ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପାକୁ ୨୫ ବର୍ଷ ଜେଲ
ଜଳେଶ୍ୱର : ନିଜ ଜନ୍ମ କଲା ଝିଅକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ କାମୁକ ବାପାକୁ କୋର୍ଟ ଶୁଣାଇଲେ ବଡ ଦଣ୍ତ । ମାମଲାର ବିଚାର କରି 90 ଦିନ ଭିତରେ କାମୁକ ବାପା ଫାଗୁ ମାରାଣ୍ଡିକୁ 25 ବର୍ଷ ଜେଲ ଦଣ୍ତ ସହ 5 ହଜାର ଟଙ୍କା ଜରିମାନାରେ ଦଣ୍ଡିତ କଲେ ବାଲେଶ୍ବର ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଜଜ୍ ରଞ୍ଜନ କୁମାର ସୁତାର ।
ଗତ ଅଗଷ୍ଟ 4 ତାରିଖରେ ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଜାମଶୁଳୀ ଗ୍ରାମରେ ଘଟିଥିଲା ଏହି ଅଭାବନୀୟ ଘଟଣା । ଜାମଶୁଳୀ ଗ୍ରାମର ଫଗୁ ମାରେଣ୍ତି ତାଙ୍କର 13 ବର୍ଷୀୟ ନାବାଳିକା ଝିଅକୁ ଦୁଷ୍କର୍ମ କରିଥିବା ନେଇ ଗତ ଅଗଷ୍ଟ 4 ତାରିଖରେ ସିଂଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ ନାବାଳିକାର ମା ମାହି ମାରେଣ୍ତି ।
ସିଂଲା ଥାନା ପୋଲିସ ଫଗୁ ମାରେଣ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ପୀଡିତାଙ୍କୁ 5 ଲକ୍ଷ ଟଙ୍କା ସହାୟତା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ କୋର୍ଟ ନିର୍ଦ୍ଦେଶ ଦେଇଛି । ଏହି ମାମଲାକୁ ସରକାରଙ୍କ ପକ୍ଷରୁ ପରିଚାଳନା କରିଥିଲେ ସ୍ପେଶାଲ ପିପି ପ୍ରଣବ କୁମାର ପଣ୍ଡା । ତେବେ ଆଜି କୋର୍ଟ ରାୟ ଶୁଣାଇବା ପରେ ଦୁଖଃରେ ଭାଙ୍ଗି ପଡିଛନ୍ତି ଫଗୁଙ୍କ ସ୍ତ୍ରୀ ମାହି ମାରେଣ୍ତି ।