ଛାରଖାର ହୋଇଗଲା ଚାଷୀର ବର୍ଷକର ଦାନା ପାଣି

ଭଞ୍ଜନଗର: ଆଖି ଆଗରେ ସବୁ କିଛି ଜଳି ଯାଉଥିଲା । ଯାହାକୁ ଦେଖି ଚେତାଶୂନ୍ୟ ହୋଇ ପଡ଼ୁଥିଲେ ଚାଷୀ ଭାଇ ଜଣକ । ନିଆଁ ଲିଭାଉ ଲିଭାଉ ଦମକଳ ପାଇପ୍ ରୁ ଅଚେତ ଚାଷୀଙ୍କ ମୁହଁକୁ ବାରମ୍ବାର ପାଣି ମାରୁଥିଲେ ଅଗ୍ନିଶମ ବାହିନୀ କର୍ମଚାରୀ । ଆଉ ନିଆଁ ଲିଭିଲା ବେଳକୁ, ସବୁକିଛି ହୋଇସାରିଥିଲା ପାଉଁଶ । ବିଲରେ ଜମା ହୋଇଥିବା ପ୍ରାୟ ଦୁଇ ଏକର ଜମିର ଅମଳ ଫସଲ, ଯାହା ସଂପୂର୍ଣ୍ଣ ନଷ୍ଟ ହୋଇଗଲା । ଏ ଦୃଶ୍ୟ ଥିଲା, ଗଂଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ନେଟଙ୍ଗା ଗାଁ ନିକଟର । ଯେଉଁଠି ବିଡ଼ି ନିଆଁ ଛାରଖାର କରିଦେଲା ବର୍ଷକର ଦାନାପାଣି ।
ପୀଡିତ ଚାଷୀ ଜଣକ ହେଲେ ସେହି ଗାଁର ମଙ୍ଗଳୁ ଲେଙ୍କା । ଚାଷ ଆରମ୍ଭରୁ ସ୍ଥାନୀୟ ଅଞ୍ଚଳରେ ବର୍ଷା ଅଭାବ, ବିଳମ୍ବିତ ଧାନରୁଆ ଏବଂ ଅମଳ ସମୟରେ ତୁହାକୁ ତୁହା ବର୍ଷା । ସବୁ ଚାଷୀଙ୍କ ଭଳି ମଙ୍ଗଳୁଙ୍କ ଧାନଫସଲ ମଧ୍ୟ, ବର୍ଷାରେ ଭିଜି ଯାଇଥିଲା । ପ୍ରାୟ ଦୁଇ ଏକର ଜମିର ଭିଜା-ଧାନକୁ ନିଜ ଜମିରେ ଏକାଠି କରି, ଜମା କରି ରଖିଥିଲେ । ସେସବୁ ଶୁଖିବା ପରେ, ଧାନ-ମଳା ହୋଇଥାନ୍ତା । ହେଲେ ତା’ ପୂର୍ବରୁ ସବୁ କିଛି ଜଳିଗଲା ।
କୁହାଯାଉଛି, କୌଣସି ବ୍ୟକ୍ତି ବିଡ଼ି ନିଆଁକୁ ଧାନଗଦାରେ ପକାଇ ଦେବାରୁ, ଏଭଳି ଅଗ୍ନିକାଣ୍ଡ ଘଟିଛି । ତେବେ ଆମେ ଏ ଘଟଣାକୁ ଲୋକଲୋଚନକୁ ଆଣିବାର ଉଦ୍ଦେଶ୍ୟ ହେଲା, ସାମାନ୍ୟ ଖାମ ଖିଆଲ ମନୋଭାବ ହିଁ ଗୋଟିଏ ପରିବାରର ବର୍ଷକର ଦାନାପାଣି ଉଜାଡି ଦେଲା । ସଂପୃକ୍ତ ଚାଷୀର ପିଲାଛୁଆ, ଏବେ ଖାଇବେ କ’ଣ? କେମିତି କରିବେ ଏତେ ବଡ କ୍ଷତିକୁ ଭରଣ? ଏମିତି ଅନେକ ପ୍ରଶ୍ନ ଭିତରେ, ମଙ୍ଗଳୁ ଲେଙ୍କା, ତାଙ୍କ ପରିବାର ଏବଂ ସ୍ଥାନୀୟ ଲୋକେ ।
ତେବେ ଅଧିକାଂଶ ସ୍ଥାନରେ ବର୍ତ୍ତମାନ ଧାନ ଫସଲର, ଅଭାବନୀୟ ଚିତ୍ର ଦେଖିବାକୁ ମିଳୁଛି । ବର୍ଷାରେ ଭିଜି ଯାଇଥିବା ଫସଲ ଏବେବି ଜମିରେ ପଡ଼ି ରହିଛି । ଖଳା ଅଭାବରୁ ଅଧିକାଂଶ ସ୍ଥାନରେ ରାସ୍ତା କଡ଼ରେ ଗଦା ହୋଇ ରହିଛି ଧାନ । ଏପଟେ ମଣ୍ଡିକୁ ଦେବା ପାଇଁ ରାସ୍ତା କଡ, ଧାନକ୍ଷେତ ଓ ଖଳାରେ ପଡ଼ିରହିଛି ଧାନବସ୍ତା । ଏଣୁ ମଙ୍ଗଳୁଙ୍କ କ୍ଷେତ୍ରରେ ଘଟିଥିବା ଘଟଣା ଭଳି ଅନ୍ୟ କୌଣସି ଚାଷୀଙ୍କର ଏଭଳି ଘଟଣା ଘଟିବା ପୂର୍ବରୁ ଆମେ ସମସ୍ତେ ଟିକେ ଯତ୍ନବାନ ହେବା ଆବଶ୍ୟକ । କାରଣ ଜଣେ ଚାଷୀ ହିଁ ବୁଝି ପାରିବ, ଚାଷରେ କେତେ କଷ୍ଟ ।
ଅତୀତରେ ପିଲାଙ୍କ ପାଠ ବହିରେ ପଢା ହେଉଥିଲା ଚାଷ କାମ ଯାହାର, କି ଆନନ୍ଦ ତାହାର । ସିଏ ସିନା ଦୁନିଆକୁ, ଯୋଗାଉଛି ଆହାର । ସତରେ ଚାଷୀଙ୍କ ପରିଶ୍ରମ ଏବଂ ବିଶ୍ୱାସରେ, ଯଦି ଏଭଳି ନିଆଁ ଲଗାଇ ଦିଆଯାଏ, ତା’ ହେଲେ ଆମେ କେମିତି କହିପାରିବା ଚାଷ କାମ ଯାହାର, କି ଆନନ୍ଦ ତାହାର ବୋଲି । ତେଣୁ ତୁରନ୍ତ ଏହି କ୍ଷତିଗ୍ରସ୍ତ ପରିବାରକୁ ସରକାର ସହାୟତାର ହାତ ବଢାଇବାକୁ ଅନୁରୋଧ ।