କଟକର ଏକ ଘରୋଇ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟଣା: ୪୫ ଆହତ, ୧୭ ନବଜାତ ଶିଶୁ ଭବନରେ ଭର୍ତ୍ତି

କଟକ : କଟକରେ ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣାରେ ମୋଟ ୪୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୧୭ ଜଣଙ୍କୁ କଟକ ଏସସିବି ଓ ୧୧ ଜଣଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବଂ ଆହତ ୧୭ ଜଣ ନବଜାତ ସହ ଛୋଟ ଛୋଟ ଶିଶୁଙ୍କୁ କଟକ ଶିଶୁ ଭବନରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ।
ପୁରୀଘାଟ ଥାନା ନିକଟରେ ଥିବା ଏକ ଘରୋଇ ହସପିଟାଲର ତୃତୀୟ ମହଲାରେ ନିଆଁ ଲାଗିଥିଲା । ଆଇସିୟୁରେ ପ୍ରଥମେ ନିଆଁ ଲାଗିଥିଲା । ବିଦ୍ୟୁତ ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି । ନିଆଁ ଲାଗିବା ଦ୍ବାରା କୌଣସି ଜୀବନହାନୀ ହୋଇନଥିବା ବେଳେ ଆସବାବପତ୍ର ପୋଡ଼ି ଯାଇଥିବା ଜଣାପଡ଼ିଛି । ହସପିଟାଲରେ ଲାଗିଥିବା ବଡ଼ ବଡ଼ ମେସିନ ମଧ୍ୟ ପୋଡ଼ି ଯାଇଛି ।
ସେପଟେ ଅଗ୍ନକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ଅତ୍ୟନ୍ତ ଦୁଃଖଦ ଘଟଣା । ରୋଗୀମାନଙ୍କ ଜୀବନ ବଞ୍ଚାଉ ଥିବା ସଂସ୍ଥା ଏ ସବୁ ବିଷୟ ପ୍ରତି ଅଧିକ ସଚେତନ ହେବା ଆବଶ୍ୟକ। ଚିକିତ୍ସିତ ରୋଗୀମାନଙ୍କୁ ଯଥାଶୀଘ୍ର ଅନ୍ୟାନ୍ୟ ଚିକିତ୍ସାଳୟକୁ ନେଇ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ ସେ ସ୍ୱାସ୍ଥ୍ୟ ସଚିବ ଓ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଅଗ୍ନି ନିରାପତ୍ତା ଜନିତ ସମସ୍ତ ନିୟମକୁ କଡାକଡି ପାଳନ କରିବା ପାଇଁ ସେ ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।