କୁଜଙ୍ଗ ପୋଲିସକୁ ମିଳିଛି ବଡ ସଫଳତା, ଛିନତାଇ ଗ୍ୟାଙ୍ଗର ୫ ଜଣ ଗିରଫ

ପାରାଦୀପ: କେତେବେଳେ ରାସ୍ତା ମଝିରେ ଲୋକଙ୍କ ଠାରୁ ସୁନା ଓ ଟଙ୍କା ଝାମ୍ପି ନେଉଛନ୍ତି ତ କେତେବେଳେ ରାତି ଅଧରେ ଲୋକଙ୍କ ଘରେ ପଶି ଲୁଟ କରୁଛନ୍ତି ଲୁଟେରା । କାହାକୁ ବି ଖାତିର ନାହିଁ ଏମାନଙ୍କର । ନା ପୋଲିସକୁ ଭୟ କରୁଛନ୍ତି ନା ଆଇନ୍ କାନୁନକୁ ଏମାନଙ୍କର ଭୟ ଅଛି । ଘରେ କେହି ନ ଥିବାର ସୁଯୋଗ ନେଇ ଘରେ ପଶୁଛନ୍ତି ଆଉ କଳେବଳେ କୌଶଳେ ଲୁଟିନେଉଛନ୍ତି ସବୁକିଛି । କିନ୍ତୁ କେତେଦିନ ବା ଏମାନେ ଚୋରି କରି ନିର୍ଭୟରେ ବାହାରେ ବୁଲିଥାନ୍ତେ । ପୋଲିସର ତଦନ୍ତ ଆଗରେ ଫିକା ପଡ଼ିଲା ଏମାନଙ୍କ ସବୁ ଚାଲାକି । କୁଜଙ୍ଗ ପୋଲିସକୁ ମିଳିଛି ବଡ ସଫଳତା । ଜବତ ହୋଇଛି ସୁନା ଅଳଙ୍କାର ସହ ଟଙ୍କା ଓ ଗାଡ଼ି । ଦୀର୍ଘ ଦିନ ହେଲା କୁଜଙ୍ଗ ଓ ଏରସମା ଅଞ୍ଚଳରେ ଚୋରି ଓ ଛିନତାଇ ଘଟଣାରେ ଜଡିତ ଏକ ଗ୍ୟାଙ୍ଗର ୫ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।
ସୂଚନା ମୁତାବକ ଚଳିତ ମାସ ଗତ ୨ ତାରିଖରେ କୁଜଙ୍ଗ ବ୍ଲକ ଅନ୍ତର୍ଗତ ଜନାର୍ଦ୍ଦନ ପୁର ଗାଁର ସାବିତ୍ରୀ ପ୍ରଧାନ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଏତଲା ଅନୁଯାୟୀ ତାଙ୍କ ଶଶୁର ୧ ତାରିଖ ଦିନ ଘର ବନ୍ଦ କରି କଟକ ଯାଇଥିବା ସମୟରେ କିଛି ଦୁର୍ବୁତ ରାତିରେ ଉପର ଘର ଓ ତଳ ଘରର କବାଟ ଭାଙ୍ଗି ସୁନା, ଅଳଙ୍କାର ସହିତ ଟଙ୍କା ଲୁଟି ନେଇଥିଲେ।
ଅଭିଯୋଗ ଆଧାରରେ କୁଜଙ୍ଗ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ତଦନ୍ତରେ ଡଗ୍ ସ୍କ୍ୱାର୍ଡ, ସାଇବର ଟିମ ସହିତ ସାଇଣ୍ଟିଫିକ ଟିମର ସହଯୋଗ ଲୋଡିଥିଲା କୁଜଙ୍ଗ ପୋଲିସ । ତେବେ ବିଶେଷ ସୂତ୍ରରୁ ଖବର ପାଇ ୫ ଜଣ ଅଭିଯୁକ୍ତଙ୍କୁ ଧରିବା ସହିତ କିଛି ସୁନା ଜିନିଷ, କ୍ୟାସ୍ ଏବଂ ଚୋରିରେ ବ୍ୟବହୃତ ହୋଇଥିବା କାର ଓ ୩ଟି ମଟର ସାଇକେଲ ସମେତ ୪ ଟି ମୋବାଇଲ ଜବତ କରିବାରେ ସଫଳ ହୋଇଛି ପୋଲିସ । ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ତିତ୍ରୋଲ ଏସଡିପିଓ ଚିନ୍ମୟ ରାଉତ ।
ଲୁଟେରାଙ୍କ ପର୍ଦ୍ଦାଫାସ କରିବା ପାଇଁ ପୋଲିସର ଏଭଳି ପଦକ୍ଷେପ ସତରେ ପ୍ରଶଂସନୀୟ । ତେବେ ଏହି ଗ୍ୟାଙ୍ଗରେ ଆହୁରି ସଦସ୍ୟ ରହିଥିବା ବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି ।
Also Read:ସ୍ପେଶାଲ ସ୍କ୍ବାଡ ସହାୟତରେ ବାଇକ ଲୁଟେରା ଗ୍ୟାଙ୍ଗ ଠାବ, ୪ ଗିରଫ ସହ ୧୩ ଗାଡି ଜବତ