ପାଞ୍ଚ ମାସ ପରେ ଖୋଲିଲା କୁଲଢିଆ ଅଭୟାରଣ୍ୟ

ବାଲେଶ୍ୱର : ପ୍ରକୃତି ଓ ବନ୍ୟପ୍ରାଣୀ ପ୍ରେମୀ ପର୍ଯ୍ୟଟକ ଙ୍କ ପାଇଁ ଖୁସି ଖବର ।  ପାଞ୍ଚ ମାସ ପରେ ଖୋଲିଲା କୁଲଢିଆ ଅଭୟାରଣ୍ୟ ।  ପର୍ଯ୍ୟଟକ ମାନେ ନେଚର୍ କ୍ୟାମ୍ପ ରହଣୀର ମଜା ନେଇପାରିବେ।  ପ୍ରଥମ ପର୍ଯ୍ୟାୟରେ ୩୮ ଜଣ ପର୍ଯ୍ୟଟକ ,ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଛନ୍ତି । ବାଘ, ଭାଲୁ, ଗୟଳ , ନୀଳଗାଈ, ମାଙ୍କଡ, ହରିଣ ବିଭିନ୍ନ ପ୍ରକାରର ପଶୁ ପକ୍ଷୀଙ୍କୁ ଦେଖି ପାରିବେ ପର୍ଯ୍ୟଟକ ।  ନନ୍ଦନକାନନରୁ ଆସିଥିବା ୨୭ଟି ହରିଣ ପର୍ଯ୍ୟଟକଙ୍କ ମୂଖ୍ୟ ଆକର୍ଷଣ ପାଲଟିବ।

ଓଡ଼ିଶାରେ ଥିବା କୁଲଢିଆ ଅଭୟାରଣ୍ୟର ସୌନ୍ଦର୍ଯ୍ୟ ପଯ୍ୟଟକଙ୍କୁ ବେଶ୍‌ ଆକୃଷ୍ଟ କରେ । ଏଠାରେ ଥିବା ଜୀବଜନ୍ତୁ ଏବଂ ସୁନ୍ଦର ପରିବେଶରେ ପର୍ଯ୍ୟଟକମାନେ ବାହାର ଦୁନିଆକୁ ଭୁଲି ଯାଆନ୍ତି । କୁଲଢିଆର ପ୍ରକୃତିର ଦୃଶ୍ୟ ଖୁବ ମନୋରମ । ତେବେ ରାଜ୍ୟ ତଥା ଦେଶର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କୁଲଢିଆ ଅଭୟାରଣ୍ୟକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ମିଳିଛି । ଯାହା ଓଡ଼ିଶା ତଥା ବାଲେଶ୍ୱର ଜିଲ୍ଲା ପାଇଁ ଗର୍ବ ଓ ଗୌରବର ବିଷୟ ।

କୁଲଢିଆ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ ମଧ୍ୟରେ ବହୁ ହାତୀ ରହୁଥିବାରୁ ଏହାକୁ ହସ୍ତୀ ଅଭୟାରଣ୍ୟର ମାନ୍ୟତା ମଧ୍ୟ ମିଳିଛି । ଏହାର ପାକୃତିକ ସୌନ୍ଦର୍ଯ୍ୟରେ ଆକୃଷ୍ଟ ହୋଇ ଜିଲ୍ଲା ତଥା ରାଜ୍ୟ ବାହାରୁ ବହୁ ପର୍ଯ୍ୟଟକ ଏହାର ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଆସିଥାନ୍ତି । ଏହି ଅଭୟାରଣ୍ୟ ୨୭୨.୭୫ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପି ରହିଛି ।

ଏହା ମଧ୍ୟରେ ଛୋଟ ଛୋଟ ପାହାଡି ଝରଣା, ରିଶିଆ ଡ୍ୟାମ , ଗୋହିରାଭୋଳ ଠାରେ ପ୍ରକୃତି ନିବାସ ରହିଛି । ଜଙ୍ଗଲ ମଧ୍ୟରେ ବିଭିନ୍ନ ପ୍ରଜାତିର ବନ୍ୟପ୍ରାଣୀ ଯଥା ହାତୀ, ଭାଲୁ ,ବାଘ, ହରିଣ, ସମ୍ବର, ଗୟଳ, ମଇଁଷି, ନୀଳଗାଈ, କୁଟାରି ବଜ୍ରକାପ୍ତା, ଠେକୁଆ, ମୟୂର, ବିରଳ ପ୍ରଜାତିର ପାହାଡି କଇଁଛ ଏବଂ ଦେଶୀ ତଥା ବିଦେଶାଗତ ପକ୍ଷୀ ଦେଖାଯାଇଥାନ୍ତି । ୨୫୦ରୁ ଅଧିକ ପ୍ରଜାତିର ପଶୁପକ୍ଷୀ ଏଠାରେ ଭିନ୍ନ ଭିନ୍ନ ସମୟରେ ଦେଖିବାକୁ ମିଳିଥାଏ ।

ତେବେ ଏହି ସବୁ ଦୃଶ୍ୟ ଦେଖିବାକୁ ହେଲେ ପର୍ଯ୍ୟଟକ ମାନଙ୍କୁ ଅଭୟାରଣ୍ୟ ଭିତରକୁ ଯିବାକୁ ପଡ଼ିଥାଏ । ଏବେ ବନବିଭାଗ ପକ୍ଷରୁ ପର୍ଯ୍ୟଟକଙ୍କ ପାଇଁ ରାତ୍ର ରହଣୀ ଓ ସୁଷମ ଖାଦ୍ୟ ପେୟର ବ୍ୟବସ୍ଥା କରାଯାଇଛି । ତେବେ ବର୍ଷା ଋତୁରେ ପାଞ୍ଚ ମାସ ଏହି ଅଭୟାରଣ୍ୟ ବନ୍ଦ ରହୁଥିବା ବେଳେ ଚଳିତ ବର୍ଷ ପର୍ଯ୍ୟଟକମାନଙ୍କ ପାଇଁ ନଭେମ୍ବର ୧ ତାରିଖରେ ଏହା ଖୋଲାଯାଇଛି ।

You might also like