ରାୟଗଡା (କେ ନ୍ୟୁଜ୍) : ପୁଣି ରେଳ ଦୁର୍ଘଟଣା। ରାୟଗଡ଼ାରେ ଦୁର୍ଘଟଣାଗ୍ରସ୍ତ ହୋଇଛି ହାଓ୍ଵଡା-ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍ । ରାୟଗଡ଼ା ସିଙ୍ଗାପୁର ରୋଡ୍-କେଉଟଗୁଡ଼ା ମଝିରେ ଅପରାହ୍ଣ ସାଢ଼େ ୪ଟା ବେଳେ ଏହି ଦୁର୍ଘଟଣା ହୋଇଥିଲା । ସାମନାରୁ ଆସୁଥିବା ମରାମତି କାମରେ ନିୟୋଜିତ ଏକ ଟାଓ୍ଵାର କାରର ସମଲେଶ୍ୱରୀ ଏକ୍ସପ୍ରେସ ସହ ଧକ୍କା ହୋଇଥିଲା। ଏହାପରେ ଟ୍ରେନରେ ନିଆଁ ଲାଗିଯାଇଥିଲା।.
ପ୍ରବଳ ନିଆଁ ଓ ଧୂଆଁରେ ଆଚ୍ଛାଦିତ ହୋଇ ପଡ଼ିଥିଲା ପୂରା ଅଞ୍ଚଳ। ଦୁର୍ଘଟଣାରେ ତିନି ଜଣ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମେଣ୍ଟେନାନ୍ସ ଟାଓ୍ଵାର କାରର ଟେକ୍ନିସିଆନ ସୁରେଶ, ବରିଷ୍ଠ ସେକ୍ସନ ଇଞ୍ଜିନିୟର ସାଗର ଏବଂ ବିଦ୍ୟୁତ ଟେକ୍ସିସିଆନ ଗୌରୀ ନାଇଡୁ। ଦୁର୍ଘଟଣା ପରେ ଲାଇନଚ୍ୟୁତ ହୋଇଛି ସମଲେଶ୍ୱରୀ ଏକ୍ସପ୍ରେସର ଇଞ୍ଜିନ, ଲଗେଜ୍ ଭ୍ୟାନ୍ ଓ ଗୋଟିଏ ସାଧାରଣ ବଗି। ସମଲେଶ୍ୱରୀ ଏକ୍ସପ୍ରେସର ବଗିରୁ ଇଞ୍ଜିନକୁ ଅଲଗା କରାଯାଇଛି।
ତେବେ କୌଣସି ଯାତ୍ରୀଙ୍କର କିଛି କ୍ଷୟକ୍ଷତି ହୋଇ ନଥିବା ରେଳବାଇ ପକ୍ଷରୁ ସୂଚନା ମିଳିଛି। ଦୁର୍ଘଟଣାସ୍ଥଳରେ ରେଳବାଇର ବରିଷ୍ଠ ଅଧିକାରୀ ପହଞ୍ଚି ତଦନ୍ତ କରିଛନ୍ତି । ଏହି ରୁଟରେ ବିଭିନ୍ନ ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଛି। କାର୍ୟ୍ୟରେ ଅବହେଳା ଅଭିଯୋଗରେ ସିଙ୍ଗାପୁର ରୋଡ ଷ୍ଟେସନ, ସିଙ୍ଗାପୁର ରୋଡ ଏ- କ୍ୟାବିନ ଓ କେଉଟଗୁଡ଼ା ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବନ କରାଯାଇଛି। କୋଲକାତାର ରେଲେଓ୍ଵ ସେଫଟି କମିଶନରଙ୍କୁ ଦୁର୍ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି।