ଡକାୟତମାନେ କଳାକନା ବୁଲାଇବାର ୫ ଦିନ ବିତିଲା, ଚୋରଙ୍କ ଟେର୍ ପାଉନି ପୋଲିସ

ଝିଅ ମୁଣ୍ଡରେ ବନ୍ଧୁକ ଲଗାଇ ପ୍ରାୟ କୋଟିଏ ଟଙ୍କାର ସମ୍ପତ୍ତି ଲୁଟ୍ କରି ନେଲେ ଦୁର୍ବୃତ୍ତ । ଆଲମାରୀ ଲକର ଭାଙ୍ଗି ନେଇଗଲେ ପୁଳା ପୁଳା ଟଙ୍କା ଓ ସୁନା ଗହଣା । ସବୁ କିଛି ହରିଲୁଟ୍ ହୋଇଯାଇଛି । କଟକ ଜିଲ୍ଲା ସାଲେପୁର ଥାନା ଜାହାଙ୍ଗୀରବାଦ ଗାଁରେ ବିଜୟ ମହାନ୍ତିଙ୍କ ଘରୁ ଡକାୟତମାନେ କଳାକନା ବୁଲାଇଥିଲେ ।

ବିଜୟ ମହାନ୍ତିଙ୍କ ଘରେ ସୋମବାର ବିଳମ୍ବିତ ରାତିରେ ଏଭଳି ଡକାୟତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ସମସ୍ତେ ଶୋଇଥିବା ଅବସ୍ଥାରେ ୪ ଜଣ ଲୁଟେରା ଘର ଛାତ କବାଟ ଭାଙ୍ଗି ସିଡ଼ି ଘର ବାଟେ ପଶିଥିଲେ । ଆଉ ବନ୍ଧୁକ ଦେଖାଇ ୫୦ଲକ୍ଷ ଟଙ୍କାର ସୁନା ଗହଣା ସହ ୩୦ ଲକ୍ଷରୁ ଊର୍ଦ୍ଧ୍ବ ନଗଦ ଟଙ୍କା ଲୁଟି ନେଇଥିଲେ । ଜମି ବିକ୍ରି କରି ଝିଅ ବାହାଘର ପାଇଁ ସୁନା ଏବଂ ଟଙ୍କା ରଖିଥିଲେ ବୋଲି ବିଜୟ କହିଛନ୍ତି । ହେଲେ ଝିଅ ବାହାଘର ପୂର୍ବରୁ ସେ ସବୁ କିଛି ଲୁଟି ନେଲେ ଚୋର ।

ଡକାୟତି ଘଟଣାକୁ ୫ ଦିନ ବିତିଗଲାଣି । କିନ୍ତୁ ପୋଲିସ ଚୋରଙ୍କ ଟେର ପାଉନାହିଁ । ତେବେ ସବୁଠାରୁ ବଡ଼ କଥା ହେଉଛି ବିଜୟଙ୍କ ଘରୁ ଦାମୀ ଦାମୀ ବାଇକ ସହ କାର ବାହାରିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ଏତେ ଦାମୀ ଦାମୀ ଗାଡ଼ି କେଉଁଠୁ ଆଣିଲେ ବିଜୟ । ତାକୁ ନେଇ ଉଠିଛି ପ୍ରଶ୍ନ । ତେବେ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ସୁଧ କାରବାର କରି ଲୋକଙ୍କ ଠାରୁ ବିଜୟ ମହାନ୍ତି ବାଇକ୍ ଓ ସୁନା ବନ୍ଧକ ରଖୁଥିଲେ । ବିନା ଲାଇସେନ୍ସରେ ସୁନା ଗାଡି ବନ୍ଧକ ରଖି ସାଧାରଣ ଲୋକଙ୍କ ଠାରୁ ମୋଟା ଅଙ୍କରେ ସୁଦ୍ଧ ଆଦାୟ କରୁଥିଲେ ବିଜୟ । ଯାହାକୁ ନେଇ ସାଧାରଣ ଲୋକେ ଉଚିତ ତଦନ୍ତ ପାଇଁ ଦାବି କରିଛନ୍ତି ।

ସାଲେପୁର ଥାନା ଜାହାଙ୍ଗୀରାବାଦ  ବିଜୟ ମହାନ୍ତିଙ୍କ ଘର ଭିତରେ ଯୁଆଡେ ଦେଖିବ ଖାଲି ନାମୀଦାମୀ ବାଇକ ସହ କାର । ଏତେ ସଂଖ୍ୟକ ବାଇକ ଓ କାର ବାହାରିବା ପରେ ପୋଲିସର ସନ୍ଦେହ ବଢିଛି । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି  ଘର ର ବେଡ ରୁମ ସହିତ ବିଭିନ୍ନ ସ୍ଥାନରେ  ଶତାଧିକ ସୌଖିନ  ବାଇକ୍  ନାମୀ ଦାମୀ କାର ରହିଥିବା ଦେଖିବାକୁ ମିଳିଛି । ଯାହାର ମୂଲ୍ୟ କୋଟି କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଏତେ ଟଙ୍କାର ଗାଡି ବାହାରିବା ପରେ ପୋଲିସର ସନ୍ଦେହ ଘେରରେ ବିଜୟ ମହାନ୍ତି ।

ଅନ୍ୟପଟେ  ବିଜୟ ମହାନ୍ତି  ଗଣମାଧ୍ୟମକୁ  ପ୍ରତିକ୍ରିୟା  ଦେଉଛନ୍ତି  କି  ତାଙ୍କ ଘରୁ କୋଟିଏ  ଟଙ୍କା  ପାଖାପାଖି  ଚୋରି  ହୋଇଛି । କିନ୍ତୁ  ପୋଲିସ  କହୁଛି  ଯେ  ତେର ଲକ୍ଷ  ଟଙ୍କା  ଚୋରି ହୋଇଥିବା ବିଜୟ ମହାନ୍ତି ପୋଲିସକୁ କହିଛନ୍ତି । ଏବେ ସାଧାରଣ ଲୋକ ଦାବି  କରୁଛନ୍ତି  ଚୋରି ହୋଇଛି  କି  ନାହିଁ  ପୋଲିସ  କାହିଁକି  ସ୍ପଷ୍ଟ କରୁନି । ଆଜି ଯାଏଁ ପୋଲିସ  ବିଜୟ  ମହାନ୍ତି  ଘରେ  ଥିବା ଗାଡି ଗୁଡ଼ିକୁ  କାହିଁକି ଯାଞ୍ଚ କରୁନି କି  ବିଜୟ  ମହାନ୍ତିଙ୍କୁ  କାହିଁକି  ଥାନାକୁ  ଡକା ଯାଉନି, ଏନେଇ  ସାଧାରଣ ଲୋକ  ଉଠାଉଛନ୍ତି  ପ୍ରଶ୍ନ ।

ଦିନ ପରେ ଦିନ ଗଡି ଚାଲିଛି ଆଉ ଲୋକଙ୍କ ଭିତରେ ଉତ୍କଣ୍ଠା ବଢୁଥିବା ବେଳେ ଲୁଟ୍ ପଛରେ ବେଶ୍ କିଛି ରହସ୍ୟ ଲୁଚି ରହିଥିବା ଚର୍ଚ୍ଚା ହେଉଛି । ତେଣୁ ପୋଲିସ୍ ସଠିକ୍ ତଦନ୍ତ କରି ଘଟଣାର ସତ୍ୟତା ପଦାକୁ ଆଣିବା ଲାଗି ସାଧାରଣ ଲୋକେ ଦାବି କରିଛନ୍ତି ।

Also Read: ଘରେ ସଶସ୍ତ୍ର ଡକାୟତି, ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା