ମହୁଲ ମାଫିଆଙ୍କ ଦାଦାଗିରି : ଫିଲ୍ମ ଷ୍ଟାଇଲରେ ଅଧିକାରୀଙ୍କ ସାମ୍ନାରେ ଜବତ ଗାଡିକୁ ଛଡାଇ ନେଲେ

ଉଦଳା:  ମହୁଲ ମାଫିଆଙ୍କ ଦାଦାଗିରି । ଫିଲ୍ମ ଷ୍ଟାଇଲରେ ଅଧିକାରୀଙ୍କ ସାମ୍ନାରେ ଜବତ ଗାଡିକୁ ଛଡାଇ ନେଲେ । ପ୍ରଥମେ ରାସ୍ତାରେ ଜବତ ଗାଡିକୁ ଅଟକାଇଲେ, ଡ୍ରାଇଭରଙ୍କୁ ମାଡ଼ ମାରି ଓହ୍ଲାଇ ଦେଲେ । ପରେ ଗାଡିରେ ବସିଥିବା ମହିଳା ଅଧିକାରୀଙ୍କୁ ସାଙ୍ଗରେ ନେଇ ଘର ପାଖରେ ଗାଡ଼ିରୁ ଜବତ ମହୁଲ ଅନଲୋଡ କଲେ । ଏହା ପରେ ଅଧିକାରୀଙ୍କ ସାମ୍ନାରେ ଗାଡିକୁ ଖସାଇ ଦେଲେ ମାଫିଆ । ଏଭଳି ଘଟଣା ଘଟିଛି ଉଦଳା କପ୍ତିପଦା ଥାନା ଜାରଡା ଗାଁରେ ।

ବେଆଇନ ଭାବେ ବିପୁଳ ପରିମାଣର ମହୁଲ ଚାଲାଣ ହେଉଥିବା ଖବର ପାଇ ଉଦଳା ଅବକାରୀ ବିଭାଗ କପ୍ତିପଦାରେ ଚଢ଼ାଉ କରିଥିଲା । କପ୍ତିପଦା ଛକ ନିକଟରେ ମହୁଲ ବୋଝେଇ ପିକଅପକୁ ଜବତ କରିଥିବା ବେଳେ ଗାଡ଼ିରେ ଥିବା ୪ ଜଣଙ୍କୁ ଅବକାରୀ ବିଭାଗ ଗିରଫ କରିଥିଲା । ଅବକାରୀ ସବଇନ୍ସପେକ୍ଟର ଶୁଭଦର୍ଶିନୀ ସାହୁ ମହୁଲ ବୋଝେଇ ପିକଅପ ଜବତ କରିବା ପରେ ଉକ୍ତ ଗାଡିକୁ ଉଦଳା କାର୍ଯ୍ୟାଳୟ ଆଣୁଥିଲେ । ହେଲେ ଉଦଳା – ବାରିପଦା ରାଜ୍ୟ ରାଜପଥ ଜାରଡା ଛକ ନିକଟରେ ଅଭିଯୁକ୍ତ ବାବୁଲି ପ୍ରଧାନ ସହଯୋଗୀଙ୍କ ସହ ପହଞ୍ଚି ବିଚ ରାସ୍ତାରେ ଜବତ ଗାଡିକୁ ଅଟକାଇବା ସହିତ ଗାଡିର ଡ୍ରାଇଭରକୁ ମାଡ଼ ମାରି ଗାଡିରୁ ବାହାର କରି ଦେଇଥିଲେ ।

ପରେ ନିଜେ ଜବତ ଗାଡିକୁ ନିଜ ଘରକୁ ନେଇ ଯାଇଥିଲେ । ଏପରିକି ଉକ୍ତ ଗାଡ଼ିରେ ମହିଳା ସବଇନ୍ସପେକ୍ଟର ମଧ୍ୟ ରହିଥିଲେ । ପରେ ମହିଳା ଅଧିକାରୀଙ୍କ ସାମ୍ନାରେ ଜବତ ୧୬ କୁଇଣ୍ଟାଲ ମହୁଲକୁ ଅନଲୋଡ଼ କରି ପିକଅପ ଭ୍ୟାନକୁ ଖସାଇ ଦେଇଥିଲେ । ପରେ ଖବର ପାଇ ପୋଲିସ ୪ ଜଣଙ୍କୁ ଗିରଫ କରିଛି । ସେପଟେ ଫେରାର ଅଛି ମୁଖ୍ୟ ଅଭିଯୁକ୍ତ ବାବୁଲି ପ୍ରଧାନ । ଜବତ ମହୁଲର ମୂଲ୍ୟ ୫୦ ହଜାର ଟଙ୍କା ହେବ।

 

ଆହୁରି ପଢ଼ନ୍ତୁ : ମାଟି ଚୋରିକୁ ବିରୋଧ କରିବାରୁ ଆକ୍ରମଣ ,୩ ଯୁବକ ଗୁରୁତର