ପୁଅକୁ ସ୍କୁଲ ନେବା ହେଲା କାଳ: ଡମ୍ପର ଧକ୍କାରେ ବାପା ମୃତ, ପୁଅ ଗୁରୁତର

ନୀଳଗିରି : ପୁଅ ଆଗରେ ଚାଲିଗଲା ବାପାଙ୍କ ଜୀବନ । ଡମ୍ପର ଧକ୍କାରେ ବାପା ମୃତ, ପୁଅ ଗୁରୁତର । ମୃତକ ବାଲେଶ୍ବର ରେମୁଣା ମହାନ୍ତିପଡ଼ା ଗାଁର ମାନସ ପାଣିଗ୍ରାହୀ । ଆଜି ସକାଳେ ମାନସ ବାଇକରେ ତାଙ୍କ ପୁଅକୁ ସ୍କୁଲକୁ ନେବା ସମୟରେ ଜଗନ୍ନାଥପୁର ନିକଟରେ ଏକ ଡମ୍ପର ସହ ବାକର ମୁହାଁମୁହିଁ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକେ ବାପା ଓ ପୁଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମାନସଙ୍କୁ ମୃତ ଘୋଷଣା କରିଥିଲେ । ପୁଅର ଗୁରୁତର ଅବସ୍ଥାରେ ଚିକିତ୍ସା ଜାରି ରହିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।

ତେବେ ଘଟଣାସ୍ଥଳରେ ରେମୁଣା ପୋଲିସ ଓ ରେମୁଣା ତହସିଲଦାର ପହଞ୍ଚି ମୃତ ମାନସ ପାଣିଗ୍ରାହିଙ୍କୁ ରେଡକ୍ରସ ତରପରୁ ୨୦ ହଜାର ଟଙ୍କା ଓ ପୁଅ ଗୁରୁତର ଅବସ୍ଥାରେ ଥିବା ତାଙ୍କୁ ପାଞ୍ଚ ହଜାର ଟଙ୍କା ପ୍ରତିଶ୍ରୁତି ଦେଇ ରାସ୍ତା ଅବରୋଧ ହୋଟାଇଥିଲେ । ତେବେ ଏହି ରାସ୍ତା ଦେଇ ପ୍ରତିଦିନ ସହ ସହ ଚୋରା ବାଲି ଚାଲାଣ ହେଉଛି, ବାଲି ମାଫିଆ ମାନେ ସକ୍ରିୟ ହୋଇପଡିଛନ୍ତି  । ଏନେଇ ରେମୁଣା ତହସିଲଦାର ନିକଟରେ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ । ତେବେ ରେମୁଣା ତହସିଲଦାର ଘଟଣାକୁ ଗୁରୁତର ଭାବେ ନେଇ ଖୁବ୍ ଶୀଘ୍ର ଚୋରା ବାଲି ମାଫିଆଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।