ଭେଣ୍ଡିଆ ପୁଅର ମୃତ୍ୟୁ ପରେ ଛାତିକୁ ପଥର କରିଦେଲା ବାପା, ଆଖି ଦାନ କରି ସୃଷ୍ଟି କଲେ ଉଦାହରଣ

ଭୁବନେଶ୍ୱର (କେନ୍ୟୁଜ) : ବାପା ଧାନ ବାଡେଇଲଣି? ଧାନ ବାଡ଼ିଆ ପାଇଁ ଦୁଇଟା ମଜୁରିଆ କରିବ?  ତୁମେ ଗୋଟିଏ ମଜୁରିଆ ନେଇ କାମ କରିବନି । ଆଉ ହଁ ସେ ଘର ରଙ୍ଗ କାମ ସବୁ ସରିବା ଉପରେ। ଆଉ କଣ ଟିକେ ବାକି ଅଛି ମୁଁ ଗଲେ କରିବି । ଆଉ ଦୁଇ ମାସ ପରେ ବାହାଘର ,ଗଡରେଜ୍ ,ଟିଭି ଫ୍ରିଜ୍ ସବୁ ବଡ ବଡ ଜିନିଷ ତ କିଣା ସରିଛି । ଏବେ ଘରକୁ ଯାଇ ହେବନି । କାମ ପ୍ରେସର୍ ପଡୁଛି ,ମୁଁ ସୁବିଧା ଦେଖି ଯାଇ ପହଞ୍ଚିବି ।

ଗତ ଶନିବାର ଦିନ ବାପା ପୁଅ ଭିତରେ ବାସ୍ ଏତିକି କଥା ବାର୍ତ୍ତା।  ତାପରେ ପୁଅ ଆଉ ଫୋନ ଉଠାଇ ନଥିଲା । ଆଉ ତାପରେ ଶୁଣିବାକୁ ମିଳିଲା ଯାହା ପାଦ ତଳୁ ମାଟି ଖସିଯିବ। ବାପା ପୁଅର ଏହି କଥା କହୁ କହୁ ତାଙ୍କ କଣ୍ଠରୁଦ୍ଧ ହୋଇଆସିଲା । ଆଉ କିଛି କହିବା ପୂର୍ବରୁ ଭୋଭୋ ହୋଇ କାନ୍ଦି ପକାଇଥିଲେ । ଆଉ ବାହୁନି ବାହୁନି କାନ୍ଦି କହୁଥାନ୍ତି ଦୁଇଟା ପୁଅ ଭିନ୍ନ ହୋଇଗଲେ। ଏଇ ପୁଅ ପାଖରେ ଆମେ ବଞ୍ଚିଥିଲୁ ଆଉ ଏପୁଅ ଚାଲିଗଲା ଆମେ ବୁଢ଼ା ବୁଢ଼ୀ ଦୁଇ ଜଣ ବଞ୍ଚିକି ଆଉ ଲାଭ କଣ?

ଭେଣ୍ଡିଆ ପୁଅଟେ। ଏକ ନାମୀ କମ୍ପାନୀରେ ଇଞ୍ଜିନିୟର ଥିଲା। କଣ ହେଲା କେଜାଣି ଜୀବନ ହାରିଦେଲା। ଆଉ ଦୁଇମାସ ଥିଲା ବାହାଘର । ସବୁ କିଣା କିଣି ସରିଛି । ଘରଦ୍ୱାର ରଙ୍ଗକରି ଚକା ଚକ। ମୁଣ୍ଡରେ ମୁକୁଟ ପିନ୍ଧି ବେଦୀରେ ବସି ପୁଅ ବାହା ହୋଇଥାନ୍ତା । ହେଲେ ପୁଅ ଶବ ହୋଇ ଜୁଇରେ ଜଳିଲା । ଏଭଳି ଲୋମଟାଙ୍କୁର ଘଟଣା ଘଟିଛି ଭୁବନେଶ୍ବର ଇନଫୋସିଟି ଥାନା ଅଞ୍ଚଳରେ । ମୃତ ଯୁବକଙ୍କ ନାମ ଅଶୋକ ପାଣି। ଘର ଜଗତସିଂହପୁର ତାଳଦଣ୍ଡା ଥାନା -କୁଜଙ୍ଗ । ଦେଢ଼ ବର୍ଷ ହେଲା ପୁଅ ଆସି ଭୁବନେଶ୍ଵରସ୍ଥିତ ଇନଫୋସିଟି ଥାନା ଅଂଚଳରେ ଭଡାକୁ ରହି  ଇଲେକ୍ଟ୍ରୋନିକ ଇଂଜିନିୟର ଭାବେ କାମ କରୁଥିଲେ ।

eye

ଘଟଣାଦିନ ରାତିରେ ପରିବାର ଲୋକ ସମସ୍ତଙ୍କ ସହିତ ଭଲରେ କଥା ହୋଇଥିଲେ ଅଶୋକ । ରବିବାର ସକାଳେ ରହୁଥିବା ଭଡ଼ା ଘରୁ  ମିଳିଥିଲା ତାଙ୍କର ଝୁଲନ୍ତା ମୃତଦେହ । କମ୍ପାନୀରେ କାମ କରୁଥିବା ସହଯୋଗୀ ଅଶୋକଙ୍କ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାଇଥିଲେ । ପରିବାର ଲୋକ ଆସି ପହଂଚିଥିଲେ। ପୁଅକୁ ଏଭଳି ଝୁଲନ୍ତା ଅବସ୍ଥାରେ ପାଇବେ ସେମାନେ କେହି କେବେ କଳ୍ପନା କରିନଥିଲେ ।

ତେବେ ପରେ ଯାଇ ପରିବାର ଲୋକେ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପାରିବାର ଲୋକଙ୍କୁ ହସ୍ତନ୍ତର କରିଥିଲେ । ହେଲେ ସେ ବାପାର ଧୌର୍ଯ୍ୟକୁ ଆମେ ସଲାମ କରିବୁ କି ପୁଅର ଆଖିକୁ ଶେଷରେ ଦାନ କରିଥିଲେ, ଯେମିତି ତାଙ୍କ ପୁଅର ଆଖିରେ ଆଉ ଜଣେ ଦୁନିଆ ଦେଖିବ ବୋଲି । ଧନ୍ୟ ସେ ବାପାଙ୍କ ହୃଦୟକୁ । ଯାହାକୁ ସେ ପଥର କରି  ଅଫେରା ରାଇଜକୁ ଚାଲିଯାଇଥିବା ପୁଅର ଆଖିକୁ ଦାନ କରି ବିଶାଳ ଉଦାହରଣ ସୃଷ୍ଟି କଲେ।