କନ୍ଧମାଳ: ମୁକୁଳା ଡ୍ରେନରେ ଚାଲିଛି ମାଛ ଚାଷ । ସେ ବି ପୁଣି କୀଟନାଶକ ମାଛ, ଯେଉଁ ମାଛ ଡ୍ରେନରେ ହେଉଥିବା ମଶା ବଂଶ ନିପାତ କରିବାରେ ସାହାଯ୍ୟ କରିବ । ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୁରା ସତ । ବିଶ୍ଵ ମତ୍ସ୍ୟ ଦିବସ ଅବସରରେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ ପାଢୀ ଏଭଳି ଏକ ନିଆରା ପ୍ରୟାସ କରି ଏବେ ବେଶ ଚର୍ଚାରେ ଅଛନ୍ତି । ଫୁଲବାଣୀ ପୌରପରିଷଦରେ ମୁକୁଳା ଭାବରେ ଅନେକ ଡ୍ରେନ ରହିଛି । ବହୁ ଦିନ ଧରି ଡ୍ରେନରୁ ଅଳିଆ ଆବର୍ଜନା ସଫା କରାଯାଉନଥିବାରୁ ଡ୍ରେନଗୁଡ଼ିକରୁ ଦୁର୍ଗନ୍ଧ ବାହାରିବା ସହ ଡେଙ୍ଗୁ ମଶା ହେଉଥିଲେ ।
ଏଥିପାଇଁ ବିଭିନ୍ନ ପ୍ରକାର ରୋଗର ଆଶଙ୍କାରେ ଭୟଭୀତ ଥିଲେ ସ୍ଥାନୀୟ ବାସିନ୍ଦା । ଏହି ଘଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଦୃଷ୍ଟି ଗୋଚର ହେବାରୁ ମଶା ନିପାତ କରିବା ପାଇଁ ଡ୍ରେନ ଗୁଡ଼ିକରେ କୀଟନାଶକ ମାଛ ଛାଡିଥିଲେ । ଯେଉଁଥିପାଇଁ ଏବେ ସେ ବେଶ ଚର୍ଚାରେ ଅଛନ୍ତି । ଏବେ ଗାମ୍ବୁଶିଆ ମାଛର ଗନ୍ତାଘର ପାଲଟିଛି କନ୍ଧମାଳ । ରାଜ୍ୟବ୍ୟାପୀ ଅନେକ ଜିଲ୍ଲା ପାଇଁ ଗମ୍ବୁଶିଆ ମାଛ ଦ୍ଵାରା ମଶା ବାହିତ ରୋଗ ନିର୍ମୂଳ ପାଇଁ ପ୍ରେରଣା ସାଜିଛି କନ୍ଧମାଳ । ୧୨ ଟି ବ୍ଲକ ତଥା ଜିଲ୍ଲା ମୁଖ୍ୟାଳୟରେ ଏହି ମାଛ ଉତ୍ପାଦନ କରି ଜିଲ୍ଲାର କୋଣ ଅନୁକୋଣରେ ଏହାର ବ୍ୟବହାର କରି ମଶା ବଂଶ ନିପାତ୍ତ କରିବା ପାଇଁ ପ୍ରୟାସ କରାଯାଉଛି ।
କନ୍ଧମାଳ ଜିଲ୍ଲା ସମେତ ଅନ୍ୟ ଜିଲ୍ଲା ଯଥା ଗଞ୍ଜାମ, ବୌଦ୍ଧ, ସୋନପୁର,ନୟାଗଡ଼,ସମ୍ବଲପୁର ଭଳି ଅନେକ ଜିଲ୍ଲାକୁ ଏହି ମାଛ ପ୍ରଦାନ କରାଯାଉଛି । ସିଡିଏମଓ ଡକ୍ଟର ସନ୍ତୋଷକୁ ପାଢ଼ୀଙ୍କ ଦ୍ଵାରା ଫୁଲବାଣୀ ମ୍ୟୁନିସିପାଲଟି ଅଞ୍ଚଳରେ ଥିବା ଡ୍ରେନ ଗୁଡ଼ିକରେ ଏହି ଲାର୍ଭାଖିଆ ମାଛ ଛାଡାଯାଇଛି । ଗୋପି ଓ ଗେମ୍ବୁସିଆ ଦୁଇ ପ୍ରକାର ଲାର୍ଭା ଖିଆ ମାଛ ରହିଛନ୍ତି । ପ୍ରଥମ ଥର ପାଇଁ ଫୁଲବାଣୀ ପୌରପରିଷଦ ଅଧିନରେ ଥିବା ସନି ମନ୍ଦିର ଡ୍ରେନ ଓ ସହରର ମୁଖ୍ୟ ବଜାରରେ ଥିବା ଡ୍ରେନରେ ପ୍ରଥମ ପର୍ଯ୍ୟାୟରେ ଗେମ୍ବୁଶିଆ ମାଛକୁ ଛଡ଼ାଯାଇଛି ।
ଏହି ମାଛର ମହତ୍ତ୍ଵ ହେଉଛି ଡ୍ରେନ ଭିତର ଆବର୍ଜନାରୁ ଯାତ ହେଉଥିବା ଡେଙ୍ଗୁ ମଶା ଓ ମଶା ଲାର୍ଭାକୁ ଖାଇ ମଶା ବଂଶ ନିପାତ କରିବା । ଏହି ଲାର୍ଭା ଖିଆ ମାଛ ଗୁଡ଼ିକ ଦୀର୍ଘ ତିନି ମାସ ପର୍ଯ୍ୟନ୍ତ ବଞ୍ଚିବେ ଏବଂ ଶହ ଶହ ମାଛ ଜନ୍ମ କରି ନିଜର ବଂଶ ବିସ୍ତାର କରିବେ ବୋଲି କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ବିଶ୍ଵ ମତ୍ସ୍ୟ ଦିବସ କାର୍ଯ୍ୟକ୍ରମ ଅବସରରେ ଉପସ୍ଥିତ ଥିବା ଛାତ୍ର, ଆଶା, ANM, ରୋଟାରୀଆନ୍, ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ଜନସାଧାରଣ ମାନେ ଉପସ୍ଥିତ ଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା କୁମୁଦ ସାହୁଙ୍କ, ଜିଲ୍ଲା ମ୍ୟାଲେରିଆ ଅଧିକାରୀ dr ଅରବିନ୍ଦ ଦାସ ଏହାର ମହତ୍ତ୍ଵ ଲୋକଙ୍କୁ ବୁଝାଇବା ସହ ସଚେତନ କରିଥିଲେ । ଫୁଲବାଣୀରେ ପ୍ରଥମ ଥର ପାଇଁ ଏହିଭଳି କାର୍ଯ୍ୟକ୍ରମ କରି ସହରକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ପଦକ୍ଷେପ ନେଇଥିବାରୁ ସହରବାସୀ ଓ ବ୍ୟବସାୟୀ ମାନେ ଭୂରି ଭୂରି ପ୍ରଶଂସା କରିଛନ୍ତି । ଏହିପରି କାର୍ଯ୍ୟକ୍ରମ ପୌରପରିଷଦ କରିବା ଆବଶ୍ୟକ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।
କେବଳ ଯେ ପୌରପରିଷଦ କିମ୍ବା ସରକାରୀ ଅଧିକାରୀଙ୍କ ସେଚତନ ବାର୍ତ୍ତା ଯଥେଷ୍ଟ ନୁହେଁ ଜନସାଧାରଣଙ୍କ ସଚେତନତା ମଧ୍ୟ ଆବଶ୍ୟକ ତେବେ ଯାଇ ପରିବେଶ ସଫା ରହିବ ଏବଂ ଆମେ ସୁସ୍ଥ ଓ ନିରୋଗ ରହିବା । ଅନ୍ୟପଟେ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଏଭଳି ଅଭିନବ ପ୍ରୟାସକୁ ବେଶ ପ୍ରଶଂସା କରିଛନ୍ତି ସ୍ଥାନୀୟ ବାସିନ୍ଦା ।