କଳିଙ୍ଗ ଷ୍ଟାଡିୟମ ନିକଟରେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କାରେ ଟ୍ରାଫିକ୍ ପୋଲିସଙ୍କ ମୃତ୍ୟୁ
ଭୁବନେଶ୍ୱର : ନୟାପଲ୍ଲୀ ଥାନା କଳିଙ୍ଗ ଷ୍ଟାଡିୟମ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଅଜଣା ଗାଡ଼ିଧକ୍କାରେ ଟ୍ରାଫିକ୍ ପୋଲିସଙ୍କ ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ ନୟାପଲ୍ଲୀ ଥାନା ପୋଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଏହି ଦୁର୍ଘଟଣାରେ ଟ୍ରାଫିକ କର୍ମଚାରୀ ମଧୁସୂଦନ କିର୍ସାରୀ ମୃତ୍ୟୁ ବରଣ କରିଛନ୍ତି ।
ସୂଚନା ଅନୁସାରେ ଗତକାଲି ରାତି ପ୍ରାୟ ୧୦ ଟା ୩୦ ବେଳେ ଏହି ଦୁର୍ଘଟଣା ଘଟିଛି । ଡ୍ୟୁଟି ସାରି ଟ୍ରାଫିକ କର୍ମଚାରୀ ମଧୁସୂଦନ କିର୍ସାରୀ ପଲସର ଗାଡି ଧରି ଘରକୁ ଫେରୁଥିବା ବେଳେ ଜୟଦେବ ବିହାର ଫ୍ଲାଏଓଭର ନିକଟରେ ଦୁର୍ଘଟଣା ଘଟିଛି । ପଛରୁ ଆସୁଥିବା କୌଣସି ଭାରୀଯାନ ମଧୁସୂଦନଙ୍କୁ ଧକ୍କା ଦେବା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଟ୍ରାଫିକ ପୋଲିସ ଜଣଙ୍କ ୟୁନିଫର୍ମରେ ଥିବା ବେଳେ ସେ ଚଲାଉଥିବା ଗାଡି ମଧ୍ୟ ଘଟଣାସ୍ଥଳରେ ପଡିରହିଥିଲା । ଖବର ପାଇ ପିସିଆର ଘଟଣାସ୍ଥଳରେ ପହଁଚି ଛାନଭିନ ଆରମ୍ଭ କରିଛି । ସିସିଟିଭି ଆଧାରରେ ଦୁର୍ଘଟଣା ଘଟାଇଥିବା ଗାଡିକୁ ପୋଲିସ ଖୋଜୁଥିବା ଜଣାପଡିଛି।
ଏପଟେ ଯାହା ସୂଚନା ମିଳିଛି କି, ମଧୁସୂଦନଙ୍କ ଘର ମାଲକାନଗିରିରେ ହୋଇଥିବାବେଳେ, ସେ ଖଣ୍ଡଗିରି ଅଞ୍ଚଳରେ ରହୁଥିଲେ । ଟ୍ରାଫିକ୍ କନେଷ୍ଟବଳ ଭାବେ ରାଜଧାନୀରେ କାର୍ଯ୍ୟରତ ଥିଲେ । ଗତକାଲି ସନ୍ଧ୍ୟାରେ ସେ ରାମମନ୍ଦିର ଛକରେ ଡ୍ୟୁଟି କରୁଥିଲେ । ସନ୍ଧ୍ୟାରେ ପ୍ରବଳ ବର୍ଷା ପାଇଁ ସମଗ୍ର ରାଜଧାନୀରେ ଟ୍ରାଫିକ୍ ଜାମ୍ ପରିସ୍ଥିତି ସୃଷ୍ଟି ହୋଇଥିଲା । ରାମମନ୍ଦିର ଛକରେ ବି ପ୍ରବଳ ଭିଡ଼ ଜମିଥିଲା ।
ମଧୁସୂଦନ ବର୍ଷାରେ ଓଦା ହୋଇ ଟ୍ରାଫିକ୍ ଜାମ୍ ରେ ଫସିଥିବା ଲୋକମାନଙ୍କୁ ସହଯୋଗ କରି ରାସ୍ତା କ୍ଳିୟର୍ କରିଥିଲେ । ଡ୍ୟୁଟି ସାରି ନିଜ ବାଇକ୍ ରେ ବାଣୀବିହାର ଛକ ଦେଇ ଖଣ୍ଡଗିରି ଫେରୁଥିବା ବେଳେ ଜୟଦେବବିହାର ଓଭରବ୍ରିଜ୍ ନିକଟରେ ପଛରୁ କୌଣସି ଏକ ଭାରୀଯାନ ତାଙ୍କୁ ଧକ୍କା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ମଧୁସୂଦନଙ୍କୁ ଦେଖି କିଛି ଲୋକ ନୂଆପଲ୍ଲୀ ଥାନା ପୋଲିସକୁ ଜଣାଇଥିଲେ । ପୋଲିସ୍ ପହଁଚି ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍କୁ ନେଇଥିଲା । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା ।