ପଥରକୁ ପିଟିଲେ ବାହାରୁଛି ସଙ୍ଗୀତର ସାତ ସୁର ମଧ୍ୟରୁ ୫ଟି ସୁର

ଜୟପୁର: ଅନେକ ସମୟରେ କିଛି ଅବିଶ୍ୱସନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ଆମ ଆଖପାଖରେ ଘଟିଥାଏ । ଯାହା ଆମେ ଆଖିରେ ନଦେଖିଲେ ଏତେ ସହଜରେ ବିଶ୍ବାସ କରିନଥାନ୍ତି । ଆଜି ଆମେ ଆପଣଙ୍କୁ ଯେଉଁ ବିଷୟରେ କହିବାକୁ ଯାଉଛୁ ତାହା ଆପଣ ନିଜ ଆଖିରେ ନ ଦେଖିଲେ, କି କାନରେ ସେ ଶବ୍ଦ ନ ଶୁଣିଲେ ବିଶ୍ବାସ କରିପାରିବେନି । ଯାହା ପ୍ରକୃତିର ବିସ୍ମୟ ବୋଲି ବିଶ୍ବାସ କରାଯାଉଛି । ପଥର ଦେହରେ ରହିଛି ସଙ୍ଗୀତର ସାତ ସୁର ମଧ୍ୟରୁ ୫ଟି ସୁର । ପଥରକୁ ପିଟିଲେ ବାହାରୁଛି ଘଣ୍ଟ ଭଳି ଶବ୍ଦ । ଲୋକେ ଏହାକୁ କହୁଛନ୍ତି ‘ବାଜନି ପଥର’। ପଥର ପାଖକୁ ନ ଗଲେ ନ ଦେଖିଲେ ବିଶ୍ବାସ ହେବନି । ଜଡ଼ ପଥରରୁ ସଙ୍ଗୀତର ସ୍ବର ଉତ୍ପନ୍ନ ହେଉଥିବା ଏଭଳି ପଥର ରହିଛି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଗଡ଼ପଦର ପଞ୍ଚାୟତର କଳାଗୁଡ଼ା ଗାଁ ‘ପିଲ୍ ବାଉଁଶୀ ଡଙ୍ଗର’ ନାମକ ପାହାଡ଼ରେ ।
ଘଞ୍ଚ ଜଙ୍ଗଲ, ଅଣ ଓସାରିଆ ପାହାଡି ରାସ୍ତା ଭିତରେ ପ୍ରାୟ ୫/୭ କିଲୋମିଟର ଯିବାକୁ ପଡେ । ପିଲ୍ ବାଉଁଶୀ ଡଙ୍ଗର ପାହାଡର ପାଖାପାଖି ଏକ ଫୁଟ ଉପରକୁ ଗଲେ ଦୁଇଟି ବିରାଟକାୟ ପଥର ରହିଛି । ଗୋଟିଏ ନାରୀ ପଥର ଅନ୍ୟଟି ପୁରୁଷ ପଥର । ନାରୀ ପଥରରେ ଆଉ ଗୋଟେ ପଥର ଅବା କିଛି ବି ଧାତୁ ବାଜିଲେ ସେଥିରୁ ବାହାରୁଛି ସଙ୍ଗୀତର ସ୍ବର । ୨୦୦୭ରେ ସଙ୍ଗୀତ ବିଶେଷଜ୍ଞ ସେହି ପଥରକୁ ପରୀକ୍ଷା କରିଥିଲେ । ତେବେ ସଙ୍ଗୀତରେ ଥିବା ୭ଟି ସ୍ୱର ମଧ୍ୟରୁ ସେଥିରୁ ୫ଟି ବାହାରୁଥିବା ଜଣାପଡ଼ିଥିଲା । ସ୍ଥାନୀୟ ଲୋକଙ୍କ ଦେଶିଆ ଭାଷାରେ ଏହାକୁ କୁହାଯାଉଛି ‘ବାଜନି ପଖନା’ ଅର୍ଥାତ ବାଜୁଥିବା ପଥର ।
କେଉଁ ଅନାଦି କାଳରୁ ରହିଛି ଏହି ପଥର । ସମୁଦ୍ର ପତନରୁ ପ୍ରାୟ ୨ହଜାର ଫୁଟ ଉପରେ ରହିଛି ବାଜନି ପଥର। ମୁଗୁନି ପଥର ଓ ତ୍ରିଭୁଜ ଆକୃତି ସ୍ବରୂପ ଏହି ପଥରର ପ୍ରତ୍ୟେକ ବାହୁର ଆକାର ୫ଫୁଟ ହେବ। ରାଜରାଜୁଡ଼ା ସମୟରେ ଏହି ପଥରର ସନ୍ଧାନ ମିଳିଥିଲା। ସେହି ସମୟରେ ପଥର ଦେହରେ କୌଣସି ସାମଗ୍ରୀ ବାଜିଲେ ତାର ଶବ୍ଦ ଜୟପୁର ପର୍ଯ୍ୟନ୍ତ ଶୁଭୁଥିଲା । ପ୍ରକୃତି କୋଳରେ ରହି ଚକିତ କରି ଦେଉଥିବା ଏହି ପଥର କିନ୍ତୁ ଲୋକଲୋଚନରୁ ବହୁ ଦୂରରେ ରହିଯାଇଛି ।
ଜୟପୁର ସହରରୁ କଳାଗୁଡ଼ାର ଦୂରତା ମାତ୍ର ୭ କିଲୋମିଟର। କଳାଗୁଡ଼ା ନିକଟ ପାହାଡ଼ ରାସ୍ତା ଦେଇ ପ୍ରାୟ ୩ ହଜାର ଫୁଟ ଚଢ଼ିଲେ ବାଜନି ପଥର ରହିଛି । ରାସ୍ତା ନଥିବାରୁ ପାହାଡ଼ ଦେହରେ ଲତାବୁଦାକୁ ଆଡ଼େଇ ସେଠାରେ ପହଞ୍ଚିବାକୁ ପହଡ଼ିଥାଏ । ସେଠାରୁ କିଛି ଦୂରରେ ଅନୁରୂପ ପଥର ରହିଛି। ସେଥିରୁ ମଧ୍ୟ ଶବ୍ଦ ବାହାରୁଛି । ହେଲେ ବାଜନି ପଥର ଅପେକ୍ଷା ବହୁତ କମ। ଏମିତି କି ଜୟପୁର ରାଜା ପ୍ରକୃତିର ଏହି ବିସ୍ମୟ ପଥରକୁ ଜୟପୁର ଆଣିବା ପାଇଁ ଶତ ପ୍ରୟାସ କରି ଥିଲେ ମଧ୍ୟ ସଫଳ ହୋଇନଥିଲେ ।