ଆଜି ସୁଭଦ୍ରା ଯୋଜନା ଫର୍ମ ଦାଖଲ କରିବେ ଆବେଦନକାରୀ, ୧୭ରେ ମହିଳାଙ୍କୁ କାର୍ଡ ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ୱର୧୭ରେ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ପ୍ରଦାନ କରାଯିବ । ଭୁବନେଶ୍ୱର ଜନତା ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ ହିତାଧିକାରୀଙ୍କୁ ସୁଭଦ୍ରା କାର୍ଡ ବଣ୍ଟନ କରିବେ । ରାଜ୍ୟସ୍ତରୀୟ ସମାରୋହ ପାଇଁ ପ୍ରସ୍ତୁତି ଆଲୋଚନା ହୋଇଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଆଜିଠୁ ଆବେଦନକାରୀଙ୍କ ଠାରୁ ଫର୍ମ ସଂଗ୍ରହ କାର୍ଯ୍ୟ ଆରମ୍ଭ ହେଉଥିବାରୁ ଆବେଦନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଭାବେ କରାଯିବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା । ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ନିରୂପଣ କରାଯାଇଥିବା ନିର୍ଦ୍ଦିଷ୍ଟ ସ୍ଥାନ ଓ କାର୍ଯ୍ୟାଳୟରେ ଫର୍ମ ସଂଗ୍ରହ କରାଯିବ ।
ଏଥିପାଇଁ ଜନ ଗହଳିକୁ ଦୃଷ୍ଟିରେ ରଖି ମୋ ସେବା କେନ୍ଦ୍ରରେ ଫର୍ମ ସଂଗ୍ରହର ବ୍ୟବସ୍ଥା କିପରି ରହିଛି ସେନେଇ ବୈଠକରେ ଆଲୋଚନା ହୋଇଛି । ସୁଭଦ୍ରା ଯୋଜନା ସମ୍ପର୍କିତ ଅନୁସନ୍ଧାନ ପାଇଁ ଟୋଲ ଫ୍ରି ନମ୍ବର-୧୪୬୭୮ ‘କଲ ସେଣ୍ଟର’ର ପରିଚାଳନା ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ବୈଠକରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ , ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଡିଏ, ଇଡକୋ ଓ ବିଏମସିର ଉଚ୍ଚ କର୍ତ୍ତୁପକ୍ଷ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।