କିସ୍ତି ଟଙ୍କା ମାଗିବାରୁ ଫାଇନାନ୍ସ କର୍ମଚାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା !
ବାଂଶପାଳ: ଚାଞ୍ଚଲ୍ୟ ! ଛାତିଥରା ଘଟଣା । ଯିଏ ଶୁଣିବ ଚକିତ ହେବ । ସତରେ ଏତେ ତଳକୁ ଖସିପାରେ ମଣିଷ । ଯେମିତି ଶ୍ରଦ୍ଧା, ସହାନୁଭୂତି, ଭଲପାଇବା ଆଉ ଲୋକମାନଙ୍କ ପାଖରେ ନାହିଁ । ଧିରେ ଧିରେ ପଶୁ ପାଲଟିଗଲାଣି ଏ ମଣିଷ ଜାତି । କଥା କଥାରେ ଜୀବନ ନେବା ଭଳି ସ୍ଥିତି । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ବାଂଶପାଳରେ ।
ଜଣେ ଫାଇନାନ୍ସ କର୍ମଚାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ! ବାଇକ୍ ଋଣ କିସ୍ତି ଆଦାୟ କରିବାକୁ ଯାଇ ବାଇକ୍ ରେ ଫେରିବା ବେଳେ, ବୋଲେରୋ ଚଢ଼ାଇ ହତ୍ୟା କରାଯାଇଥିବା ନେଇ ଆସିଛି ସାଙ୍ଘାତିକ ଅଭିଯୋଗ । ଅଭିଯୋଗ ମୁତାବକ, କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ ନୟାକୋଟ ଥାନା ଲୁହାକଳା ରଙ୍ଗମାଟିଆ ସାହିର ରାମସିଂ ମୁଣ୍ଡା ଘଟାଇଛି ଏକ ଜଘନ୍ୟ କାଣ୍ଡ । ତେବେ ମୃତକ ହେଉଛନ୍ତି ସଦର ଥାନା ବନେଇକଳାର ବୁବୁ ମହାନ୍ତ । ୨ବର୍ଷ ତଳେ ବିବାହ କରିଥିଲେ ବୁବୁ । କେତେ ସ୍ୱପ୍ନ କେତେ ଆଶା ବାନ୍ଧିଥିଲେ । ଫାଇନାନ୍ସ କମ୍ପାନୀରେ କାମ କରି ଦିପଇସା ରୋଜଗାର କରି ପରିବାର ଚଳାଉଥିଲେ । ହେଲେ ଏମିତି ନିଜ କାମ କରୁ କରୁ ତାଙ୍କୁ ନିଜର ଜୀବନ ଦେବାକୁ ପଡିବ ସେ କେବେ କଳ୍ପନାରେ ସୁଦ୍ଧା ଭାବିନଥିଲେ ।
ତେବେ ପୋଲିସର ସୂଚନା ଅନୁଯାୟୀ, କୁଆଡେ ରାମସିଂ ମୁଣ୍ଡା ଫାଇନାନ୍ସରେ ଏକ ବାଇକ୍ କିଣିଥିଲା । ଏହାର ୪ଟି ଋଣ କିସ୍ତି ଖିଲାପ କରିବା ପରେ ଗତକାଲି ଫାଇନାନ୍ସ କମ୍ପାନୀର କର୍ମଚାରୀ ବୁବୁ ଏବଂ ଆଉ ଜଣେ ମିଶି ଟଙ୍କା ଆଦାୟ ପାଇଁ ରାମସିଂ ମୁଣ୍ଡାଙ୍କ ଘରକୁ ଯାଇଥିଲେ । ଟଙ୍କା ଆଦାୟକୁ ନେଇ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଫାଇନାନ୍ସ କର୍ମଚାରୀ ବାଇକ୍ ରେ ଫେରିବା ବାଟରେ ରାମସିଂ ମୁଣ୍ଡା ଉତ୍ୟକ୍ତ ହୋଇ ଏକ ବୋଲେରୋ ରେ ସେମାନଙ୍କ ପିଛା କରି ଗାଁଠାରୁ କିଛି ଦୂରରେ ଶୁକ୍ରାସାହି ଠାରେ ବାଇକ୍ କୁ ଧକ୍କା ଦେଇଥିଲା । ଫଳରେ ବୁବୁ ମହାନ୍ତଙ୍କର ମୃତ୍ୟୁ ଘଟିଥିଲା । ତେବେ ବୁବୁଙ୍କ ସହ ଥିବା ଅନ୍ୟ କର୍ମଚାରୀ ସାମାନ୍ୟ ଆହାତ ହୋଇଥିବା ଜଣାପଡିଛି ।
ଏପଟେ ଘଟଣାପରେ ପୋଲିସ୍ ପହଞ୍ଚି ବୁବୁଙ୍କ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଇଛି । ଅଭିଯୋଗକୁ ଆଧାର କରି ରାମସିଂ ମୁଣ୍ଡାକୁ ଥାନାରେ ଅଟକ କରି ପଚରାଉଚରା କରୁଛି ପୋଲିସ୍ । ତେବେ ପୋଲିସ୍ ର ତଦନ୍ତ ପରେ ପ୍ରକୃତ ଘଟଣା କଣ ତାହା ସାମ୍ନାକୁ ଆସିବ । ତେବେ ଏହି ଘଟଣାରେ ଏଯାଏ କାହାର ପ୍ରତିକ୍ରିୟା ମିଳିପାରିନାହିଁ ।
ତେବେ ଦର୍ଶକବନ୍ଧୁ ହି ଘଟଣା ଯଦି ସତ, ତେବେ ଭାବିଲେ ଏହା କେତେ ଭୟଙ୍କର ଘଟଣା । ଏମିତି କିଏ କଣ କାହାର ଜୀବନ ନେଇଯିବାଟା ଠିକ୍ । ବୁବୁ ତ ଯାଇଥିଲେ ନିଜ କର୍ମ କରିବାକୁ, ହେଲେ ତାଙ୍କୁ ଏମିତି ଜୀବନ ଦେବାକୁ ପଡିଲା? ଏବେ ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇ ପରିବାର ଲୋକେ ହତବାକ୍ । ତୁରନ୍ତ ଏଦିଗରେ ଉଚିତ୍ ତଦନ୍ତ କରାଯାଇ ଦୋଷୀକୁ କଠୋର ଦଣ୍ଡ ଦେବା ସହ ବୁବୁଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି ।