆଜି ଇଂରାଜୀ ପରୀକ୍ଷା ଥିଲା। ବଡ଼ସାହି ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କର ଇଂରାଜୀ କୋର୍ ବିଷୟରେ ପରୀକ୍ଷା ଦେଇଥାନ୍ତେ। ହେଲେ ସେମାନଙ୍କୁ ଦିଆଯାଇଥିଲା ଇଂରାଜୀ ଇଲେକ୍ଟିଭ ପ୍ରଶ୍ନ। ଯାହା ଦେଖି ଛାତ୍ରଛାତ୍ରୀଙ୍କ ମୁଣ୍ଡ ଗୋଲ ହୋଇଯାଇଥିଲା। କାରଣ ଇଂରାଜୀ କୋର ଓ ଇଲେକ୍ଟିଭ ବିଷୟ ସମ୍ପୂର୍ଣ୍ଣ ଅଲଗା। ଯେଉଁଥିପାଇଁ ଛାତ୍ରଛାତ୍ରୀମାନେ କାନ୍ଦିକାନ୍ଦି ପରୀକ୍ଷା ହଲରୁ ବାହାରିଥିଲେ । ଏଥିଯୋଗୁ ୩୨ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏବେ ଅନ୍ଧାରକୁ ଠେଲି ହୋଇଯାଇଛି ।
ଅନ୍ୟପଟେ ବଡ଼ସାହି ଓଏଭି କର୍ତ୍ତୃପକ୍ଷଙ୍କ ତ୍ରୁଟି ଯୋଗୁ ଏପରି ହୋଇଛି ବୋଲି କହିଛନ୍ତି ସେଣ୍ଟର ପଡ଼ିଥିବା ଓଏଭି, ଟିଟିଆର ପ୍ରିନସିପାଲ କହିଛନ୍ତି । ବଡ଼ସାହି ଓଏଭି ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣରେ ତ୍ରୁଟି ରହିଛି । ସେମାନଙ୍କ ଆଡମିଟ କାର୍ଡରେ ମଧ୍ୟ ଇଂରାଜୀର ଇଲେକ୍ଟିଭ ବିଷୟ ରହିଥିଲା । ସେହି ଅନୁସାରେ ସେମାନଙ୍କୁ ପ୍ରଶ୍ନପତ୍ର ଦିଆଯାଇଥିଲା ବୋଲି ସେ କହିଛନ୍ତି । ସେପଟେ ଏନେଇ ବଡ଼ସାହି ଓଏଭି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।