ପୁଅର ମରଣାନ୍ତକ ଆକ୍ରମଣରେ ବାପ ଗୁରୁତର

ଯାଜପୁର: ବାପ-ପୁଅ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ପୁଅର ଆକ୍ରମଣରେ ମେଡିକାଲ ବେଡରେ ଜୀବନ ମରଣ ସହ ସଂଗ୍ରାମ କରୁଛି ବାପା। ଏହାର କାରଣ ଯାହା ହେଉନା କାହିଁକି ଏ କେମିତିକା ପୁଅ । ଯୋଉ ବାପା ମୁଣ୍ଡ ଝାଳ ତୁଣ୍ଡରେ ମାରି ମଣିଷ କଲା ଆଜି ସେହି ପୁଅ ବାପର ଜୀବନ ନେବାକୁ ବି ପଛାଇନି । ବୁଢ଼ା ବାପା ଉପରେ କରିଛି ମରଣାନ୍ତକ ଆକ୍ରମଣ । ସୌଭାଗ୍ୟକୁ ଅଳ୍ପକେ ସିନା ବାପାର ଜୀବନ ବଞ୍ଚିଯାଇଛି ହେଲେ ମେଡିକାଲରେ କ୍ଷତାକ୍ତ ଅବସ୍ଥାରେ ପଡ଼ିରହିଛନ୍ତି ।
ହଁ ଆଜ୍ଞା, ସତରେ ଆଜିର ଦୁନିଆରେ ବାପା ମା’ଙ୍କର ମୂଲ୍ୟ ବୁଝୁନାହାଁନ୍ତି ପିଲାମାନେ । ଯିଏ ଛୋଟରୁ ବଡ ଯାଏ ବଢ଼େଇ କୁଢ଼େଇ ଚାଲିବାଠୁ ଆରମ୍ଭ କରି ଏ ଦୁନିଆ ଦେଖାଇଛି ତାକୁ ଟିକେ ସ୍ନେହ, ଭଲପାଇବା, ଆଦର ଦେବା ତ ଦୁରର କଥା ସାମାନ୍ୟ ସ୍ୱାର୍ଥ ପାଇଁ ପାଲଟି ଯାଉଛନ୍ତି ହିଂସ୍ର । ପଶୁ ଠୁ ବି ସଇତାନ ପାଲଟିଯାଉଛନ୍ତି । ଯୋଉ ବାପା ଦିନ ରାତି ଏକ କରି ବିନା ସ୍ୱାର୍ଥରେ ପିଲାମାନଙ୍କ ପାଇଁ ନିଜ କର୍ତ୍ତବ୍ୟକୁ ଭଲଭାବେ ତୁଲାଇ ଆସିଥାଆନ୍ତି । କିନ୍ତୁ ଏମାନଙ୍କ ମୂଲ୍ୟ ବୁଝିପାରନ୍ତିନାହିଁ କିଛି କୁଳାଙ୍ଗାର ପୁଅ । ବେଳେ ବେଳେ ଏଇ ପୁଅ ଏମିତି କିଛି ଅଘଟଣ ଘଟାଇ ଦିଅନ୍ତି ଯାହା ପାଇଁ ବାପା ମାକୁ ଲଜ୍ଜିତ ହେବାକୁ ପଡ଼ିଥାଏ । ନିକଟରେ ଘଟିଥିବା ଏହି ଘଟଣା ଏହାର ଜ୍ବଳନ୍ତ ଉଦାହରଣ ।
ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ITBP କର୍ମଚାରୀଙ୍କ ତୁମୁଳ କାଣ୍ଡ । ITBP କର୍ମଚାରୀ ଭାବେ କାର୍ଯ୍ୟରତ ପୁଅର ମାରଣାସ୍ତ୍ରରେ ଅବସର ପ୍ରାପ୍ତ ପୋଲିସ ଏସଆଇ ବାପା ଗୁରୁତର । ଆହାତ ବାପା ହେଲେ ବିଞ୍ଝାରପୁର ବ୍ଲକ କଏଣା ରଘୁନାଥପୁର ଗ୍ରାମର ଅବସର ପ୍ରାପ୍ତ ପୋଲିସ ଅଧିକାରୀ ପାଣ୍ଡଵ ଚରଣ ଜେନା । ଆକ୍ରମଣର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣା ସ୍ଥଳରେ ବିଞ୍ଝାରପୁର ପୋଲିସ ପହଞ୍ଚି ଆହାତ ବ୍ୟକ୍ତିଙ୍କୁ ଯାଜପୁର ଚିକିତ୍ସାଳୟକୁ ପଠାଇବା ସହ ପୁଅକୁ ଗିରଫ କରିଛି । ଗିରଫ ପୁଅ ହେଲେ ITBP କର୍ମଚାରୀ ଲଷ୍ମୀକାନ୍ତ ଜେନା।
ଆଜି ମଧ୍ୟାହ୍ନରେ ଲକ୍ଷ୍ମୀକାନ୍ତ ଏକ ଧାରୁଆ ମାରଣାସ୍ତ୍ରରେ ନିଜ ବାପାଙ୍କୁ ଆକ୍ରମଣ କରିଥିଲେ। ବାପା କ୍ଷତାକ୍ତ ହୋଇ ପଡି ଯାଇଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ବିଂଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି । ଆନ୍ୟପଟେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସହ ସାଇଣ୍ଟିଫିକ ଟିମ ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କିଛିଦିନ ତଳେ ଗାଁର ଜନୈକ ମହିଳାଙ୍କୁ ମଧ୍ୟ ଲକ୍ଷ୍ମୀକାନ୍ତ ଆକ୍ରମଣ କରିଥିବା ବିଂଝାରପୁର ଥାନା ରେ ଅଭିଯୋଗ ହୋଇଥିଲା।