ଭଦ୍ରକରେ ଭୟାବହ ଅଗ୍ନିକାଣ୍ଡ , ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ଛାରଖାର

ଭଦ୍ରକ(କେନ୍ୟୁଜ୍) : ଭୟାବହ ଅଗ୍ନିକାଣ୍ଡ। ଜଳିପୋଡି ଛାରଖାର ହୋଇଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଭଣ୍ଡାରୀପୋଖରୀ ବ୍ଲକ ଗୁହାଳିଆ ରାଉତସାହିରେ ଏହି ଅଗ୍ନିକାଣ୍ଡ ଘଟିଛି। ୨୩ଟି ପରିବାରର ୪୨ବଖରା ଘର ଜଳି ପୋଡି ପାଉଁଶ ହଇଯାଇଛି। ନିଆଁର ଆଁରେ ଗିଳିହୋଇଯାଇଛି ଲକ୍ଷାଧିକ ଟଙ୍କାର ଧାନ, ଚାଉଳ, ସୁନା, ରୂପା, ଟଙ୍କା ଓ ଆସବାବପତ୍ର। ୫ଟି ଗୋରୁ ମଧ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି।
ନିଆଁ ପ୍ରଥମେ ଗାଁର କାଳନ୍ଦୀ ରାଉତଙ୍କ ଘରେ ଲାଗି ଚାହୁଁ ଚାହୁଁ ଅନ୍ୟ ଘରକୁ ବ୍ୟାପିଯାଇଥିଲା। ନିମିଷକ ମଧ୍ୟରେ ସବୁକିଛି ଛାରଖାର ହୋଇଯାଇଥିଲା। କେବଳ ପିନ୍ଧାଲୁଗାକୁ ଛାଡିଦେଲେ ଆଉ କିଛି ଉଦ୍ଧାର କରିପାରିନଥିଲେ ଲୋକେ। ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ଜଣାଯାଇଛି।