ଭାରତ ଖୁବ୍‌ ଶୀଘ୍ର ଅଲିମ୍ପିକ୍ସରେ ଖେଳିବ ଭଲିବଲ୍‌, ଆଶା ପ୍ରକଟ କରିଛନ୍ତି ଏଫ୍‌ଆଇଭିବି ମହାନିର୍ଦ୍ଦେଶକ

କେନ୍ୟୁଜ୍(ବ୍ୟୁରୋ): ଭଲିବଲ୍‌ ଅନେକଙ୍କୁ ଯୋଡ଼ିପାରୁଥିବା ଏକ ଚମତ୍କାର ଖେଳ । ଭାରତୀୟ ଭଲିବଲ୍‌ ସଫଳତା ଦୃଷ୍ଟିରୁ ପରିଚିତ ନଥିଲେ ମଧ୍ୟ ଖୁବ୍‌ ଶୀଘ୍ର ଅଲିମ୍ପିକ୍ସ ଓ ବିଶ୍ଵ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିବ । ଏମିତି ଆଶା ପ୍ରକଟ କରିଛନ୍ତି ଏଫ୍‌ଆଇଭିବି (ଫେଡେରେସନ୍‌ ଅଫ୍‌ ଇଣ୍ଟରନ୍ୟାସନାଲ୍‌ ଡି ଭଲିବଲ୍‌)ର ମହାନିର୍ଦ୍ଦେଶକ ଫାବିଓ ଆଜେଭେଦୋ । ପ୍ରଥମ ଥର ପାଇଁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଏଫ୍‌ଆଇଭିବିର ୪ଜଣିଆ ପ୍ରତିନିଧି ମଣ୍ଡଳିର ନେତୃତ୍ୱ ନେଇଥିବା ଫାବିଓ ମଧ୍ୟ ଓଡ଼ିଶା ବିଶେଷକରି କିଟ୍‌ ଓ କିସ୍‌ କ୍ରୀଡ଼ା ଭିତ୍ତିଭୂମି ଦେଖିବା ପରେ କହିଛନ୍ତି ଅନ୍ତର୍ଜାତୀୟ ସ୍ତରର ବଡ଼ ପ୍ରତିଯୋଗିତା ଆୟୋଜନ କରିବାରେ ‘ଆପଣଙ୍କ ରାଜ୍ୟ ସକ୍ଷମ’ ।

ଫାବିଓଙ୍କ ଏଭଳି ଉତ୍ସାହଜନକ ଅଭିଭାଷଣ ଭାରତୀୟ ଭଲିବଲ୍‌ ପାଇଁ ଭିଟାମିନ୍‌ ଭଳି ହେବ ବୋଲି ମଧ୍ୟ କ୍ରୀଡ଼ା ବିଶାରଦମାନେ କହିଛନ୍ତି । ଭଲିବଲ୍‌ରେ ଭାରତ କେବେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିନଥିବା ବେଳେ ମାତ୍ର ଦୁଇ ଥର ବିଶ୍ୱ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛି । ଭାରତୀୟ ଭଲିବଲ ସଂଘର ସଭାପତି ସାମନ୍ତ କହିଥିଲେ ୨୦୨୮ ଅଲିମ୍ପିକ୍ସ ବେଳକୁ ଭାରତ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିବା ଲାଗି ଯୋଜନା ପ୍ରସ୍ତୁତ ହେଉଛି । ଏଫ୍‌ଆଇଭିବି ଏ ଦିଗରେ ନିଶ୍ଚିତ କାର୍ଯ୍ୟ କରିବ ବୋଲି ଡକ୍ଟର ସାମନ୍ତ କହିଥିଲେ ।

 

Leave A Reply

Your email address will not be published.