ଦିନକ ପରେ ଶ୍ରାବଣ ସୋମବାର: ଜଳଲାଗି ସମୟରେ ଜାଣନ୍ତୁ କଣ ରହିବ କଟକଣା

ଭୁବନେଶ୍ୱର : ଦିନକ ପରେ ଶ୍ରାବଣ ସୋମବାର । ଜଳଲାଗି କରିବାକୁ ପ୍ରସ୍ତୁତ ହେଲେଣି କାଉଡିଆ । ହଜାର ହଜାର କାଉଡିଆଙ୍କୁ ଦୃଷ୍ଟିରେ ରଖି ଲିଙ୍ଗରାଜ ମିନ୍ଦିର ପ୍ରଶାସନ ଓ ଏଏସଆଇ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ସମେତ ମେଘେଶ୍ବର ମନ୍ଦିର, ବ୍ରହ୍ମେଶ୍ବର ମନ୍ଦିର, ଚିନ୍ତାମଣିଶ୍ବର ମନ୍ଦିର ଲାଗି ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ପୂର୍ବରାତି ଅର୍ଥାତ୍ ରବିବାର ରାତି ୩ଟାରେ ମନ୍ଦିର ପହଡ଼ ଖୋଲାଯିବା ପରେ ସାଢେ ୩ଟାରେ ଲିଙ୍ଗରାଜଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ସମ୍ପାଦନ ପରେ ଭୋର ୪ଟାରେ ଶ୍ରଦ୍ଧାଳୁଙ୍କ ଲାଗି ସାହାଣମେଲା ଦର୍ଶନ ଆରମ୍ଭ ହେବ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାରିକେଡର ବ୍ୟବସ୍ଥା କରାଯାଇଛି ।

କାଉଡିଆ ମାନେ ଲିଙ୍ଗରାଜଙ୍କୁ ଜଳଲାଗି କରିବାକୁ ଗଙ୍ଗାଯମୁନା ମନ୍ଦିର ରାସ୍ତା ଦେଇ ଲିଙ୍ଗରାଜ ପ୍ଲାଜା ଭିତରେ ପଶି ସିଂହଦ୍ବାର, ସିଂହଦ୍ବାର ପାଖରୁ ଆଡକାଠ ନିକଟକୁ ଯିବାକୁ ବ୍ୟବସ୍ଥା ହୋଇଛି । ତେବେ ଭର୍ଗଗୃହ ମଧ୍ୟକୁ ପ୍ରବେଶ ନିଷେଧ ଥିବା ବେଳେ ଆଡକାଠ ନିକଟରେ ଥିବା ଲୋଧାରେ ପାଣି ଢାଳିବେ କାଉଡିଆ । ଜଳଲାଗି କରିବା ପରେ ଉତ୍ତର ଦ୍ବାର ଦେଇ ମନ୍ଦିର ବାହାରକୁ ବାହାରିବା ପାଇଁ ବ୍ୟବସ୍ଥା ହୋଇଛି । ଶାନ୍ତି ଶୃଙ୍ଖଳା ପାଇଁ ବାହାରେ ମୂତୟନ ରହିବେ ପୋଲିସ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ମନ୍ଦିରକୁ ଛୁରି, ପଲିଥିନ୍, ପ୍ଲାଷ୍ଟିକ୍ ସାମଗ୍ରୀକୁ ବାରଣ କରାଯାଇଛି । ଏହାସହ ଜଳଲାଗି ସମୟରେ ପାନ, ଗୁଟଖା, ମାଦକ ଦ୍ରବ୍ୟ ସେବନ କରି ମନ୍ଦିର ଭିତରକୁ ଯିବା ଉପରେ କଟକଣା ରହିଛି ।