ମା କୋଳରୁ ଛଡାଇ ନେଇ ୨୦ ଦିନର ଶିଶୁକୁ ମାରିଦେଲା ବାପା, ଏବେ ଗିରଫ

ଶେଷରେ ଗିରଫ ହେଲା ପୁତ୍ରହନ୍ତା ବାପା । ନିଜ ନବଜାତ ଶିଶୁପୁତ୍ର କୁ ମା’ କୋଳରୁ ଛଡାଇ ନେଇ ୩ ଦିନ ପୂର୍ବରୁ କୁଆଡେ଼ ଫେରାର ହୋଇଯାଇଥିଲେ । ଏମିତି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଚକଲା ପଦର ପଞ୍ଚାୟତର ବାଘ ଡଙ୍ଗରି ଗ୍ରାମରେ । ଘଟଣା କ୍ରମରେ ବାଘଡଙ୍ଗରି ଗ୍ରାମର ବାସୁଦେବ ଯାନି ସେହି ଗ୍ରାମର କମାଇ ପୂଜାରୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ । ଶାରିରୀକ ସମ୍ପର୍କ ରଖିବା ପରେ କମାଇ ଗର୍ଭବତୀ ହୋଇଥିଲେ । ପରେ ଗାଁ ରେ ସମାଜ ବସି ବିବାହ କରିବାକୁ ନିଷ୍ପତ୍ତି ହୋଇଥିଲା । ବିବାହ ପରେ ଗତ ଜୁନ ମାସ ୧୦ ତାରିଖ ରେ କମାଇ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ । କିନ୍ତୁ ତାପରେ ବାସୁଦେବ ଓ କମାଇଙ୍କ ମଧ୍ୟରେ କ୍ରମାଗତ ଭାବର ଝଗଡ଼ା ଲାଗି ରହୁଥିଲା । ଶେଷରେ ଗତ ୨୯ ତାରିଖ ରାତି ପ୍ରାୟ ୭ଟା ସମୟରେ ବାସୁଦେବ ପତ୍ନୀ କୋଳରୁ ୨୦ ଦିନର ଶିଶୁ ପୁତ୍ରକୁ ଛଡାଇ ନେଇ କୁଆଡେ଼ ଫେରାର ହୋଇଗଲା ।

ରାତି ତମାମ କମାଇ ସ୍ଵାମୀକୁ ଅପେକ୍ଷା କରିଥିଲେ ସୁଦ୍ଧା ସ୍ଵାମୀ ଆଉ ଘରକୁ ଫେରି ଆସିଲେ ନାହିଁ । ପରେ ନିରାଶ ହୋଇ ଜୁନ୍ ୩୦ ତାରିଖ ରେ କମାଇ ଝରିଗାଁ ଥାନାରେ ଏକ ଏତଲା ଦେଇଥିଲେ । ଏତଲାକୁ ଭିତ୍ତି କରି ଝରିଗାଁ ଥାନା ଅଧିକାରୀ ଉଭୟ ବାସୁଦେବ ଓ ଶିଶୁପୁତ୍ରକୁ ଖୋଜା ଖୋଜି କରିଥିଲେ । ବହୁ ଖୋଜିବା ପରେ ଆଜି ବାସୁଦେବ ମିଳିଥିଲେ ଏବଂ ତାଙ୍କୁ ପାଇବା ପରେ ପୋଲିସ ଶିଶୁପୁତ୍ର ବିଷୟରେ ପଚରା ଉଚରା କରିଥିଲା । ନିଜ ଶିଶୁପୁତ୍ରକୁ ବାସୁଦେବ ତଣ୍ଟି ଚିପି ମାରିଦେଇ ନିକଟସ୍ଥ ଏକ କେନାଲରେ ଫୋପାଡି ଦେଇଥିବା କହିଥିଲା । ଝରିଗାଁ ପୋଲିସ ଘଟାସ୍ଥଳରେ ପହଞ୍ଚି ଶିଶୁପୁତ୍ରର ଶବ କୁ ଉଦ୍ଧାର କରିବା ସହ ପୁତ୍ରହନ୍ତା ବାପା ବାସୁଦେବଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.