କଟକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା, ସ୍ଥାନାନ୍ତର ଶିଶୁଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ

ଗତକାଲି କଟକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ଶିଶୁଭବନକୁ ସ୍ଥାନାନ୍ତର ହୋଇଥିବା ଶିଶୁଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ଶିଶୁଭବନ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ପ୍ରଦୀପ କୁମାର ଜେନା ଏହି ସୂଚନା ଦେଇଛନ୍ତି । ମୋଟ ୧୭ ଜଣ ଶିଶୁଭବନରେ ଭର୍ତ୍ତି ହୋଇଥିଲେ । ସେମାଙ୍କ ଭିତରୁ ଜଣଙ୍କର ମୃତ୍ୟୁ ଘଟିଛି । ୨ଜଣଙ୍କୁ ଡିସଚାର୍ଜ କରାଯାଇଛି । ଏବେ ୧୪ ଜଣ ଶିଶୁ ଚିକିତ୍ସିତ ହେଉଛନ୍ତି।
ପୁରୀଘାଟ ଥାନା ନିକଟରେ ଥିବା ଏକ ଘରୋଇ ହସପିଟାଲର ତୃତୀୟ ମହଲାରେ ନିଆଁ ଲାଗିଥିଲା । ଆଇସିୟୁରେ ପ୍ରଥମେ ନିଆଁ ଲାଗିଥିଲା । ବିଦ୍ୟୁତ ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି । ନିଆଁ ଲାଗିବା ଦ୍ବାରା କୌଣସି ଜୀବନହାନୀ ହୋଇନଥିବା ବେଳେ ଆସବାବପତ୍ର ପୋଡ଼ି ଯାଇଥିବା ଜଣାପଡ଼ିଛି । ହସପିଟାଲରେ ଲାଗିଥିବା ବଡ଼ ବଡ଼ ମେସିନ ମଧ୍ୟ ପୋଡ଼ି ଯାଇଛି । ସେପଟେ ଅଗ୍ନକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।