ବାପା ଚା’ ଦୋକାନୀ, ପୁଅ ଦଶମ ଶ୍ରେଣୀରେ ବ୍ଲକ ଟପ୍ପର

ସୋରଡା: ଖୁସିରେ ପୂରା ପରିବାର ମୁହଁରେ ଫୁଟୁଛି ହସ । ଖେଳିଯାଇଛି ଆନନ୍ଦର ଲହରୀ । ପୁଅ ଆମର ଦଶମ ଶ୍ରେଣୀରେ ପାସ୍ କରି ବ୍ଲକ ଟପ୍ପର ହୋଇଛି । ବାପାଙ୍କ ଛାତି ଗର୍ବରେ ଫୁଲି ଉଠୁଛି । ବାପାର ନାଁ ରଖିଛି ପୁଅ । ଗାଁ ଆଉ ପୂରା ପରିବାର ପାଇଁ ଗୌରବ ଆଣିଛି । ଗଞ୍ଜାମ ଜିଲ୍ଲା ସୋରଡା ଅଞ୍ଚଳର କ୍ରିଷ୍ଣା ଗନ୍ତାୟତ ଏ ବର୍ଷ ଦଶମ ପରୀକ୍ଷାରେ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇ ବ୍ଲକରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।
କଥାରେ କୁହାଯାଏ ଯେତେବେଳେ ମଲ୍ଲି ଫୁଲ ଫୁଟେ ତାର ବାସ୍ନା ସମସ୍ତଙ୍କୁ ଆକୃଷ୍ଟ କରିଥାଏ । ଠିକ ସେହିଭଳି କ୍ରିଷ୍ଣା ଦଶମ ଶ୍ରେଣୀରେ ପାସ୍ କରି ସ୍କୁଲ ଓ ଅଞ୍ଚଳର ସୁନାମ ଅର୍ଜନ କରିଛନ୍ତି । ସେ ମୋଟ ୬୦୦ ମାର୍କରୁ ୫୩୯ ନମ୍ବର ରଖି ଗୌରବ ଆଣିଛନ୍ତି । ସେଥିଲାଗି ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି ।
ସୋରଡାର ବହୁ ପୁରାତନ ସ୍କୁଲ ଶଶୀ ଭୂଷଣ ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ୁଥିଲେ କ୍ରିଷ୍ଣା । ତାଙ୍କ ବାପା ଜୟରାମ ଗନ୍ତାୟତ ଜଣେ ଚା ଦୋକାନୀ । ମା ମିକିରାଣୀ ଛୋଟ ମୋଟ କାମ କରି ପରିବାର ଚଳାଇବାରେ ସାହାଯ୍ୟ କରନ୍ତି । ଦାରିଦ୍ର୍ୟ ଭିତରେ ଜୟରାମଙ୍କ ଯୌଥ ପରିବାର ସଂଘର୍ଷ କରୁଛି । ପରିବାରରେ ଚାରି ଭାଇ ଏବଂ ସମସ୍ତଙ୍କ ପରିବାର ଓ ବୃଦ୍ଧା ମା’ଙ୍କୁ ନେଇ ଦୁଃଖକଷ୍ଟରେ ଚଳନ୍ତି । ଜୟରାମ କିଛି ଦିନ ତଳେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ କିନ୍ତୁ କମ୍ପାନୀ ବନ୍ଦ ହୋଇ ଯିବାରୁ ଏବେ ଘର ଆଗରେ ଚା’ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଅନ୍ୟ ଭାଇମାନେ କିଏ ପରିବା ଦୋକାନ ତ କିଏ ଅଟୋ ଚଳାଇ ଗୁଜୁରାଣ ମେଣ୍ଟାଇବାରେ ସାହାଯ୍ୟ କରୁଛନ୍ତି । ସେହି ପରିବାରରୁ ପଙ୍କ ଭିତରୁ ପଦ୍ମ ଫୁଲ ଫୁଟିଲା ଭଳି ବାହାରିଛନ୍ତି କ୍ରିଷ୍ଣା ।
ଦୁଃଖରେ ଥାଇ ମଧ୍ୟ ଜୟରାମ ଘର ଖଣ୍ଡିଏ ପାଇ ନାହାନ୍ତି କାରଣ ତାଙ୍କର ନିଜର ଜାଗା ନାହିଁ । ଯେଉଁ ଘରେ ରହୁଛନ୍ତି ତାହା ପୁଣି ଜାତୀୟ ରାଜପଥ କଡ଼ରେ । କେତେବେଳ ରାସ୍ତା ଚଉଡା ହେଲେ ଘର ପୁଣି ଚାଲିଯିବ । ଏପରି ଦୟନୀୟ ଅବସ୍ଥାରେ ମା ମିକିରାଣୀ ପୁଅକୁ ବହୁ ଦୁଖ କଷ୍ଟରେ ସରକାରୀ ସ୍କୁଲରେ ପାଠ ପଢାଇଥିଲେ । ତେବେ ପରିବାର କଷ୍ଟ ବୁଝିଛନ୍ତି କ୍ରିଷ୍ଣା । ସେଥିଲାଗି ଦିନକୁ ପ୍ରାୟ ୧୪ ଘଣ୍ଟା ପରିଶ୍ରମ କରି ଆଜି ସଫଳ ହୋଇଛନ୍ତି । । ଏଥିପାଇଁ ସେ ସ୍କୁଲ ଶିକ୍ଷକ,ଶିକ୍ଷୟିତ୍ରୀ, ବାପା ମା ଓ ପରିବାରକୁ ସମସ୍ତ ଶ୍ରେୟ ଦେଇଛନ୍ତି । କ୍ରିଷ୍ଣାଙ୍କ ଇଚ୍ଛା ରହିଛି ସେ +2 ରେ ସାଇନ୍ସ ପଢି ଡାକ୍ତର ହେବେ ।
ତେବେ ତାଙ୍କର ଇଚ୍ଛା ରହିଛି ସତ କିନ୍ତୁ ଇଚ୍ଛାଶକ୍ତି ଆଗରେ ହାର ମାନୁଛି ଅର୍ଥାଭାବ। ଚା ଦୋକାନୀର ପୁଅ କଣ ଡାକ୍ତର ହୋଇ ପାରିବ ? ଏତେ ଗୁଡାଏ ଟଙ୍କା ଆଣିବେ କେଉଁଠୁ ? କଣ କ୍ରିଷ୍ଣାଙ୍କ ସ୍ଵପ୍ନ କେବଳ ସ୍ଵପ୍ନରେ ରହିଯିବ ନା ସଫଳ ହେବ ? ତାଙ୍କ ସ୍ବପ୍ନ ସଫଳ ପାଇଁ ସରକାରଙ୍କ ଦୃଷ୍ଟି ପଡ଼ିବା ନିହାତି ଆବଶ୍ୟକ । ଏଥିରେ ସ୍ଥାନୀୟ ପ୍ରଶାସନ ସହଯୋଗ କରିବାକୁ ନିବେଦନ କରିଛନ୍ତି ଶିକ୍ଷକ ଓ ଗ୍ରାମବାସୀ । ନହେଲେ ବଣ ମଲ୍ଲୀ ବଣରେ ଫୁଟି ମଉଳି ଯିବ ।
Also Read:ମହଙ୍ଗା ପଡ଼ିଲା ପ୍ରେମ, ଘଟଣାର ତଦନ୍ତ ପାଇଁ ଚାଇଲ୍ଡ ହେଲ୍ପଲାଇନକୁ ନିର୍ଦ୍ଦେଶ