ସ୍ୱାମୀର ଦ୍ୱିତୀୟ ବିବାହକୁ ବିରୋଧ କରି ସ୍ତ୍ରୀର ହାଇଡ୍ରାମା

ନୟାଗଡ : ଅନେକ ସୁନେଲି ସ୍ଵପ୍ନ ଦେଖିଥିଲେ । ବହୁ ଆଶା ରଖି ସ୍ୱାମୀଙ୍କ ହାତ ଧରିଥିଲେ । ଘର ସଂସାର କରି ସାରା ଜୀବନ ସ୍ୱାମୀ ସହିତ ଖୁସିରେ ବିତାଇବେ ବୋଲି ଉଭୟ ଉଭୟଙ୍କୁ ଦେଇଥିଲେ ପ୍ରତିଶୃତି । ହେଲେ ବାରମ୍ବାର ସ୍ୱାମୀ ଦେଇଚାଲିଥିଲେ ଧୋକା । କରୁଥିଲେ ଚୋରା ପୀରତି । ଯାହାକୁ ସହିପାରିଲେନି ପତ୍ନୀ । ଶେଷରେ ଚାଲିଯାଇଥିଲେ ବାପଘର । ହେଲେ ବର୍ତ୍ତମାନ ସ୍ତ୍ରୀ ଆସି ସ୍ୱାମୀ ଦାଣ୍ଡରେ । ସ୍ୱାମୀର ଦ୍ୱିତୀୟ ବିବାହକୁ ବିରୋଧ କରି ସ୍ତ୍ରୀର ହାଇଡ୍ରାମା ଏବେ ଘଟଣାକୁ କରିଛି ଚର୍ଚ୍ଚିତ ।

ହଁ ଆଜ୍ଞା ପାଗଳ କଲା ପ୍ରେମିକା । ପ୍ରେମରେ ଉବୁଟୁବୁ ହେଲା ସ୍ୱାମୀ । ପ୍ରଥମ ସ୍ତ୍ରୀ ଥାଇ ପ୍ରେମିକା ସହ ଦ୍ୱିତୀୟ ବିବାହ । ଦ୍ୱିତୀୟ ସ୍ତ୍ରୀକୁ ଆଣି ଏବେ ଘରେ ରଖିଥିବା ଅଭିଯୋଗ । ଏଭଳି ଏକ ହାଇଦ୍ରାମା ନୟାଗଡ ଜିଲ୍ଲା ସଦରଥାନା ରାଜପାଟଣାରେ ଦେଖିବାକୁ ମିଳିଛି । ୨ ବର୍ଷ ତଳେ ରାଜପଟଣା ଗାଁର ସନ୍ତୋଷ କୁମାର ସାହୁ ବୈଦିକ ରୀତିରେ କଇଁଥିଗାଡ଼ିଆ ଗାଁର ପୂଜା ସାହୁଙ୍କୁ ବିବାହ କରିଥିଲେ । ଏବେବି କାନ୍ଥରୁ ଲିଭିନି ବାହା ଚିତା । ହେଲେ ଭାଙ୍ଗିଯିବାକୁ ବସିଲାଣି ସଂସାର ।

ଯାହା ଅଭିଯୋଗ ହୋଇଛି ସନ୍ତୋଷଙ୍କ ବିବାହ ପୂର୍ବରୁ ଅନ୍ୟ ଜଣେ ଝିଅ ସହିତ ସମ୍ପର୍କ ଥିଲା । ଯାହା ବିବାହ ପରେ ମଧ୍ୟ ଜାରି ରହିଲା । ଯାହାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଝଗଡା । ଯାହାକୁ ନେଇ ପ୍ରାୟ ବର୍ଷେ ହେବ ପୂଜା ନିଜ ବାପାଙ୍କ ଘରେ ରହିଆସୁଥିଲେ । ହେଲେ ହଠାତ୍ ଗତକାଲି ବୋହୂ ପୂଜା ଖବର ପାଇଥିଲେ ସ୍ୱାମୀ ସନ୍ତୋଷ ଦଶପଲ୍ଲା ଅଂଚଳର ଜଣେ ଝିଅକୁ ବିବାହ କରି ଘରେ ଆଣି ରଖିଛନ୍ତି । ଯାହାକୁ ନେଇ ପୂଜା ସ୍ୱାମୀ ଦୁଆରେ ଆସି ଧାରଣା ଦେଇଛନ୍ତି । ଶାଢି ପିନ୍ଧି, ମୁଣ୍ଡରେ ଓଢଣା ଦେଇ ତାଙ୍କୁ ନ୍ୟାୟ ମିଳିବାକୁ ଦାବି କରିଛନ୍ତି ।

ଏପଟେ ଏହି ସମୟରେ ଶାଶୁ ଘର ଲୋକଙ୍କ ସହ ମାରପିଟ୍ ବି ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଖବର ପାଇବା ପରେ ସଦରଥାନା ପୋଲିସ୍ ଖବର ପାଇ ୨ ପରିବାର ସଦସ୍ୟଙ୍କୁ ଥାନାକୁ ଆଣି ବୁଝାଇବାକୁ ଚେଷ୍ଟା କରୁଛି । ସେପଟେ ବୋହୂ ପୂଜା ଆଣିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶାଶୁ । ବୋହୂ ନିଜେ ଶାଶୁ ଘରକୁ ଆସିବାକୁ ଚାହୁଁନି, ତେଣୁ ଏଭଳି ମିଥ୍ୟା ଅଭିଯୋଗ ଆଣି ବଦନାମ କରିବାକୁ ଚେଷ୍ଟା କରୁଥିବା ସେ କହିଛନ୍ତି ।

କିଏ କହୁଛି ସତ କିଏ କହୁଛି ମିଛ । ପୋଲିସ୍ ର ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ସ୍ପଷ୍ଟ ହେବ ମହିଳାଙ୍କ ଅଭିଯୋଗରେ କେତେ ରହିଛି ସତ୍ୟତା?ଏବଂ ପ୍ରଥମ ସ୍ତ୍ରୀଙ୍କ ସହ ଛାଡପତ୍ର ନହେଉଣୁ ସ୍ୱାମୀ କିଭଳି ଭାବେ ଦ୍ଵିତୀୟ ବିବାହ କଲେ?

ଆହୁରି ପଢନ୍ତୁ: ଶ୍ବଶୁର ଘରେ ବୋମା ଫୁଟାଇ ବନ୍ଧା ହେଲା ଜ୍ବାଇଁ, ଜବତ ହେଲା ଚାରୋଟି ଅଫୁଟା ବୋମା