ଆମ୍ବୁଲାନ୍ସ ନମିଳିବାରୁ କାନ୍ଧରେ ବୋହି ମୃତ ପୁଅକୁ ନେଉଥିଲା ବାପା, ସାହାଯ୍ୟ କଲେ ସାମ୍ବାଦିକ

ବାଲିଗୁଡ଼ା: ମିଳିଲାନି ଆମ୍ବୁଲାନ୍ସ । ମୃତ ପୁଅକୁ ଧରି ବହୁ ସମୟ ପର୍ଯ୍ୟନ୍ତ ହସ୍ପିଟାଲ ବାହାରେ ଛିଡ଼ା ହେଲେ ବାପା । କିନ୍ତୁ ସାହାଯ୍ୟ ପାଇଁ କେହି ବି ଆସିଲେନି । ଶେଷର ନିରୁପାୟ ହୋଇ ପୁଅକୁ କାନ୍ଧରେ ଧରି ଚାଲି ଚାଲି ଘରକୁ ଫେରିଲେ । ଏହି ସମୟରେ ହଠାତ ରାସ୍ତାରେ ଯାଉଥିବା ଜଣେ ସାମ୍ବାଦିକ ତଥା ସମାଜସେବୀଙ୍କ ନଜର ପଡ଼ିଲା ବ୍ୟକ୍ତିଙ୍କ ଉପରେ । ସେ ଟିକେ ସମୟ ରାସ୍ତାରେ ଅଟକି ଯାଇ ବ୍ୟକ୍ତିଙ୍କୁ ଘଟଣା ସମ୍ପର୍କରେ ପଚାରିଲେ । ଆଉ ଘଟଣା ବିଷୟରେ ଜାଣିବା ପରେ ଦୁଃଖ ପ୍ରକାଶ କରିବା ସହ ସହାୟତାର ହାତ ବଢ଼ାଇଲେ ସାମ୍ବାଦିକ ଦୀପକ ପରାସେଟ ।

ସୂଚନା ଅନୁସାରେ ମୃତ ଶିଶୁ ପୁତ୍ରକୁ କାନ୍ଧରେ ବୋହି ନେଇ ଯାଉଥିବା ସମୟରେ ସାମ୍ବାଦିକ ଜଣଙ୍କ ସାହାଯ୍ୟ କରିଛନ୍ତି । ମୃତ ଶିଶୁ ପୁତ୍ର ଓ ତାର ବାପାକୁ ନିଜ ମୋଟର ସାଇକେଲରେ ବସେଇ ଗାଁ ରେ ଛାଡିଥିଲେ ସାମ୍ବାଦିକ । ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ପଞ୍ଚାୟତର ଗାଚେରୀ ଗାଁ ର କୁଶ ପାଟମାଝି ତିନି ବର୍ଷ ପୁଅର ଦେହ ଖରାପ ହେବାରୁ ତାକୁ ମେଡିକାଲ ଆଣିଥିଲେ । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ମେଡିକାଲରେ ପୁଅର ମୃତ୍ୟୁ ହୋଇଥିଲା । ମୃତଦେହ ନେବାପାଇଁ ଆମ୍ବୁଲାନ୍ସ ନ ମିଳିବାରୁ ନିଜ କାନ୍ଧରେ ତିନି ବର୍ଷ ପୁଅର ମୃତ ଦେହ ବୋହି ଗାଁ ଅଭିମୁଖେ ବାହାରିଥିଲେ କୁଶ । ତୁମୁଡିବନ୍ଧ ରାମପୁର ଛକ ନିକଟରେ ମୃତ ଦେହ କାନ୍ଧରେ ବୋହି ନେଉଥିବା ଦେଖି ସାମ୍ବାଦିକ ଦୀପକ ନିଜ ମଟର ସାଇକେଲରେ କୁଶଙ୍କୁ ବସେଇ ଘରେ ପହଞ୍ଚାଇଥିଲେ । ମୃତ ପୁଅକୁ ଦେଖିବା ପରେ ଧୈର୍ଯ୍ୟହରା ହୋଇପଡ଼ିଥିଲେ ପରିବାର ଲୋକେ । କାନ୍ଦି କାନ୍ଦି ମୃତ ପୁଅକୁ ଧରି ଘର ଭିତରକୁ ନେଇ ଯାଇଥିଲେ ।

ଗରିବ ଲୋକ ଏମାନେ ଏତେ ପଇସା ବା କେଉଁଠୁ ଆଣିବେ । ଆର୍ଥିକ ଅଭାବ ଭିତରେ ପୁଅ ବି ଦୁନିଆ ଛାଡ଼ି ଚାଲିଗଲା । ଏମାନେ ଗରିବ କାହାକୁ ବା ପ୍ରଶ୍ନ କରିବେ । ଭାଗ୍ୟ କୁ ଆଦରି ଆମ୍ବୁଲାନ୍ସ ନମିଳିବାରୁ ଚାଲି ଚାଲି ଘରକୁ ଫେରୁଥିଲେ । ସୌଭାଗ୍ୟବଶତଃ ସାମ୍ବାଦିକଙ୍କ ସାହାଯ୍ୟ ମିଳିଲା । କିନ୍ତୁ ସେ ରାସ୍ତାରେ ଯଦି ସାମ୍ବାଦିକ ଜଣକ ଯାଇ ନଥାନ୍ତେ କୁଶ ବୋଧହୁଏ ମୃତ ପୁଅକୁ ଧରି ଚାଲି ଚାଲି ଘରକୁ ଫେରିଥାନ୍ତେ ।

ସରକାର ଗରିବ ଲୋକଙ୍କ ପାଇଁ କେତେ କଣ ଯୋଜନା କରୁଛନ୍ତି । ସରକାରୀ ଡାକ୍ତରଖାନାରେ ଗରିବ ଲୋକଙ୍କ ପାଇଁ ଆମ୍ବୁଲାନ୍ସ ସେବା ମାଗଣା ରହିଛି । ତାପରେ ବି ଏ ଗରିବ ବାପକୁ କାହିଁକି ସାହାଯ୍ୟ ମିଳିଲାନି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ତେବେ ତିନି ବର୍ଷ ପୁଅର ମୃତ ଦେହକୁ ବାପା ନିଜ କାନ୍ଧରେ ବୋହିନେଇ ଯାଉଥିବା ଘଟଣା ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ସାମ୍ବାଦିକ ଦୀପକଙ୍କ ମହାନତାକୁ ନେଇ ବୁଦ୍ଧିଜୀବି ମହଲରେ ପ୍ରଶଂସା କରାଯାଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.