ଶେଷରେ ହତ୍ୟା ଘଟଣାରେ ରୂପାନ୍ତରିତ ହେଲା ଅପମୃତ୍ୟୁ ମାମଲା ଅଭିଯୋଗ, ବ୍ୟବଚ୍ଛେଦ ରିପୋର୍ଟ ଖୋଲିଲା ଗୁମର

ସତ କେବେ ଲୁଚି ରହେନା । ଗୁମର ଖୋଲିଲା ବ୍ୟବଚ୍ଛେଦ ରିପୋର୍ଟ । ଏକ ଅପ ମୃତ୍ୟୁ ମାମଲା ଅଭିଯୋଗ ଶେଷରେ ହତ୍ୟା ଘଟଣାରେ ରୂପାନ୍ତରିତ ହୋଇଛି । ବ୍ୟବଚ୍ଛେଦ ରିପୋର୍ଟରୁ ସବୁ ସତ ସାମ୍ନାକୁ ଆସିଛି । ବାପା ନିଜର ପୁଅକୁ ଓ ଭାଈ ନିଜର ଭାଇକୁ ମାରିଥିଲେ । କିନ୍ତୁ ପୁଅ ଜୀବନ ହାରିଥିବା କହି ପୋଲିସକୁ ଭୂଆଁ ବୁଲାଉଥିଲେ । ପୁଅର ଜୀବନ ନେବା ପରେ ଖୁଲମଖୁଲା ବୁଲୁଥିଲେ ହତ୍ୟାକାରୀ ବାପା ଓ ଦୁଇ ଭାଇ । କିନ୍ତୁ ସେମାନଙ୍କ ଅସଲି କାରନାମା ଉପରୁ ପରଦା ଉଠାଇ ଗିରଫ୍ କରି କୋର୍ଟ ଚାଲାଣ କରିଛି ତିଗିରିଆ ପୋଲିସ୍ ।
ଗିରଫ୍ ଅଭିଯୁକ୍ତମାନେ ହେଲେ ତିଗିରିଆ ଥାନା ଅନ୍ତର୍ଗତ ସୋମପଡ଼ା ଗାଁର ମୃତକର ବାପା ସୁରେଶ ସାହୁ ଏବଂ ଦୁଇ ଭାଈ ପ୍ରଶାନ୍ତ କୁମାର ସାହୁ ଓ ପର୍ଶୁରାମ ସାହୁ । ସୂଚନା ଥାଉ କି ଗତ ୨୦୨୩ ମସିହା ନଭେମ୍ବର ୨୦ ତାରିଖରେ ତିଗିରିଆ ଥାନା ଅନ୍ତର୍ଗତ ସୋମପଡା ଗାଁରେ ଜଣେ ଯୁବକଙ୍କ ମୃତଦେହ ମିଳିଥିଲା । ଯୁବକ ଜୀବନ ହାରିଥିବା ନେଇ ପରିବାର ଲୋକ ସ୍ଥାନୀୟ ପୋଲିସକୁ ସୂଚନା ଦେଇଥିଲେ । ମୃତକ ଜଣଙ୍କ ହେଲେ ଅଭିଯୁକ୍ତ ବାପା ସୁରେଶ ସାହୁଙ୍କ ୨୫ ବର୍ଷୀୟ ପୁଅ ଗୋପବନ୍ଧୁ ସାହୁ । ଶୋଇବା ଘରେ ଗୋପବନ୍ଧୁଙ୍କୁ ମୃତ ଅବସ୍ଥାରେ ଦେଖି ପ୍ରଥମେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ, ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଯୁବକ ବିବାହିତ ଥିବାବେଳେ ନିକଟସ୍ଥ କଲରାଗଡ଼ ଛକରେ ଗୁପଚୁପ ବ୍ୟବସାୟ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ତେବେ ପୋଲିସ୍ ପରିବାର ଲୋକଙ୍କ ସୂଚନା ଅନୁଯାୟୀ ଘଟଣାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଥିଲା ।
ତେବେ ଘଟଣାକୁ ପୋଲିସ ସନ୍ଦେହଜନକ ମନେକରି ତଦନ୍ତ ଜାରି ରଖିଥିବାବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ଗୋପବନ୍ଧୁ ଜୀବନ ହାରିନଥିଲେ ଆଜ୍ଞା ତାଙ୍କର ମୃତ୍ୟୁ ଅତ୍ୟଧିକ ମାଡ ମାରିବା ଯୋଗୁ ହୋଇଥିଲା ବୋଲି ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି । କହି ରଖୁଛୁ ଗୋପବନ୍ଧୁ ଘରକୁ ପଇସା ଦେଉନଥିବାରୁ ଘରେ କଳି ଝଗଡ଼ା ଲାଗି ରହୁଥିଲା । ଆଉ ଶେଷରେ ପାରିବାରିକ କଳହ ଏତେ ଉଗ୍ର ରୂପ ନେଲା ଯେ ବାପ ଓ ଭାଇ ଗୋପବନ୍ଧୁଙ୍କ ଜୀବନ ନେଇଗଲେ । ତେବେ ପୋଲିସ୍ ନିଜ ତରଫରୁ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ।