ନବରଙ୍ଗପୁର(କେନ୍ୟୁଜ୍): ବଦଳୁଛି ସମୟ, ବଦଳୁଛି ସମାଜ। ଏହାରି ଭିତରେ ଅନେକ ସକାରତ୍ମକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ନବରଙ୍ଗପୁର ଜିଲ୍ଲାରେ, ବିଧବା ବୋହୂର କନ୍ୟାଦାନ କଲେ ଶ୍ୱଶୂର। କୋଷାଗୁମୁଡା ବ୍ଲକ ଏକୋରୀ ପଞ୍ଚାୟତର ସମିତି ସଭ୍ୟ କୋମଳ ଲୋଚନ ମାଝୀ, ନିଜ ବିଧବା ବୋହୂର ପୁଣି ବିବାହ କରାଇଛନ୍ତି। କମଳଙ୍କ ପୁଅ ଲଳିତ ମାଝୀଙ୍କର ୭ ବର୍ଷ ତଳେ ନଇନାଙ୍କ ସହ ବିବାହ ହୋଇଥିଲା। ଉଭୟଙ୍କ ପୁଅଟିଏ ହୋଇଥିଲା। ପୁଅର ନାମକରଣ ଦିନ ହିଁ ଦୁର୍ଘଟଣା ଯୋଗୁଁ ଆରପାରିକୁ ଚାଲିଯାଇଥିଲେ ଲଳିତ । ଅଧାରେ ରହି ଯାଇଥିଲା ପୁଅର ନାମ କରଣ। କିନ୍ତୁ ନଇନା ଓ ନାତିର ଜୀବନକୁ ସଂପୂର୍ଣ୍ଣ କରିବାକୁ ଚିନ୍ତା କରିଥିଲେ କମଳ ଲୋଚନ। ଉଭୟଙ୍କ ଭବିଷ୍ୟତ ପାଇଁ କମଳ ଲୋଚନ ନିଜର ସମ୍ପର୍କୀୟ କହ୍ନେଇ ମାଝୀଙ୍କ ସହ ବୋହୂ ନଇନାର ବିବାହ କରାଇଛନ୍ତି। ନିଜ ଝିଅ ଭଳି କନ୍ୟାଦାନ କରିବା ସହ ୨ ଏକର ଜମି ଉପହାର ଦେଇଛନ୍ତି କମଳ ଲୋଚନ। କହ୍ନେଇ ମଧ୍ୟ ନଇନା ଓ ତାଙ୍କ ପୁଅକୁ ଗ୍ରହଣ କରିଛନ୍ତି। ଏ ଘଟଣାକୁ ନେଇ ନବରଙ୍ଗପୁର ଜିଲ୍ଲାରେ ଚର୍ଚ୍ଚା। ସମସ୍ତେ କମଳଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।