ଫାଇନାନ୍ସ ସଂସ୍ଥାର ବ୍ରାଞ୍ଚ ମ୍ୟାନେଜରଙ୍କ ଦାଦାଗିରି, ଜଣେ ମହିଳା କିସ୍ତି ଦେଇ ନ ପାରିବାରୁ ମରଣାନ୍ତକ ଆକ୍ରମଣ

ବାଲିଗୁଡା : ମାସିକ କିସ୍ତି ଟଙ୍କା ଆଦାୟ ନାଁରେ ଫାଇନାନ୍ସ ସଂସ୍ଥାର ବ୍ରାଞ୍ଚ ମ୍ୟାନେଜରଙ୍କ ଦବଙ୍ଗଗିରି ।  ଗ୍ରୁପ ଲୋନ ର କିସ୍ତି ଟଙ୍କା ଜଣେ ମହିଳା ଦେଇ ନ ପାରିବାରୁ ତାଙ୍କ ସ୍ୱାମୀଙ୍କୁ ମରଣାନ୍ତକ ଆକ୍ରମଣ । କାଠ ଫାଳିଆରେ ପିଟି ମୁଣ୍ଡକୁ ଆକ୍ରମଣ କଲେ ଫାଇନାନ୍ସ ସଂସ୍ଥାର ବ୍ରାଞ୍ଚ ମ୍ୟାନେଜର ।  ଗ୍ରାମବାସୀ ଦବଙ୍ଗ ବ୍ରାଞ୍ଚ ମ୍ୟାନେଜରଙ୍କୁ ଅଟକାଇବା ସହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିଥିଲେ ।  ବାଲିଗୁଡା ଥାନା ବୁଡୁରୁକିଆ ପଂଚାୟତର ମାଦିନାଟ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ତେବେ କାଠ ଫାଳିଆରେ ପିଟି ରକ୍ତାକ୍ତ କରିଥିବା ବ୍ରାଞ୍ଚ ମ୍ୟାନେଜର ବାଲିଗୁଡା ନୁଆସାହି ସ୍ଥିତ ଫ୍ୟୁଜନ ଫାଇନାନ୍ସ ଲିମିଟେଡ଼ର ଦିବାନା ପ୍ରଧାନ । ମାଦିନାଟ ଗାଁର ନରୋଜିନୀ ମଳିକ ଫ୍ୟୁଜନ ଫାଇନାନ୍ସ ଲିମିଟେଡ଼ରୁ ଗ୍ରୁପ ଲୋନ ନେଇଥିଲେ । କେବଳ ଗୋଟିଏ ମାସର କିସ୍ତି ଟଙ୍କା ଦେଇ ନଥିବା ବେଳେ ବ୍ରାଞ୍ଚ ମ୍ୟାନେଜର ଦିବାନା ପ୍ରଧାନ ତାଙ୍କ ଗାଁକୁ ଯାଇ ବଳପୂବର୍କ ଟଙ୍କା ଦେବାକୁ ବାଧ୍ୟ କରିଥିଲେ ।  ତେବେ ଆର୍ଥିକ ସମସ୍ୟା ଯୋଗୁଁ ପରେ କିସ୍ତି ଟଙ୍କା ଦେବାକୁ ତାଙ୍କ ସ୍ୱାମୀ ପଶିରା ମଳିକ କହିଥିଲେ।  ଏତିକିରେ ଚିହିଁକି ଉଠି ଘର ଆଗରେ ପଡ଼ିଥିବା କାଠ ଫାଳିଆରେ ବ୍ରାଞ୍ଚ ମ୍ୟାନେଜର ଦିବାନା ପ୍ରଧାନ ପଶିରାଙ୍କୁ ଆକ୍ରମଣ କରିଥିଲେ ।  ପଶିରାଙ୍କୁ ବାଲିଗୁଡା ମେଡିକାଲରେ ଭର୍ତି କରାଯିବା ପରେ ଅବସ୍ଥା ଗୁରୁତର ନେଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।  ବାଲିଗୁଡା ପୋଲିସ ବ୍ରାଞ୍ଚ ମ୍ୟାନେଜରଙ୍କୁ ଅଟକ ରଖିଛି ।

 

ଆହୁରି ପଢ଼ନ୍ତୁ : ରାଜକନିକାରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ