ରହସ୍ୟରୁ ଉଠିଲା ପରଦା : ତୁମେ ମରିବ ନା ଆମେ ମରିବୁ ! ବ୍ଲାକମେଲ କରି ଦୁଇ ଝିଅଙ୍କୁ ମାରି ଦେଲା ବାପା, ଜାଣନ୍ତୁ ପୂରା ଘଟଣା

ମୋହନା : ଆଉ କିଛି ଦିନ ପରେ ବାଜିଥାନ୍ତା ଘରେ ସାହାନାଇ । ହେଲେ ଅକାଳରେ ଆସିଲା ଏମିତି ଏକ ଝଡ ଯେଉଁଥିରେ ହାରିଗଲା ଦୁଇ ଦୁଇଟି ଜୀବନ । ନିଜ ପିଲାକୁ ହରାଇ କଣ ବିତୁଥିବ ସେଇ ବାପା ମାଆଙ୍କ ମନରେ । ଏଇ ଦୁନିଆରେ ଏମିତି କୌଣସି ବାପା ମାଆ ନାହାନ୍ତି ଯିଏ ନିଜ ସନ୍ତାନକୁ ହରାଇ ଖୁସିରେ ଥିବେ । ବାପା, ମାଆ ଆମ ଜୀବନରେ ଏମିତି ଦୁଇଟି ବ୍ଯକ୍ତି ବିଶେଷ, ଯେଉଁମାନଙ୍କ ବିନା ପିଲାଟିର କୌଣସି ସତ୍ତା ହିଁ ନଥାଏ । ପିଲାର ପ୍ରଥମ ସାହା ଭରସା ହେଉଛନ୍ତି ତାର ମାତା ପିତା । ପିଲାଟି ଯେତେବେଳେ ଜନ୍ମ ହୋଇଥାଏ ତା କଅଁଳ ପାଟିରୁ ପ୍ରଥମେ ଯେଉଁ ଶବ୍ଦ ବାହାରିଥାଏ ତାହା ହେଉଛି ମାଆ ଆଉ ବାପା । ହେଲେ ନିଜ ପିଲାକୁ ମାରିବାକୁ କଣ କେବେ କେଉଁ ବାପାର ହାତ ଯାଇ ପାରେ ? ପୁଣି ବଢ଼ିଲା ଝିଅକୁ ? ଏହି ପ୍ରଶ୍ନର ଉତ୍ତର ହୁଏତ କାଲି ପର୍ଯ୍ୟନ୍ତ ନାଁ ହୋଇଥାନ୍ତା, ହେଲେ ଆଜି କିନ୍ତୁ ହଁ । ଏଭଳି ଏକ ଘଟଣା ଏବେ ପଦାକୁ ଆସିଛି ଯେଉଁଠି ନିଜ ଜନ୍ମଦାତା ବାପା ମାଆ ମିଶି ବିଷ ଦେଇ ହତ୍ଯା କରିଛନ୍ତି ନିଜର ଦୁଇଟି ଦୁଇଟି ଝିଅଙ୍କୁ । ବିଷ ଦେଇ ମାରିବା ପରେ ଶେଷରେ ମୃତ ଦେହକୁ କୂଅରେ ପକାଇ ଆତ୍ମହତ୍ଯାର ରୂପ ଦେଇଥିଲେ । ଝିଅର ବାହାଘର ଭାଙ୍ଗିଯିବା ପରେ ଲୋକଲଜ୍ଜା ଭୟରେ ଏହି ବାପା ମାଆ ବାଧ୍ଯ କରିଥିଲେ ଝିଅକୁ ବିଷ ପିଇବା ପାଇଁ ।

କଣ ଥିଲା ଏହି ପରିବାରର ସମସ୍ଯା?

sister4ଆର.ଉଦୟଗିରି ଛେଳିଗଡ଼ ଗାଁର ପ୍ରମୋଦ ଆଚେରୀ ଏବଂ ମା ବି. ରାଜେଶ୍ବରୀଙ୍କର ୫ ଝିଅ । ବଡ଼ ଝିଅର ବାହାଘର ପରେ ସ୍ୱାମୀ ନିର୍ଯାତନା ସହିନପାରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ସେହିପରି ଦ୍ୱିତୀୟ ଝିଅ ଅନ୍ୟତ୍ର ବିବାହ କରିଥିବା ବେଳେ ଚତୁର୍ଥ ଝିଅ ସେହି ଗାଁର ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଛନ୍ତି । କିଛି ଦିନ ତଳେ ମୃତ କିରଣଙ୍କ ପାଇଁ ଭୁବନେଶ୍ୱରରୁ ଏକ ବିବାହ ପ୍ରସ୍ତାବ ଆସିଥିଲା । ହେଲେ ଚତୁର୍ଥ ଝିଅର ସ୍ୱାମୀ କିରଣଙ୍କ ଅଶ୍ଳୀଳ ଫୋଟ ଦେଖାଇ ଏହି ପ୍ରସ୍ତାବକୁ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଘରେ ବିବାଦୀୟ ପରସ୍ଥିତି ସୃଷ୍ଟି ହୋଇଥିଲା ।

କଣ ହୋଇଥିଲା ସେହି କାଳ ରାତିରେ?

sister1ଝିଅ ସ୍ୱପ୍ନାର ବାହାଘର ଭାଙ୍ଗିଯିବା ପରେ ବାପାମାଆ ସମ୍ପୂର୍ଣ୍ଣ ହତାଶ ହୋଇ ପଡ଼ିଥିଲେ । ଲୋକଲଜ୍ଜା ଭୟରେ ନେଇଥିଲେ ଚରମ ନିଷ୍ପତ୍ତି । ବାପା ପ୍ରମୋଦ ବଜାରରୁ କିଣି ଆଣିଥିଲେ ଦୁଇଟି ବିଷ ବୋତଲ । ଘରେ ଥିଲେ ସ୍ବପ୍ନା ଏବଂ ୫ମ ତଥା ସବା ସାନ ଝିଅ କିରଣ । କିରଣ ଥିଲେ ସ୍ବପ୍ନାଙ୍କର ବହୁତ ଘନିଷ୍ଠ । ଦୁଇ ଭଉଣୀ ଏକାଠି ଖାଉଥିଲେ,ଏକାଠି ବସୁଥିଲେ, ହଲେ ସେମାନେ କଣ କେବେ ଜାଣି ନଥିଲେ ତାଙ୍କର ଜୀବନ ଦୀପ ଏକାଠି ଲିଭିଯିବ ବୋଲି ? ସେଦିନ ବାପା ମାଆ ବସିଥିଲେ ଦୁଇଝିଅଙ୍କ ସମୁଖରେ, ଆଉ ମଝିରେ ଥୁଆ ହୋଇଥିଲା ଦୁଇଟି ବିଷ ବୋତଲ । ବାପାମାଆ କହିଥିଲେ ଏହି ବିଷ କିଏ ପିଇବ? ଦୁଇ ଝିଅ ଏହି ପ୍ରଶ୍ନ ଶୁଣି ଆବାକ୍ ହୋଇଯାଇଥିଲେ । ବାପା କହିଥିଲେ ତୁମେ ଦୁଇ ଝିଅ ଯିଦି ଏହି ବିଷ ନପିଇବ ତେବେ ଆମେ ପିଇଦେବୁ । ବାପାଙ୍କର ଏଭଳି କଥାରେ ତରଳି ଯାଇଥିଲେ ଦୁଇ ଭଉଣୀ । ସେମାନେ ନିଷ୍ପତ୍ତି ନେଇଥିଲେ ଆମ ଜୀବନ ପଛେ ଚଲି ଯାଉ, ବାପା ମାଆ ବଞ୍ଚି ରୁହନ୍ତୁ । ଏହାପରେ ବିଷ ପିଇ ଦୁଇ ଭଉଣୀ ଶୋଇ ଯାଇଥିଲେ ଚିର ନିଦ୍ରାରେ ।

ଘଟଣା ପରେ କଣ କରିଥିଲେ ବାପାମାଆ?

mohana case
ଅଭିଯୁକ୍ତ ବାପା ପ୍ରମୋଦ ଆଚାରୀ

ବାପା ପ୍ରମୋଦ ଏକ ପ୍ରକାର ବ୍ଲାକମେଲ୍ କରିଥିଲେ ଦୁଇ ଝିଅଙ୍କୁ । ତେଣୁ ସ୍ବପ୍ନା ଓ କିରଣ ନିଜେ ନିଜେ ବିଷ ପିଇଦେଲେ । ସେମାନଙ୍କ ମୃତ୍ୟୁ ପରେ ତାକୁ ଦେଇଥିଲେ ଆତ୍ମହତ୍ଯାର ରୂପ । ସକାଳ ପାହିବା ଆଗରୁ ଘରେ ଥିବା କୂଅ ଭିତରେ ପକାଇ ଦେଇଥିଲେ ଦୁଇଟି ଝିଅଙ୍କ ମୃତଦେହକୁ । ସକାଳ ପାହିବା ପରେ ରଚିଥିଲେ ଏକ ନୂଆ ନାଟକ । ବାହାଘର ଭାଙ୍ଗିଯିବାରୁ ଲୋକଲଜ୍ଜାରେ ସ୍ବପ୍ନା ଓ କିରଣ କୂଅ ଭିତରକୁ ଡେଇଁ ଆତ୍ମହତ୍ଯା କରିଥିବା ପ୍ରଘଟ କରିଥିଲେ ବାପା ମାଆ । ପରେ ଅଗ୍ନିଶମ ବାହିନୀ ଟିମ୍ ପହଁଞ୍ଚି ଦୁଇ ଭଉଣୀଙ୍କ ମୃତ ଦେହ କୂଅ ଭିତରୁ ଉଦ୍ଧାର କରିଥିଲା ।

କେମିତି ହୋଇଥିଲା ଘଟଣାର ପର୍ଦାଫାସ୍

mohana case 1

ଦୁଇ ଭଉଣୀ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରି କୂଅ ଭିତରେ ପକାଇ ଦିଆଯାଇଛି, ତାହା ଜଣାପଡିନଥିଲା । କିନ୍ତୁ ପାରିପାର୍ଶ୍ବିକ ଅବସ୍ଥା ଏବଂ ବାପା ପ୍ରମୋଦଙ୍କ ହାବଭାବରୁ ସନ୍ଦେହ ହୋଇଥିଲା ପୋଲିସକୁ । ସାମାନ୍ଯ ବାହାଘରକୁ ନେଇ କଣ ୧୯ ବର୍ଷର ସ୍ୱପ୍ନା ଆଚେରୀ ଓ ୧୫ ବର୍ଷର କିରଣ ଆଚେରୀ କେବେ ଆତ୍ମହତ୍ଯା କରିପାରିବେ? ଏହି ପ୍ରଶ୍ନ ଘେରରେ ପୋଲିସ୍ ଆରମ୍ଭ କରିଥିଲା ତଦନ୍ତ । ଆଉ ଜେରା କରିଥିଲା ପରିବାର ଲୋକଙ୍କୁ । ପେସାଦାର ଅପରାଧୀ ନଥିଲେ ତେଣୁ ବାପା ପ୍ରମୋଦ ପୋଲିସ୍ ଆଗରେ ଓଗାଳି ପକାଇଥିଲେ ସବୁକିଛି । ଯାହାପରେ ଆତ୍ମହତ୍ଯା ନୁହେଁ ବରଂ ଦୁଇ ଭଉଣୀଙ୍କୁ ହତ୍ଯା କରାଯାଇଥିବା ଘଟଣା ପଦାକୁ ଆସିଥିଲା । ପୋଲିସ୍ ଆହୁରି ଅଧିକ ତଥ୍ଯ ପାଇଁ ବାପା ପ୍ରମୋଦ ଓ ମାଆ ବି. ରାଜେଶ୍ବରୀ ଏବଂ ୪ର୍ଥ ଝିଅର ସ୍ବାମୀ ଗଣେଶ ସାହୁଙ୍କୁ ଅଟକ ରଖି ପଚାର ଉଚାର ଜାରି ରଖିଛି । ସାମ୍ବାଦିକ ସମ୍ମିଳନୀ କରି ଘଟଣାର ସବିଶେଷ ଘଟଣା କହିଛନ୍ତି ଆର୍. ଉଦୟଗିରି ଏସଡିପିଓ ଅନିଲ୍ କୁମାର ପ୍ରଧାନ । ତଥାପି କିଛି ପ୍ରଶ୍ନର ଉତ୍ତର ଏବେବି ରହସ୍ୟ ଭିତରେ । ସତରେ କଣ ଏଇ କାରଣରୁ ଏତେ ବଡ଼ କାଣ୍ଡ ଘଟାଇ ପାରିଲେ ନିଜ ଜନ୍ମକଲା ବାପା ମା ?

ସୁମନ ପଟ୍ଟନାୟକ, କେନ୍ୟୁଜ, ମୋହନା

You might also like