ଅଗ୍ନିଶମ ବିଭାଗର ଦିନିକିଆ ସମ୍ମିଳନୀ, ପ୍ରଶାସନିକ ସମସ୍ୟା ଏବଂ ବିଭିନ୍ନ ପଦ ପଦବୀରେ ଖାଲି ସ୍ଥାନ ବିଷୟରେ ଆଲୋଚନା

ଭୁବନେଶ୍ୱର (କେନ୍ୟୁଜ୍) : ବରମୁଣ୍ଡାରେ ଓଡିଶା ଅଗ୍ନିଶମ ଓ ବିପତ୍ତି ନିସ୍ତାର ପ୍ରଶିକ୍ଷଣ ପ୍ରତିଷ୍ଠାନଠାରେ ଆଜି ଦିନିକିଆ ସମ୍ମିଳନୀ ଅନୁଷ୍ଠିତ। ଓଡିଶାର ବରିଷ୍ଠ ଅଗ୍ନିଶମ ଅଧିକାରୀ ଏଥିରେ ଯୋଗ ଦେଇଛନ୍ତି। ରାଜ୍ୟର ପ୍ରାୟ ୧୧୦ଜଣ ଅଗ୍ନିଶମ ଅଧିକାରୀ ଓ ଅଗ୍ନିଶମ ନିର୍ଦ୍ଦେଶାଳୟର ବରିଷ୍ଠ ଅଧିକାରୀ ଏଥିରେ ଉପସ୍ଥିତ ଅଛନ୍ତି। ଅଗ୍ନିଶମ, ଗୃହରକ୍ଷୀ ଏବଂ ବେସାମରିକ ପ୍ରତିରକ୍ଷା ଅନୁଷ୍ଠାନର ମହାନିର୍ଦ୍ଦେଶକ ବି.କେ ଶର୍ମା ନୂତନ ଭାବେ ନିର୍ମିତ ସମ୍ମିଳନୀ କକ୍ଷକୁ ଉଦ୍ଘାଟନ କରିବା ସହ ସମ୍ମିଳନୀ ସଭାରେ ସଭାପତିତ୍ୱ କରିଛନ୍ତି।

ସମ୍ମିଳନୀରେ ବିଭିନ୍ନ ପ୍ରଶାସନିକ ସମସ୍ୟା, ବିଭିନ୍ନ ପଦ ପଦବୀରେ ପଡିଥିବା ଖାଲି ସ୍ଥାନ, ଗାଡ଼ି ଓ ଯନ୍ତ୍ରପାତିର ଅବସ୍ଥାନ ଆଦି ବିଷୟରେ ମଧ୍ୟ ଆଲୋଚନା ହୋଇଛି। ଏହାସହ ଅଗ୍ନିଶମ କର୍ମଚାରୀଙ୍କ ଗୁଣାତ୍ମକ ମାନର ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣର ଆବଶ୍ୟକତା ଉପରେ ମଧ୍ୟ ବିସ୍ତତ ଆଲୋଚନା କରାଯାଇଛି। ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡଜନିତ ଦୁର୍ଘଟଣା ବୃଦ୍ଧି ପାଉଥିବାରୁ ଗୃହ ଓ ପରିସର ଗୁଡିକର ମାଲିକମାନେ ନେବାକୁ ଥିବା ପଦକ୍ଷେପ, ଆବଶ୍ୟକ ଅଗ୍ନିନିରାପତ୍ତା ପ୍ରମାଣ ପତ୍ର ଉପଲବ୍ଧ କରାଇବାର ପଦ୍ଧତିକୁ ସରଳୀକରଣ କରିବା ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି।