୫ ଟଙ୍କା କମିଗଲା ବୋଲି ଗ୍ରାହକଙ୍କୁ ରାସ୍ତା ଉପରେ ତାଲିବାନୀ ପରି ମାଡ଼, ଗୋଡ଼ ଧରିଲେ ବି ଛାଡିଲେନି ବାପା ପୁଅ
ଆନନ୍ଦପୁର(କେନ୍ୟୁଜ୍): ହୋଟେଲ ମାଲିକଙ୍କ ଦବଙ୍ଗଗିରି । ୫ ଟଙ୍କା ପାଇଁ ହୋଟେଲ ମାଲିକ ଏବଂ ପୁଅ ମିଶି ଜଣେ ଗ୍ରାହକଙ୍କୁ ବିଚ ରାସ୍ତା ଉପରେ ଅମାନୁଷିକ ଭାବେ ନିର୍ଧୁମ ପିଟିଲେ । ଗ୍ରାହକ ଜଣଙ୍କ ଗୋଡ଼ ହାତ ଧରି ଯେତେ ନେହୁରା ହେଲେ ମଧ୍ୟ ନିଷ୍ଠୁର ବାପା ପୁଅ ଶୁଣି ନଥିଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ଘସିପୁରା ବଜାରରେ । ଘସିପୁରା ଲକ୍ଷ୍ମୀ ବଜାରରେ ଥିବା ମା ହୋଟେଲକୁ ଗତକାଲି ମଧ୍ୟାହ୍ନରେ ଜିତେନ୍ଦ୍ର ଦେହୁରୀ ଖାଇବାକୁ ଯାଇଥିଲେ । ସେଠାରେ ସେ ଭାତ, ଡାଲି ତରକାରୀ ଏବଂ ଖଟା ଖାଇଥିଲେ ସେଥିପାଇଁ ହୋଟେଲ ମାଲିକ ତାଙ୍କୁ ୪୫ ଟଙ୍କା ଦେବା ପାଇଁ କହିଥିଲେ ।
ଜିତେନ୍ଦ୍ର ପାଖରେ ଥିବା ୪୦ ଟଙ୍କା ଦେଇ ବାକି ୫ ଟଙ୍କା ସନ୍ଧ୍ୟାରେ ଦେବାକୁ କହିଥିଲେ । ଏଥିନେଇ ଉଭୟଙ୍କ ମଧ୍ୟରେ ବଚସା ହେବା ପରେ ହୋଟେଲ ମାଲିକ ଏବଂ ତାଙ୍କ ପୁଅ ରାଗିଯାଇ ଜିତେନ୍ଦ୍ରଙ୍କୁ ବିଚ ରାସ୍ତା ଉପରେ ଅତି ଅମାନୁଷିକ ଭାବେ ନିର୍ଧୁମ ପିଟିଥିଲେ । ଯାହାର ଭିଡିଓ ଏବେ ଭାଇରାଲ ହୋଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଜିତେନ୍ଦ୍ର ଏନେଇ ଘସିପୁରା ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇ ଅଭିଯୁକ୍ତ ବାପାକୁ ଗିରଫ କରିଛି । ବାପା ଗିରଫ ହେବା ପରେ ଅଭିଯୁକ୍ତ ପୁଅ ଫେରାର ହୋଇ ଯାଇଛି । ପୋଲିସ ଏ ଘଟଣାର ତଦନ୍ତ କରୁଛି।