ନୂଆପଡାରେ ମାଛ କିଲୋ ୫୦ ଟଙ୍କାରେ ହେଉଛି ବିକ୍ରି, ପଡୋଶୀ ବଲାଙ୍ଗୀର ଓ ବରଗଡ଼ ଅଂଚଳର ଲୋକଙ୍କ ପ୍ରବଳ ଭିଡ଼ ଜମୁଛି

ନୂଆପଡା : ନୂଆପଡା ଜିଲ୍ଲାରେ ଲଘୁଚାପ ବର୍ଷା ହୋଇଛି । ଯାହା ଫଳରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ର ଜଳସ୍ତର ବୃଦ୍ଧି ହୋଇଛି । ଏହାଦ୍ୱାରା ଉପରମୁଣ୍ଡରେ ଥିବା ସୁନ୍ଦର ନଦୀର ଗୋଳିଆ ପାଣିରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ ଧରୁଛନ୍ତି ଗାମ୍ରବାସୀ । ସାଧାରଣତଃ ବଜାରରେ ମାଛ ଦର ୨ଶହ ଟଙ୍କା ଥିବା ବେଳେ ଏଠାରେ ମାତ୍ର ୩0ରୁ ୫୦ ଟଙ୍କାରେ ମିଳୁଛି । ଏଠାକୁ ଆସି ତାଜା ଓ କମ ଦରରେ ମାଛ ନେବା ପାଇଁ ନୂଆପଡା ଜିଲ୍ଲା ସମେତ ପଡୋଶୀ ବଲାଙ୍ଗୀର ଓ ବରଗଡ ଅଞ୍ଚଳର ଲୋକଙ୍କ ପ୍ରବଳ ଭିଡ଼ ଜମିବାରେ ଲାଗିଛି । ନୂଆପଡା ଜିଲ୍ଲା ତିଖାଳିଠାରେ ଚାଷିଙ୍କ ଜମିକୁ ଜଳ ସେଚନ ଯୋଗେଇ ଦେବା ଉଦ୍ଧେଶ୍ୟରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି ।

ଏହି ଜଳସେଚନ ପ୍ରକଳ୍ପ ଚାଷିଙ୍କ ଜମିକୁ ଜଳସେଚନ ଯୋଗେଇ ଦେବା ସହିତ ଏଵେ ମତ୍ସ୍ୟଜୀବିଙ୍କୁ ରୋଜଗାର ମଧ୍ୟ ଯୋଗେଇ ଦେବା ଆରମ୍ଭ କରିଛି । ଚଳିତ ଲଘୁଚାପ ବର୍ଷାରେ ଡ୍ୟାମର ଜଳସ୍ତର ବୃଦ୍ଧି ହେବାରୁ ସୁନ୍ଦର ନଦୀର ତଟବର୍ତ୍ତି କୋମନା ବ୍ରିଜ ନିକଟରେ ଶହ ଶହ ଲୋକମାନେ ଗୋଳିଆ ପାଣିରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ ଧରୁଛନ୍ତି । ମାଛ ଧରିବା ସହ ମାଛକୁ ଦେଖିବା ନୂଆପଡା ଜିଲ୍ଲା ସମେତ ପଡୋଶୀ ବଲାଙ୍ଗୀର ଓ ବରଗଡ଼ ଅଂଚଳର ଲୋକଙ୍କ ପ୍ରବଳ ଭିଡ଼ ଜମୁଛି ।

ଏହି ମାଛର ଓଜନ ୧ ରୁ ୧୦ କି.ଗ୍ରା ପର୍ଯ୍ୟନ୍ତ ରହିଥିବା ବେଳେ ମାଛ କିଲୋ ୫୦ ଟଙ୍କାରେ ବିକ୍ରି ହେଉଛି ।  ଏପରକି କ୍ୱିଣ୍ଟାଲ କ୍ୱିଣ୍ଟାଲ ମାଛ ଟ୍ରାକ୍ଟର ଯୋଗେ ସ୍ଥାନୀୟ କୋମନା ବଜାରକୁ ନେଇ ବିକ୍ରି କରୁଥିବା ଦେଖିବାକୁ ମିଳିଛି । ମାଛ ତାଜା ଓ କମ ଦରରେ ବିକ୍ରି ହେଉଥିବାରୁ ଲୋକଙ୍କ ପ୍ରବଳ ଭିଡ଼ ଲାଗିରହିଛି । ସେହିଭଳି ସ୍ଥାନୀୟ ଲୋକଙ୍କୁ କମ ଦରରେ ମାଛ ମିଳୁଥିବା ବେଳେ ମତ୍ସ୍ୟଜୀବିମାନଙ୍କୁ ରୋଜଗାର ମାଧ୍ୟମ ସାଜିଥିବାରୁ ବେଶ ଖୁସି ପ୍ରକଟ କରିଛନ୍ତି ।