ଦୁଃଖର କଳା ବାଦଲ ଭିତରେ ପରମେଶ୍ୱରଙ୍କ ପରିବାର, କ୍ଯାବିନ୍ ଘର ପାଲଟିଛି ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କ ସାହାରା

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଂଟିଆ ଗ୍ରାମର ରାସ୍ତା କଡରେ ରହିଛି ଏକ କ୍ୟାବିନ। ଏହା କୌଣସି ପାନ ଦୋକାନ ନୁହେଁ ବରଂ ଏହା ହେଉଛି ପରମେଶ୍ୱରଙ୍କ ଘର । ଆପଣଙ୍କୁ ଆଶ୍ଚର୍ଯ୍ଯ ଲାଗୁଥିଲେ ବି ଏହା ସତ।  କିଡନୀ ରୋଗୀ ପରମେଶ୍ୱର ଜେନାଙ୍କ ସହ ତାଙ୍କ ପରିବାର ସାହାରା ହେଉଛି ଏହି କ୍ଯାବିନ୍ । ପରିବାର କହିଲେ ୨ ପିଲା, ବୁଢିମା ଓ ତାଙ୍କ ପତ୍ନୀ ।

kidnyସବୁ କିଛି ଠିକ୍‌ଠାକ ଚାଲିଥିଲା । ପରମେଶ୍ୱର ମଜୁରୀ ଲାଗି ନିଜ ପରିବାରକୁ ହସ ଖୁସିରେ ଚଳାଇ ଆସୁଥିଲେ । ହେଲେ ୫ ବର୍ଷ ତଳେ ସେ ହଠାତ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଘରେ ବସି ରହିଲେ । ଆର୍ଥିକ ଅବସ୍ଥା ଭଲ ନଥିବାରୁ ଭଲ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହୋଇପାରିଲେ ନାହିଁ । ଫଳରେ ରୋଗ ଦିନକୁ ଦିନ ବଢିବାରେ ଲାଗିଲା । ପରିବାରର ରୋଜଗାରିଆ ପୁଅ ଘରେ ବିସିବାପରେ ସବୁ କିଛି ଓଲଟପାଲଟ ହୋଇଗଲା ।

cookତେବେ ଚଳିତ ବର୍ଷ ତାଙ୍କୁ ସରକାରୀ ଯୋଜନାରେ ଏକ ପକ୍କାଘର ମିଳିଥିଲା । ଘର କରିବା ଲାଗି ନିଜର ପୁରୁଣା ଘର ଭାଙ୍ଗି ସେଠାରେ ପକ୍କାଘର ନିର୍ମାଣ କାମ ଆରମ୍ଭ କରିଥିଲେ । ଏହି ସମୟରେ ତାଙ୍କର ରୋଗ ଯନ୍ତ୍ରଣା ବଢିବା ଯୋଗୁ ଘର କାମ ବନ୍ଦ କରି ସେ ଭୁବନେଶ୍ୱର ଯାଇ ଚିକିତ୍ସିତ ହେଲେ । ଫଳରେ ଘର କାମ ଅଧାରେ ଅଟକି ରହିଗଲା ।

houseଲକଡାଉନ ଯୋଗୁ ଭୁବନେଶ୍ୱରରେ ଅଟକି ରହିଥିଲେ ପରମେଶ୍ୱର । ଏବେ କିଛି ଦିନ ତଳେ ଘରକୁ ଫେରିଥିବା ବେଳେ ଘର ନଥିବାରୁ ଗାଁ ମୁଣ୍ଡରେ ଥିବା ଏହି କ୍ୟାବିନରେ ପରିବାର ସହ ରହୁଛନ୍ତି । ଏଠାରେ ଖାଇବା, ରହିବା ସବୁ କିଛି । ପରମେଶ୍ୱରଙ୍କ ଏଭଳି ଅବସ୍ଥାକୁ ନେଇ ଗ୍ରାମର କିଛି ଯୁବ ଗୋଷ୍ଠି ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ଏନେଇ ସେମାନେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ପ୍ରଶାସନକୁ ଅବଗତ କରିଥିଲେ ହେଁ କିଛି ସୁଫଳ ମିଳିନାହିଁ । ଯାହା ଫଳରେ କି ଏହି ପରିବାର ଏବେ ରାସ୍ତା କଡରେ ଏହି କ୍ୟାବିନରେ ପଡି ରହିଛନ୍ତି । ଏହି ଅସହାୟ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବା ଲାଗି ଗ୍ରାମବାସୀମାନେ ଦାବି କରିଛନ୍ତି ।

ଯାଜପୁରରୁ ଅଭିନେଶ୍ବର ଶତପଥୀଙ୍କ ରିପୋର୍ଟ, କେନ୍ୟୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.