ବନ୍ୟାରେ ଧୋଇ ଯାଇଛି ଅସ୍ଥାୟୀ ପୋଲ, ହଇରାଣ ହେଉଛନ୍ତି ରାୟଗଡ଼ା କଲ୍ୟାଣସିଂହପୁର ୬ଟି ପଞ୍ଚାୟତର ଲୋକେ

ରାୟଗଡ଼ା (କେ ନ୍ୟୁଜ୍‌) : ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ କଲ୍ୟାଣସିଂହପୁରରେ ପ୍ରବାହିତ ହେଉଥିବା କଲ୍ୟାଣୀ ନଦୀରେ ବନ୍ୟା ଜଳ ପ୍ରବେଶ କରିବା ଫଳରେ ଅସ୍ଥାୟୀ ପୋଲଟି ଧୋଇଯାଇଛି । ତେଣୁ କଲ୍ୟାଣସିଂହପୁର ବ୍ଳକର ସୁନାଖଣ୍ଡି, ପଲମା, ପୂଜାରୀଗୁଡା ଓ ପାର୍ସାଲି ଆଦି ପଞ୍ଚାୟତ ବିଚ୍ଛିନ୍ନ ହୋଇଯାଇଛି । ସ୍କୁଲ କଲେଜ ଛାତ୍ରଛାତ୍ରୀମାନେ ପାଠ ପଢିବା ପାଇଁ ଯାଇ ପାରୁନାହାନ୍ତି । ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି ନିୟମଗିରି ପାହାଡ ଅଞ୍ଚଳରେ ରହୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧମାନେ ।

KALYANI BRIDGE_1ଅନ୍ୟପଟେ ୨୦୧୭ ମସିହାରେ ମଧ୍ୟ କଲ୍ୟାଣୀ ନଦୀରେ ବନ୍ୟା ହୋଇ ପୋଲ ଧୋଇ ଯାଇଥିଲା । ପ୍ରାୟ ୯ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟରେ ନୂଆ ପୋଲ କାର୍ଯ୍ୟ ଆରମ୍ଭ ହେଲା । ହେଲେ ପ୍ରଶାସନିକ ଅବହେଳା ଯୋଗୁ ଏବେ ସୁଦ୍ଧା ପୋଲର ଗୋଟିଏ ହେଲେ ସ୍ପାନ ନିର୍ମାଣ ହୋଇନାହିଁ । ଅନ୍ୟପଟେ ଯିବା ଆସିବା କରିବା ପାଇଁ ଡଙ୍ଗାର ବ୍ୟବସ୍ଥା କରାଯାଇଛି ବୋଲି ପ୍ରଶାସନ ପକ୍ଷରୁ ସଫେଇ ଦିଆଯାଇଛି ।
ଗତ ୩ ବର୍ଷ ଧରି କଲ୍ୟାଣସିଂହପୁର ବ୍ଳକବାସୀ ବନ୍ୟା ପରିସ୍ଥିତିର ସାମ୍ନା କରୁଛନ୍ତି । ତଥାପି ଜିଲ୍ଲା ପ୍ରଶାସନ କିଛି ଠୋସ୍‌ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି ।

KALYANI BRIDGE_4