ଫାୟାର ସାର୍ଟିଫିକେଟ ପ୍ରଦାନ ନାଁରେ ଦଲାଲି କରୁଥିବା ଅଫିସର ଓ କର୍ମଚାରୀମାନେ ସାବଧାନ ! ଏବେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଅଗ୍ନିଶମ ଡିଜି

କଟକ(କେନ୍ୟୁଜ୍):ଅଗ୍ନିଶମ ଡିଜିଙ୍କ କଡା ଚେତାବନୀ। ଫାୟାର ସାର୍ଟିଫିକେଟ ପ୍ରଦାନ ନାଁରେ ଦଲାଲି କରୁଥିବା ଅଫିସର ଓ କର୍ମଚାରୀମାନେ ସାବଧାନ ହୋଇଯାଅ। ରାଜ୍ୟରେ କିଛି ଦୁର୍ନୀତିଗ୍ରସ୍ତ ଫାୟାର ଅଫିସର ଓ ଫାୟାରମ୍ୟାନ ପାଇଁ ବିଭାଗ ବଦନାମ ହେଉଛି। ସେଭଳି କାମ କଲେ ସେମାନଙ୍କ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏଭଳି କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅଵସର, ଚାକିରୀରୁ ବହିଷ୍କାର ଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି କଡା ନିର୍ଦ୍ଦେଶ ଦେଇଛନ୍ତି ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ।

କଳିଙ୍ଗ ଟିଭି ହାତରେ ଲାଗିଥିବା ଏକ୍ସକ୍ଲୁସିଭ ଚିଠିରେ ଅଗ୍ନିଶମ ଡିଜି ସନ୍ତୋଷ ଉପାଧ୍ୟାୟ ରାଜ୍ୟର ସମସ୍ତ ଫାୟାର ଅଫିସର, ଆସିଷ୍ଟାଣ୍ଡ ଫାୟାର ଅଫିସର ଓ ରେଞ୍ଜ ଫାୟାର ଅଫିସରଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଉଲ୍ଲେଖ ରହିଛି ଯେ, କିଛି ଅଗ୍ନିଶମ ଅଫିସର ଓ କର୍ମଚାରୀ ଫାୟାର ଫାର୍ମ ଓ ଭେଣ୍ଡରଙ୍କ ପାର୍ଟନର ରହି କାମ କରୁଛନ୍ତି। ବିଲଡର କିମ୍ବା କୌଣସି ଘର ମାଲିକ ଆସିଲେ ନିର୍ଦ୍ଦିଷ୍ଟ ଫାର୍ମରୁ ଅଗ୍ନି ନିରାପତ୍ତା ସାମଗ୍ରୀ କିଣି ବାକୁ କହୁଛନ୍ତି। ଅନ୍ୟ କିଛି କ୍ଷେତ୍ରରେ ଅଗ୍ନିଶମ କର୍ମଚାରୀ ମାନେ ଦଲାଲି କରୁଥିବାର ନଜର ଆସିଛି। ଏଭଳି କର୍ମଚାରୀଙ୍କ ବିରୋଧରେ ଓଡିଶା ଗମେଣ୍ଟ ସରଭାଣ୍ଟସ କଣ୍ଡକ୍ଟ ରୂଲ ୧୯୫୯ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆବଶ୍ୟକ ପଡିଲେ ଏଭଳି କର୍ମଚାରୀଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ, ଭିଜିଲାନ୍ସ କିମ୍ବା ସ୍ଥାନୀୟ ପୋଲିସ ଦ୍ୱାରା ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଗ୍ନିଶମ ଡିଜି ଏହି ଚିଠିରେ ସ୍ପଷ୍ଟ କରିଛନ୍ତି। କଟକରେ ଏକ ନକଲି ବିଲ୍ଡିଂ ପ୍ଲାନ ଦେଇ ଫାୟାର ସାର୍ଟିଫିକେଟ ହାସଲ ଘଟଣାରେ ଅଗ୍ନିଶମ ନିର୍ଦ୍ଦେଶାଳୟ ପକ୍ଷରୁ ଚାଉଳିଆଗଞ୍ଜ ଥାନାରେ ମାମଲା ଦାୟର କରାଯାଇଛି।

ବିଲ୍ଡିଂ ପ୍ଲାନ ଅନୁମତି ନ ଥାଇ ଏକ ନକଲି ପ୍ଲାନ ଦେଇ ଅଗ୍ନିଶମ ନିରାପତ୍ତା ପାଇଁ ଆବେଦନ କରିଥିବା ବେଳେ ଅଗ୍ନିଶମ ନିରାପତ୍ତା ସାର୍ଟିଫିକେଟ ହାସଲ କରି ନେଇଥିଲେ। ଚାଉଳିଆଗଞ୍ଜର ଏକ ନର୍ସିଂହୋମ ଏଭଳି କରିଥିବା ବେଳେ ବିଭାଗ ପକ୍ଷରୁ ନର୍ସିଂହୋମ ମାଲିକଙ୍କ ନାମରେ ଅଭିଯୋଗ କରାଯିବା ପରେ ମାମଲା ରୁଜ୍ଜୁ କରିଛି ଚାଉଳିଆଗଞ୍ଜ ପୋଲିସ।

ଭାରତୀୟ ଦଣ୍ଡବିଧି ଆଇନର ଦଫା ୪୨୦, ୪୬୮, ୪୭୧ ରେ ମାମଲା ରୁଜୁ କଲା ପୋଲିସ ତଦନ୍ତ ଆରମ୍ଭ କରିଛି। ସେହିଭଳି ଫାୟାର ସାର୍ଟିଫିକେଟ ଦେଇଥିବା ଆସିଷ୍ଟାଣ୍ଡ ଫାୟାର ଅଫିସର ଅନ୍ୟତ୍ର ବଦଳି କରିଛି ନିର୍ଦ୍ଦେଶଶାଳୟ। ଏହା ସହିତ ସଂପୃକ୍ତ ଅଫିସରଙ୍କ ଫାୟାର ସାର୍ଟିଫିକେଟ ପ୍ରଦାନ କ୍ଷମତାକୁ ପ୍ରତ୍ୟାହାର କରିନେଇଛି ଅଗ୍ନିଶମ ନିର୍ଦ୍ଦେଶାଳୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.