ନୂଆପଡା: ଦାଣ୍ଡ ଦୁଆରେ ରୁଣ୍ଡ ହୋଇଛନ୍ତି ଲୋକେ । ପୋଲିସ ମଧ୍ୟ ଦୁଆରେ ବସିଛନ୍ତି । ଘଟଣାର ତନାଘନା କରୁଛନ୍ତି । ଲୋକେ କଣ ଘଟିଛି ବୋଲି ଜାଣିବା ପାଇଁ ଚାହିଁ ରହିଛନ୍ତି । କାରଣ ଏଠାରେ ଦେଖିବାକୁ ମିଳିଛି ପାରିବାରିକ କଳହର କରୁଣ ପରିଣତି । ସଉତୁଣୀ ନେଇଯାଇଛି ସଉତୁଣୀର ଜୀବନ । ସେ ପୁଣି ବାଲଟିରେ ଆକ୍ରମଣ କରି ଏଭଳି କାଣ୍ଡ ଭିଆଇଛି ସଉତୁଣୀ ।
ଏହି ଘଟଣା ନୂଆପଡା ଜିଲ୍ଲାର । ବୋଡେ଼ନ ଥାନା ଅନ୍ତର୍ଗତ ଜାମଗାଁରେ ଦ୍ଵିତୀୟ ସ୍ତ୍ରୀର ଆକ୍ରମଣରେ ପ୍ରଥମ ସ୍ତ୍ରୀଙ୍କ ମୃତ୍ୟୁ ଘଟିଛି l ମୃତକ ହେଲେ ହେରମ୍ବ ଜଗତଙ୍କ ପ୍ରଥମ ସ୍ତ୍ରୀ ବାରୁଣୀ ଜଗତ l ହେରେମ୍ୱ ଜଗତଙ୍କ ଦୁଇ ଜଣ ସ୍ତ୍ରୀ ରହିଛନ୍ତି । ଗୋଟିଏ ଘରେ ଦୁଇ ସ୍ତ୍ରୀ ଥିବା ବେଳେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗି ରହିଥିଲା । ଗତ ୩ ତାରିଖ ଦିନ କୌଣସି କଥାକୁ ନେଇ ବାରୁଣୀ ଓ ମାଧୁରୀଙ୍କ ମଧ୍ୟରେ ଝଗଡ଼ା ଉଗ୍ରରୂପ ନେଇଥିଲା । ଏହି ସମୟରେ ମାଧୁରୀ ଏକ ଷ୍ଟିଲ୍ ବାଲ୍ଟିରେ ବାରୁଣୀଙ୍କ ମୁଣ୍ଡକୁ ପିଟି ଦେଇଥିଲେ । ଫଳରେ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଗୁରୁତର ବାରୁଣୀଙ୍କୁ ତାଙ୍କ ସ୍ୱାମୀ ହେରମ୍ବ ସ୍ଥାନୀୟ ଡାକ୍ତରଖାନାକୁ ନେଇଯାଇଥିଲେ। ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକତ୍ସିତ ହେଉଥିଲେ l ଆଜି ଚିକିତ୍ସାଧିନ ଅବସ୍ଥାରେ ବାରୁଣୀଙ୍କ ମୃତ୍ୟୁ ଘଟିଛି l
ଏନେଇ ମୃତକଙ୍କ ପରିବାର ପକ୍ଷରୁ ବୋଡେ଼ନ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ବୋଡେ଼ନ ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଵା ସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା l ଆଜି ବୋଡେ଼ନ ପୋଲିସ ମୃତ ଦେହ ଜବତ କରିବା ସହ ଅଭିଯୁକ୍ତ ଦ୍ଵିତୀୟ ସ୍ତ୍ରୀ ମାଧୁରୀ ଦେଈ ଓ ତାଙ୍କ ସ୍ୱାମୀ ହେରମ୍ବ ଜଗତଙ୍କୁ ଗିରଫ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଖଡ଼ିଆଳ ଏସଡିପିଓ ଅରୂପ ଅଭିଷେକ ବେହେରା କହିଛନ୍ତି l
ତେବେ ଏହି ଘଟଣା ବର୍ତ୍ତମାନ ସାରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବାରୁଣୀଙ୍କ ପରିବାରଠୁ ଆରମ୍ଭ କରି ପୁରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଆଉ ଏଭଳି କାଣ୍ଡ ପାଇଁ ସ୍ୱାମୀ ହେରମ୍ବକୁ ବାରୁଣୀଙ୍କ ପରିବାର ଲୋକେ ଦାୟୀ କରିଛନ୍ତି ।