ହରିଦାସପୁର ମୋବିଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ

ଯାଜପୁର(କେନ୍ୟୁଜ୍): ଯାଜପୁର ଜିଲ୍ଲା ହରିଦାସପୁର ନିକଟସ୍ଥ ଏକ ମୋବିଲ ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ଏକ ଟ୍ରକ ଜଳିଯିବା ସହ ଲକ୍ଷାଧିକ ଟଙ୍କାର ମୋବିଲ ଓ ବ୍ୟବହୃତ ସାମଗ୍ରୀ ପୋଡି ନଷ୍ଟ ହୋଇଛି। ଗଜାନନ ପେଟ୍ରୋ କେମିକାଲସ ଇଣ୍ଡଷ୍ଟ୍ରିସ ନାମକ ଏହି ସଂସ୍ଥାରେ ଆଜି ସନ୍ଧ୍ୟା ସମୟରେ ହଠାତ ଅଗ୍ନିକାଣ୍ଡ ଘଟିଥିଲା। ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଚଣ୍ଡିଖୋଲ, ଚଢ଼େଇଧରା ଓ ରସୁଲପୁର ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ।

ରାତି ବଢିବା ସାଙ୍ଗକୁ ପାଖାପାଖି ୪୫ମିନିଟ ସମୟ ଧରି ଅଗ୍ନିଶମ ବାହିନୀର କର୍ମଚାରୀ ମାନଙ୍କ ପରିଶ୍ରମ ପରେ ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲେ। ଏହି ଅଗ୍ନିକାଣ୍ଡରେ କାରଖାନାର କର୍ମଚାରୀଙ୍କ କୌଣସି କ୍ଷୟକ୍ଷତି ଘଟିନଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଥିବା ସୂଚନା ମିଳିଛି। ସଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଥିବା ବେଳେ ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ଚଳାଇଛି।

Leave A Reply

Your email address will not be published.