ଯାଜପୁର ଟାଉନ୍( କେନ୍ୟୁଜ୍) : ଆଉ ଦିନ କେଇଟା ପରେ ବିଦେଶ ଯିବାକୁ ପ୍ରସ୍ତୁତ ହେଉଥିଲେ ମେଧାବୀ ଛାତ୍ର ଅଜିତେଶ ନାୟକ। ହେଲେ ଗତକାଲି ସନ୍ଧ୍ୟାରେ ଲାଗିଲା ନିଆଁ। ଆଉ ସବୁ ସ୍ୱପ୍ନକୁ ଜାଳି ଧ୍ୱଂସ କରିଦେଲା । ଯାଜପୁର ତାଉଁତରା ଗାଁରେ ହୋଇଥିବା ଅଗ୍ନିକାଣ୍ଡରେ ଅନେକ ଘର ତ ଜଳି ଯାଇଛି, ଆସବାବପତ୍ର ପୋଡ଼ି ପାଉଁଶ ହୋଇଛି । ଏପରିକି ମୁଣ୍ଡ ଗୁଞ୍ଜିବାକୁ ଜାଗା ଟିକେ ନାହିଁ। ଆଉ ତାରି ଭିତରେ ଜଳି ଯାଇଛି ଅଜିତେଶଙ୍କ ତାଇୱାନ ଯିବାର ସ୍ୱପ୍ନ । ବିଦେଶ ଯିବା ପାଇଁ ଯେଉଁସବୁ ଜରୁରୀ କାଗଜପତ୍ର ଥିଲା ସବୁ ପୋଡି ଯାଇଛି ନିଆଁର ଆଁରେ ।
ଏବେ ଖୋଲା ଆକାଶ ତଳେ ମେଧାବୀ ଛାତ୍ର ଅଜିତେଶଙ୍କ ପରିବାର। ଗତକାଲି ସନ୍ଧ୍ୟାରେ ତାଉଁତରା ଗାଁରେ ହୋଇଥିବା ଆକସ୍ମିକ ଅଗ୍ନିକାଣ୍ଡରେ ଏଭଳି ଅସହାୟ କରି ଦେଇଛି ପୂରା ପରିବାରକୁ । ଅଜିତେଶ ଆସନ୍ତା ୩୦ ତାରିଖରେ ତାଇୱାନ ଯାଇଥାନ୍ତେ ଗବେଷଣା କରିବା ପାଇଁ । କିନ୍ତୁ ଏଥିପାଇଁ ଆବଶ୍ୟକ କାଗଜପତ୍ର ସବୁ ପୋଡି ପାଉଁଶ ହୋଇଯାଇଥିବାରୁ ତାଇୱାନ ଯିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏଥିପାଇଁ ଜିଲା ପ୍ରଶାସନର ସହଯୋଗ ଲୋଡ଼ିଛନ୍ତି ପରିବାର ଲୋକେ।
ଗତକାଲି ସନ୍ଧ୍ୟାରେ ତାଉଁତରା ଗାଁର ଧଳ ସାହିରେ ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୬ ବଖରା ଘର ସମ୍ପୂର୍ଣ୍ଣ ଧ୍ବଂସ ପାଇ ଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନାହିଁ। ଅଗ୍ନିଵିପନ୍ନ ପରିବାର ସର୍ବସ୍ୱ ହରାଇ ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି। ଆଜି ତହସିଲ ପ୍ରଶାସନ ପକ୍ଷରୁ ଅଗ୍ନିଵିପନ୍ନ ପରିବାରକୁ ଭେଟି ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଅଗ୍ନି ବିପନ୍ନମାନଙ୍କୁ ସହାୟତା ତ ନିଶ୍ଚୟ ଦରକାର । ହେଲେ ଏଭଳି ସ୍ଥିତିରେ ଅଜିତେଶଙ୍କ ବିଦେଶ ଗସ୍ତ ପାଇଁ ତୁରନ୍ତ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି ଗ୍ରାମବାସୀ ଓ ବୁଦ୍ଧିଜୀବୀ ।