ମତ୍ସ୍ୟଚାଷ କରି ସ୍ୱାବଲମ୍ବୀ ହେବା ସହିତ ପୁରସ୍କୃତ ହେଲେ ମହିଳା ଚାଷୀ, ସାଉଣ୍ଟୁଛନ୍ତି ପ୍ରଶଂସା

ଦିନେ ଚୁଲି ମୁଣ୍ଡରେ ସମୟ ବିତାଉଥିବା ମହିଳା ଆଜି ହୋଇପାରିଛନ୍ତି ସ୍ୱାବଲମ୍ବୀ । ନିଜ ଘରକୁ ଚଳାଇବା ସହ ହୋଇପାରୁଛନ୍ତି ରୋଜଗାରକ୍ଷମ । ଅନ୍ୟ ମହିଳାମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ । ନିଜେ ସ୍ୱାବଲମ୍ବୀ ହେବା ସହ ପରିବାର ପାଇଁ ସାହାରା ହୋଇପାରିଛନ୍ତି । ନିଜର ଉଦ୍ୟମ ବଳରେ ଆଜି ଅନ୍ୟ ମହିଳାଙ୍କ ପାଇଁ ହୋଇପାରିଛନ୍ତି ପ୍ରେରଣାର ଉତ୍ସ ।
କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ପିପୋଲପଦର ପଞ୍ଚାୟତର ପିପୋଲପଦର ଗାଁର ସାବିତ୍ରୀ ମତ୍ସ୍ୟଚାଷ କରି ସ୍ୱାବଲମ୍ବୀ ହେବା ସହିତ ଆଞ୍ଚଳିକ କୃଷି ମେଳାରେ ପୁରସ୍କୃତ ହୋଇଛନ୍ତି । ପିପୋଲପଦର ଗାଁର ଲମ୍ବଧର ମାଣ୍ଡିଙ୍ଗାଙ୍କ ସାନ ଝିଅ ସାବିତ୍ରୀ ମାଣ୍ଡିଙ୍ଗା । ପରିବାର କହିଲେ ପାଞ୍ଚ ଭଉଣୀ ଓ ଗୋଟିଏ ଭାଇ ଓ ବାପା ମା’ ଅଛନ୍ତି । ଭଉଣୀମାନେ ସମସ୍ତେ ବାହାହୋଇ ସାରିଲେଣି । କିନ୍ତୁ ସାବିତ୍ରୀ ବାପା ଓ ବଡ଼ ଭାଇଙ୍କୁ ଚାଷ କାମରେ ସାହାଯ୍ୟ କରୁଥିଲେ । ସାବିତ୍ରୀ ଚାକିରୀ କରିବା ସହିତ ସମୟ ମିଳିଲେ ବାପା ଓ ଭାଇଙ୍କୁ ଚାଷ କାମରେ ସାହାଯ୍ୟ କରୁଥିଲେ । ସାବିତ୍ରୀଙ୍କ ବାପା ପ୍ରଥମେ ନିଜସ୍ୱ ଟଙ୍କାରେ ଏକ ଚେକ୍ ଡ୍ୟାମ ନିର୍ମାଣ କରି ଧାନ ଚାଷ କରୁଥିଲେ ।
କିନ୍ତୁ ସାବିତ୍ରୀ ନିଜ ବୁଦ୍ଧି ଲଗେଇ ମାଛ ଚାଷ କରିବା ପାଇଁ ମନ ବଳେଇ ଥିଲେ । ଏବଂ ଦୁଇ ବର୍ଷ ତଳେ ସରକାର ପକ୍ଷରୁ ଏକ ପୋଖରୀ ନିର୍ମାଣ କରି ପନ୍ଦର ହଜାର ଟଙ୍କାର ମାଛ ଯାଆଁଳ ଛାଡିଥିଲେ । ବର୍ଷକ ପରେ ସେ ମାଛ ବିକ୍ରି କରି ୨୦ ରୁ ୩୦ ହଜାର ଟଙ୍କା ଲାଭ ପାଉଛନ୍ତି । ସେହିପରି କୁକୁଡ଼ା ଚାଷ କରି ମଧ୍ୟ ସେ ଲାଭ ପାଉଥିବା କହିଛନ୍ତି । ଅନ୍ୟପଟେ ବିଭିନ୍ନ ପ୍ରକାର ପନିପରିବା, ସୂର୍ଯ୍ୟମୁଖୀ, ଆଳୁ, ମକା, ଭେଣ୍ଡି ଚାଷ କରିଛନ୍ତି । ଆମ୍ବ, ଲିଚୁ, ନଡ଼ିଆ ଗଛ ମଧ୍ୟ ଲଗେଇଛନ୍ତି । ଆଗକୁ ଆଉ ଗୋଟିଏ ପୋଖରୀ କରି ଅଧିକ ମାଛ ଚାଷ କରିବାକୁ ଇଚ୍ଛା ରଖିଛନ୍ତି ସାବିତ୍ରୀ ।
ତେବେ ସରକାର ପକ୍ଷରୁ ଯଦି ସହଯୋଗ ମିଳିବ ସେ ଆହୁରି ଆଗକୁ ବଢ଼ିପାରିବେ ବୋଲି କହିଛନ୍ତି । ମହିଳା ହୋଇ ନିଜେ ଟ୍ରାକ୍ଟର ଚଳେଇ ଜମିରେ ଚାଷ କରନ୍ତି । ମହିଳାଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି ସେ ।
ସଫଳ ମତ୍ସ୍ୟଚାଷୀ ଭାବରେ ଜୟପୁର ଠାରେ ଆୟୋଜିତ ହୋଇଥିବା ଆଞ୍ଚଳିକ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ୨୦୨୪-୨୦୨୫ରେ ପୁରସ୍କୃତ ସାବିତ୍ରୀ ହୋଇଥିଲେ । ସରକାରଙ୍କ ସାହାଯ୍ୟକୁ ଆପଣାଇ ସମସ୍ତ ମହିଳା ସ୍ୱାବଲମ୍ବୀ ହୋଇପାରିବେ ବୋଲି କହିଛନ୍ତି ସାବିତ୍ରୀ । ତେବେ ନିଜର ଉଦ୍ୟମ ଓ ମନୋବଳ ଯୋଗୁ ସାବିତ୍ରୀ ଆଜି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି ।
Also Read: ସ୍ୱାବଲମ୍ବୀ କରିଛି ତରଭୁଜ ଚାଷ, ବିଦେଶୀ ତରଭୁଜ ଚାଷ କରି ବେଶ ଚର୍ଚ୍ଚାରେ ସ୍ୱରୂପ