ସ୍କୁଲ ହଷ୍ଟେଲରୁ ୧୫ ଛାତ୍ର ଫେରାର୍, ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କଲେ ବିଇଓ

ସହିପାରିଲେନି ୱାଡେନଙ୍କ ଅତ୍ୟାଚାର । ତେଣୁ ରାତିଅଧରେ ହଷ୍ଟେଲରୁ ମାରିଲେ ଫେରାର୍ । ବାରମ୍ବାର ଅଭିଯୋଗ ପରେ ବି ଛାତ୍ରାବାସରେ ସୁଧାର ଆସିଲାନି । ତେଣୁ ବାଧ୍ୟ ହୋଇ ଛାତ୍ରାବାସ ଛାଡ଼ିବାକୁ ନିଷ୍ପତ୍ତି ନେଲେ ୧୫ ଜଣ ନାବାଳକ ସ୍କୁଲ୍ ଛାତ୍ର । ଆଉ ରାତି ୧୧ ଟାରେ ହଷ୍ଟେଲରୁ ଫେରାର ମାରିଥିଲେ ଏହି କୁନି କୁନି ଛାତ୍ର । ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ ଜିଲ୍ଲା ବଣାଇ ବ୍ଲକ ସିହିଡିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ତେବେ ଏ ଘଟଣା ପ୍ରଥମ ନୁହେଁ ଏକ ମାସ ପୂର୍ବରୁ ସେହି ଛାତ୍ରାବାସର ୩ ଜଣ ଛାତ୍ର ଫେରାର ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରିଥିଲେ ଗ୍ରାମବାସୀ ।
ସୂଚନା ଅନୁସାରେ ସିହିଡିହା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ୪୦ ଶଯ୍ୟା ବିଶିଷ୍ଟ ଛାତ୍ରାବାସ ରହିଛି । ଯେଉଁଠାରେ ବର୍ତ୍ତମାନ ୩୭ ଜଣ ଛାତ୍ର ରହି ପଢୁଛନ୍ତି । ମଙ୍ଗଳବାର ରାତି ପ୍ରାୟ ୧୧ଟା ସମୟରେ ବିଦ୍ୟାଳୟର ୧୫ ଜଣ ଛାତ୍ର ଛାତ୍ରାବାସ ଛାଡ଼ି ପଳାଇ ଯାଇଥିବା ଜାଣିବାକୁ ପାଇଥିଲେ ରୋଷେୟା ତଥା ଜଗୁଆଳି ଅମିତ । ଏନେଇ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଖବର ଦେବାପରେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ସେମାନଙ୍କୁ ପାଇନଥିଲେ ।
ଅନ୍ୟପକ୍ଷରେ ଛାତ୍ରମାନେ ରାତିରେ ଚାଲିଚାଲି ବାରକୋଟ ଅଭିମୁଖେ ଯାଉଥିବାବେଳେ ଆମ୍ବ ଗାଁ ନିକଟରେ ଜଣେ ବ୍ୟକ୍ତି ଦେଖି ବାରକୋଟ ପୋଲିସକୁ ଖବର ଦେଇଥିଲେ । ଖବରପାଇ ବାରକୋଟର ପୁଲିସ ପାଟ୍ରୋଲିଂ ଦଳ ସେମାନଙ୍କୁ ଉଦ୍ଧାର କରିଥିଲା । ପରେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଖବର ଦେବାପରେ ସେମାନେ ଆସି ପିଲାମାନଙ୍କୁ ଛାତ୍ରାବାସକୁ ଫେରାଇ ଆଣିଥିଲେ । ତେବେ ଏହାପରେ ହଷ୍ଟେଲରେ ରହୁଥିବା ଛାତ୍ରମାନେ ଅଭିଯୋଗ କରିଥିଲେ ଯେ ଛାତ୍ରାବାସରେ ୱାଡେନ୍ ଅମିତ ତାଙ୍କୁ ସବୁଦିନେ ମଶାରୀ ବାଡିରେ ବାଡ଼ଉଥିଲେ ।
ଆଉ ଏକଥା ପରିବାର ଲୋକଙ୍କୁ ଜଣାଇଲେ ଆହୁରି ମାଡ଼ ଖାଇବ ବୋଲି ଧମକ ଦେଇ ଭୟଭୀତ କରି ରଖିଥିଲେ । ଏହା ସହ ସକାଳେ ଜଳଖିଆରେ ୫ ଟଙ୍କା ବିସ୍କୁଟ ଦୁଇ ଜଣଙ୍କୁ ଭାଗ କରି ଦେବା ସହିତ ଖାଇବାରେ ବହୁତ ଅବହେଳା କରୁଥିଲେ ବୋଲି କାନ୍ଦି କାନ୍ଦି କହିଥିଲେ । ତେବେ ଏନେଇ ଆମେ ଦାୟିତ୍ଵରେ ଥିବା ପ୍ରଧାନ ଶିକ୍ଷୟତ୍ରୀଙ୍କୁ ପଚାରିବାରୁ ଆମ ପାଖକୁ ଛାତ୍ରଙ୍କୁ ବାଡେଇବା କିମ୍ବା ଖାଇବା ସମ୍ବନ୍ଧୀୟ କୌଣସି ଅଭିଯୋଗ ଆସିନି ବୋଲି କହିଥିଲେ ।
ଆଉ ଯଦି ସ୍କୁଲରେ ସବୁ ଠିକ୍ ଚାଲିଛି, ତା’ହେଲେ କେଉଁ କାରଣରୁ ଛାତ୍ରମାନେ ଅଧରାତିରେ ପଳାଇଗଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୧୫ ଜଣ ଛାତ୍ର ଥାନାରୁ ଆସିଲା ପରେ ବଣାଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ଛାତ୍ରଙ୍କୁ ପଚାରିବାରୁ ଛାତ୍ରମାନେ କ୍ଷୀଣ ସ୍ଵରରେ ଡରି ଡରି ୱାଡେନ୍ ପ୍ରତ୍ୟେକ ରାତିରେ ବାଡେଇବା ଘଟଣା ବିସ୍ତୃତ ଭାବେ ପ୍ରକାଶ କରିଥିଲେ । ସ୍କୁଲ୍ କମିଟି ଓ ଅଧିକାରୀ ଏକତ୍ରିତ ଏକ ମିଟିଂ ବସି ଅଧିକ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଥିଲେ ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥାହେଲା ବହୁଦିନ ହେବ ଏହି ଅଞ୍ଚଳରେ ହାତୀ ଉପଦ୍ରବ ଚାଲିଥିବା ବେଳେ ଏହି ୧୫ ଜଣ ଛାତ୍ର ରାତି ୧୧ ଟାରେ ଜଙ୍ଗଲ ରାସ୍ତାଦେଇ ଚାଲିଚାଲି ବାରକୋଟ ଯାଉଥିଲେ । ଏହା ଚିନ୍ତାର କାରଣ ହୋଇଥିବାବେଳେ ଭବିଷ୍ୟତରେ କୌଣସି ଅଘଟଣ ଘଟିଲେ ସେଥିପାଇଁ କିଏ ଦାୟୀ ହେବ? ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଦାବି ହୋଇଥିଲା । ତେବେ ଆଜି ଏହି ଘଟଣାର ତଦନ୍ତ ପରେ କାର୍ଯ୍ୟର ଅବହେଳାକୁ ନେଇ ଆଜି ବଣାଇ ବିଇଓ ସୁନୀଲ ମୁଣ୍ଡ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦ୍ରୌପଦୀ ସାହୁଙ୍କୁ ନିଲମ୍ବିତ କରିଛନ୍ତି ।