ଅର୍ଣ୍ଣବ ଗୋସ୍ୱାମୀଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲା ଛାତ୍ର କଂଗ୍ରେସ୍, ଜାଣନ୍ତୁ କାହିଁକି?

ଭୁବନେଶ୍ବର: ଅର୍ଣ୍ଣବ ଗୋସ୍ୱାମୀଙ୍କ ନାଁରେ କ୍ୟାପିଟାଲ ଥାନାରେ ଏତଲା ଦେଲା ଛାତ୍ର କଂଗ୍ରେସ । ଅର୍ଣ୍ଣବ ଦେଶଦ୍ରୋହ କାମ କରିଥିବାରୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଛାତ୍ର କଂଗ୍ରେସ । ଗତକାଲି ବହୁ ଚର୍ଚ୍ଚିତ TRP ସ୍କାମ୍‌ ମାମଲାରେ ପୋଲିସ ଦାଖଲ କରିଥିଲା ୩ ହଜାର ୬୦୦ ପୃଷ୍ଠାର ଚାର୍ଜସିଟ୍‌ ।

ମାମଲାରେ ଅନ୍ୟତମ ଅଭିଯୁକ୍ତ ଟିଆରପି ମୂଲ୍ୟାୟନ କରୁଥିବା ବାର୍କର ପୂର୍ବତନ ସିଇଓ ପାର୍ଥ ଦାସଗୁପ୍ତା ଓ ରିପବ୍ଲିକ ଭାରତ ଟିଭି ଚାନେଲ ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କ ମଧ୍ୟରେ ହୋଇଥିବା ହ୍ଵାଟସଆପ୍‌ ବାର୍ତ୍ତାଳାପର ସ୍କ୍ରିନ ସଟ୍‌ ଉପସ୍ଥାପନ କରାଯାଇଛି । ଉଭୟ କିପରି ଦୁର୍ନୀତିରେ ଲିପ୍ତ ତାହା ଉଲ୍ଲେଖ କରାଯାଇଛି ।

ଏହି ମାମଲାରେ ପାର୍ଥ ଜେଲରେ ଅଛନ୍ତି । ସ୍କ୍ରିନସଟରୁ ସ୍ପଷ୍ଟ ହୋଇଛି ଯେ, ରିପବ୍ଲିକ ଟିଭିର ଟିଆରପି କିଭଳି ବୃଦ୍ଧି ହୋଇପାରିବ ସେ ନେଇ ପାର୍ଥ ଓ ଅର୍ଣ୍ଣବ ବାର୍ତ୍ତାଳାପ କରୁଛନ୍ତି । ଏହାସହ ବିଭିନ୍ନ ସରକାରୀ ଗୋପନୀୟ କାର୍ଯ୍ୟକ୍ରମ, ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଆଦି ସମ୍ପର୍କରେ ଅର୍ଣ୍ଣବ ତଥ୍ୟ ଆଦାନ ପ୍ରଦାନ କରୁଛନ୍ତି । ଏମିତିକି ପୁଲଓ୍ଵାମା ଆକ୍ରମଣ ଓ ବାଲାକୋଟ ଷ୍ଟ୍ରାଇକ ଘଟଣାକୁ ନେଇ ହ୍ଵାଟସଆପରେ ଚାଟ୍‌ କରିଥିଲେ ।