ନୟାଗଡ଼ରେ ଚାଞ୍ଚଲ୍ୟ : ବନ୍ଦଘରୁ ବାପଝିଅଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ନୟାଗଡ଼: ବନ୍ଦଘରୁ ବାପଝିଅଙ୍କ ମୃତଦେହ ଉଦ୍ଧାର। ନୟାଗଡ଼ରୁ ଆସିଛି ଏହି ଦୁଃଖଦ ଖବର। ଗୋଟିଏ ରୁମ୍ ରେ ପଡ଼ିରହିଛି ବାପା ଝିଅଙ୍କ ମୃତଦେହ। ଝିଅକୁ ବିଷାକ୍ତ ଖାଦ୍ୟ ଖୁଆଇ ହତ୍ୟା କରିବା ପରେ ବାପା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ନୟାଗଡ଼ ସହରର ଦେବୋତ୍ତର ଲେନ୍ ୪ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତ ବାପଝିଅ ହେଲେ ପୁଲକ ବିଶ୍ୱାଳ ଓ ତାଙ୍କ ୫ ବର୍ଷର ଝିଅ ପଲକ ବିଶ୍ୱାଳ। ତେବେ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।

ସୂଚନା ଅନୁଯାୟୀ, ପତ୍ନୀ ଓ ଝିଅଙ୍କୁ ନେଇ ପୁଲକ ବିଶ୍ୱାଳଙ୍କ ସଂସାର ବେଶ ହସଖୁସିରେ ଚାଲିଥିଲା । ମାତ୍ର ଅଚାନକ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଘୋଟି ଆସିଥିଲା କଳା ବାଦଲ। ଝିଅକୁ ନେଇ କିପରି ବାକି ଜୀବନ କାଟିବେ ସେ ଚିନ୍ତାରେ ପୁଲକ ଗତ ୩ ମାସ ତଳେ ଦ୍ୱିତୀୟ ବିବାହ କରିଥିଲେ। ଗତ ସୋମବାର ଦିନ ଦ୍ବିତୀୟ ପତ୍ନୀ ବାପ ଘରକୁ ଯାଇଥିଲେ । ସେଠାରୁ ଫେରିବା ପରେ ଘର ଭିତର ପଟୁ ବନ୍ଦ ଥିବା ଜାଣି ପୋଲିସକୁ ଖବର ଦେଇଥିଲେ। ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ନୟାଗଡ଼ ଟାଉନ ଥାନା ପୋଲିସ ବିଳମ୍ବିତ ରାତିରେ ପହଞ୍ଚି ତାଲା ଭାଙ୍ଗି ଘରେ ପଶିଥିଲା। ବନ୍ଦ ଘରୁ ପୁଲକଙ୍କ ଝୁଲନ୍ତା ମୃତଦେହ ସହ ବେଡରେ ପଡ଼ି ରହିଥିବା ୫ବର୍ଷର ଝିଅର ମୃତଦେହ ଉଦ୍ଧାର କରାଯାଇଛି। ତେବେ ଏପରି ଚରମ ନିଷ୍ପତ୍ତି ନେବା ପଛର କାରଣ କ’ଣ ସେନେଇ ତଦନ୍ତ ଆରମ୍ଭ କରିଛି ପୋଲିସ୍। ପୁଲକଙ୍କ ଦ୍ୱିତୀୟ ପତ୍ନୀ ଓ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ଅଧିକ ତଦନ୍ତ ଚାଲିଛି । .