ଆଜିଠୁ ଓଡ଼ିଆ ଭାଷା ମହାକୁମ୍ଭ : ଜନତା ମୈଦାନରେ ଭବ୍ୟ ଆୟୋଜନ, ଯୋଗଦେବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାଷାବିତ୍
ଆଜିଠୁ ଆରମ୍ଭ ହେବ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଭୁବନେଶ୍ବରର ଜନତା ମଇଦାନରେ ତିନି ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ପୂର୍ବାହ୍ନ ୧୧ଟା ସମୟରେ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଗାଁଠୁ ସହର ଯାଏ ଆଜି ଦିନ ୧୧ଟା ବେଳେ ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗାନ କରିବେ ।

ଭୁବନେଶ୍ୱର (କେନ୍ୟୁଜ): ଭାଷା ଅତୀତର ଅସ୍ତିତ୍ବ । ଭାଷା ହିଁ ଭବିଷ୍ୟତ । ମାତୃଭାଷା ଓଡ଼ିଆ ପ୍ରଚାର, ପ୍ରସାର ଓ ବିକାଶ ପାଇଁ ରାଜ୍ୟ ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ଶାସ୍ତ୍ରୀୟ ଓଡ଼ିଆ ଭାଷାକୁ ଆହୁରି ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଉଛି । ଭୁବନେଶ୍ବର ଜନତା ମୈଦାନରେ ମୁଖ୍ୟମନ୍ତ୍ରୀ ଦିନ ୧୧ଟାରେ ତିନି ଦିନିଆ ଐତିହାସିକ ସମ୍ମିଳନୀକୁ ଉଦଘାଟନ କରିବେ । ଏଠାରେ ଓଡ଼ିଶାର ଗୌରବମୟ ଅତୀତ, ପରିବର୍ତ୍ତନଶୀଳ ବର୍ତ୍ତମାନ ଓ ପ୍ରେରଣାଦାୟୀ ଭବିଷ୍ୟତର ଏକ ସୁସଜ୍ଜିତ ପ୍ରଦର୍ଶନୀ ପ୍ରଦର୍ଶିତ ହେବ । ୩ଟି ବିସ୍ତୃତ ବିଷୟ ଓ ସମୟସୀମା ପ୍ରାଚୀନ, ମଧ୍ୟ ଓ ଆଧୁନିକ ଉପରେ ଆୟୋଜିତ ହେବ ପ୍ରଦର୍ଶନୀ ।
ଉଦଘାଟନୀ ଦିବସରେ ରହିଛି ଜଗନ୍ନାଥ ସଂସ୍କୃତି ଉପରେ ସ୍ବତନ୍ତ୍ର ସେସନ୍ । ତିନି ଦିନିଆ ସମ୍ମିଳନୀରେ ସାମିଲ ହେବେ ଦେଶ ବିଦେଶର ୧୦୦ରୁ ଅଧିକ ବିଶିଷ୍ଟ ଭାଷାବିତ୍ । ଲେଖକ ଓ ସାହିତ୍ୟିକଙ୍କ ସମାଗମ ବି ହେବ । ୫ ବରପୁତ୍ରଙ୍କ ନାଁରେ ସମ୍ମିଳନୀ କକ୍ଷ କରାଯାଇଛି । ମୋଟ୍ ୧୬ ଅଧିବେଶନ ରହିଛି । ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଗାଁଠୁ ସହର ଯାଏ ଆଜି ଦିନ ୧୧ଟା ବେଳେ ସମସ୍ତେ ବନ୍ଦେ ଉତ୍କଳ ଜନନୀ ଗାନ କରିବେ । ରାଜ୍ୟବାସୀ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀର ସିଧା ପ୍ରସାରଣ ଦେଖିପାରିବେ। ପଞ୍ଚାୟତ ଓ ପୌରାଞ୍ଚଳରେ ଏଥିପାଇଁ ବ୍ୟବସ୍ଥା କରିଛନ୍ତି । ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମାନରେ ସମ୍ମାନିତ ହେବେ ବିଶିଷ୍ଟ ଭାଷାବିତ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ । ତାଙ୍କୁ ମାନପତ୍ର ସହ କୋଡ଼ିଏ ଲକ୍ଷ ଟଙ୍କା ପୁରସ୍କାର ରାଶିରେ ସମ୍ମାନିତ କରିବେ ମୁଖ୍ୟମନ୍ତ୍ରୀ।