ମତ୍ସ୍ୟଜୀବିମାନଙ୍କ ସାହା ଭରଷା ଚଣ୍ଡିଆକୁଦାର ମା’ କାଳିଜାଇ

ପିପିଲି: ଗଭୀର ଜଳ ରାଶି । ଯୁଆଡ଼େ ଦେଖିବେ ଅମାପ ପାଣି । ଏହାରି ଭିତରେ ଟକେ ନିରେଖି ଚାହିଁଲେ ଦେଖାଯାଉଛି ନାଲି ଫର ଫର ବାନା । ଏ ବାନା ବିଶ୍ଵାସ ଆଉ ଭକ୍ତିର । ପ୍ରତେ୍ୟକ ସମୟ ପାଇଁ ମତ୍ସ୍ୟଜୀବିଙ୍କ ପାଇଁ ପାଲଟିଛି ଆଶ୍ରୟର ନୀଡ଼ । ଅମାପ ଚିଲିକାର ଜଳ ରାଶିରେ ଝଡ଼ ବତାସରେ ମତ୍ସ୍ୟଜୀବିମାନଙ୍କ ପାଇଁ ସାହା ଭରଷା ଚଣ୍ଡିଆକୁଦାରେ ପୂଜା ପାଉଥିବା ମା’ କାଳିଜାଇ ।
ଯେତେବେଳେ ମତ୍ସ୍ୟଜିବୀମାନେ ଚିଲିକାକୁ ମାଛ ଧରିବାପାଇଁ ଯାଇଥାନ୍ତି ସେତେବେଳେ ଚିଲିକାର ନୀଳ ରାଶି ମଧ୍ୟରେ ରହିଥିବା ଚଣ୍ଡିଆକୁଦାରେ ପୂଜା ପାଉଥିବା ମା’ କାଳିଜାଇ ପାଲଟି ଯାଇଥାନ୍ତି ସୁରକ୍ଷାର ଚାଦର । ମତ୍ସ୍ୟଜିବୀମାନେ ନିଜ ନାଆରେ ଚିଲିକାକୁ ମାଛ ଧରିବାପାଇଁ ନେଉଥିବା ବେଳେ କିଭଳି ଭଲରେ ଘରକୁ ଫେରି ଆସିବେ ସେଥିପାଇଁ ମା’ କାଳିଜାଇଙ୍କୁ ସୁମରଣା କରି ନିଜ କର୍ମ ଆରମ୍ଭ କରିଥାନ୍ତି ।
ଏହି ମା’ କାଳିଜାଇଙ୍କ ପ୍ରତି କେବଳ ଯେ ମତ୍ସ୍ୟଜୀବିଙ୍କର ବିଶ୍ଵାସ ରହିଛି ତାହା ନୁହେଁ ଏଠାକୁ ବୁଲିବାକୁ ଆସୁଥିବା ପ୍ରତେ୍ୟକ ଭକ୍ତମାନଙ୍କର ରହିଛି ଗଭୀର ଭକ୍ତି ଏବଂ ପ୍ରଗାଢ ବିଶ୍ଵାସ । ଯେଉଁ ବିଶ୍ଵାସ ଆଧାରରେ ମାନସିକ କରିଥାନ୍ତି ସେମାନଙ୍କ ମନସ୍କାମନା ପୁରଣ ହୋଇଥାଏ । ମନସ୍କାମନା ପୂରଣ ହେଲେ ଭକ୍ତ ହୁଅନ୍ତୁ ଅଥବା ମତ୍ସ୍ୟଜୀବି ସମସ୍ତେ ମା’ କାଳିଜାଇଙ୍କ ନିକଟରେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରି କୁକୁଡ଼ାକୁ ଉଡ଼ାଇଥାନ୍ତି ।
ତେବେ ଏହି ପୀଠର ଲୋକ ବିଶ୍ଵାସ ଆଜି ବି ସମସ୍ତଙ୍କ ମନରେ ରହିଆସିଅଛି । ଥରେ କିଛି ଯୁବକମାନେ ଏଠାକୁ ଭୋଜି କରିବା ପାଇଁ ଆସିଲେ ବଣରେ ବୁଲୁଥିବା କୁକୁଡ଼ାକୁ ଭୋଜି କରି ଖାଇଥିଲେ । ଫେରିବା ବାଟରେ ଯୁବକମାନେ ଯାଉଥିବା ଡ଼ଙ୍ଗାଟି ବୁଡ଼ି ଯାଇଥିଲା । ଏହି ଅଘଟଣରେ ସମସ୍ତେ ବଞ୍ଚି ଯାଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା । ସେବେ ଠାରୁ ଏଠାରେ ବୁଲୁଥିବା କୁକୁଡ଼ା ଗୁଡ଼ିକୁ କେହି ମାରନ୍ତି ନାହିଁ ।