ଲଗାଣ ବର୍ଷା ଯୋଗୁଁ ସହରରେ ଘରେ ଘରେ ପଶିଛି ପାଣି । ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଖୋଲିଲା ହଦଗଡ଼ ଡ୍ୟାମର ୪ ଟି ଗେଟ । ସାଳନ୍ଦୀ ନଦୀରେ ଆସିଲା ଚଳିତ ବର୍ଷର ପ୍ରଥମ ବନ୍ୟା । ବନ୍ୟା ଯୋଗୁଁ ଭଦ୍ରକ ଏବଂ ତିହିଡି ବ୍ଲକ ଅଞ୍ଚଳର ୫ଟି ପଞ୍ଚାୟତରେ ବନ୍ୟା ସ୍ଥିତି ଦେଖା ଯାଇଛି । ଭଦ୍ରକ ବ୍ଲକର ବେନ୍ତାଳ ଖଣ୍ଡତଡା, ଅର୍ଣ୍ଣପାଳ ଏବଂ ବିଷ୍ଣୁପୁର ପଞ୍ଚାୟତରେ ଚାଷ ଜମି ସହିତ ଗାଁରେ ପଶିଲା ବନ୍ୟା ପାଣି । ବିଶେଷ କରି ବେନ୍ତାଳ ପଞ୍ଚାୟତର ୫ ନମ୍ବର ଏବଂ ୬ ନମ୍ବର ୱାର୍ଡରେ ଥିବା ଲୋକଙ୍କ ଘର ଭିତରେ ବନ୍ୟା ପାଣି ପ୍ରବେଶ କରିଛି । ଫଳରେ ଗତ କାଲି ରାତି ଠାରୁ ଲୋକମାନେ ବନ୍ୟା ଘେରରେ ରହିଛନ୍ତି ।
ଶୋଇ ବସି ପାରୁ ନାହାନ୍ତି । ରୋଷେଇ ବାସ କରି ଖାଇ ପାରୁ ନାହାନ୍ତି । ଗାଁ ଦାଣ୍ଡରେ ବନ୍ୟା ପାଣିର ସୁଅ । ଲୋକମାନେ ଏକ ପ୍ରକାର ଜଳବନ୍ଦୀ ହୋଇ ପଡିଛନ୍ତି । ସେହିପରି ଚାଷ ଜମିରେ ବନ୍ୟା ପାଣି ମାଡି ଯିବା ଯୋଗୁଁ ଧାନ ତଳି ନଷ୍ଟ ହେବାର ଆଶଙ୍କା ଦେଖା ଯାଇଛି । ତେବେ ଆଡ଼ି ବନ୍ଧ ଦୁର୍ବଳ ସାଙ୍ଗକୁ ଉଚ୍ଚତା ବୃଦ୍ଧି ନହେବା ଯୋଗୁଁ ବନ୍ୟା ପାଣି ସେମାନଙ୍କ ଘରେ ପ୍ରବେଶ କରିଛି ବୋଲି ବିପନ୍ନ ଲୋକମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଖବର ପାଇ ଜଳ ସେଚନ ବିଭାଗର ସହକାରୀ ଯନ୍ତ୍ରୀ ଓ ତାଙ୍କ ଟିମ ପହଂଚିବା ପରେ ଉତ୍ୟକ୍ତ ଲୋକମାନେ ତାଙ୍କ ସହିତ ପାଟି ତୁଣ୍ଡ କରିଥିଲେ । ଅନ୍ୟ ପକ୍ଷରେ ସାଳନ୍ଦୀ ନଦୀର ରାଜଘାଟ ଠାରେ ବିପଦ ସଂକେତ ୧୭ ମିଟର ଥିଲାବେଳେ ବର୍ତ୍ତମାନ ୧୫.୩୦ ଉପରେ ଜଳସ୍ତର ରହିଛି ବୋଲି ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ କହିଛନ୍ତି ।
ଅନ୍ୟପଟେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ବନ୍ୟାଞ୍ଚଳ ଗସ୍ତ କରି ବାସ୍ତବ ସ୍ଥିତି ଦେଖିଥିଲେ । ସେ ପ୍ରଥମେ ଖଣ୍ଡତଡା ପଞ୍ଚାୟତ ଓ ପରେ ବେନ୍ତାଳ ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ବନ୍ୟା ବିପନ୍ନଙ୍କ ସମସ୍ୟା ଜାଣିଥିଲେ । ଏପରିକି ନଦୀ ବନ୍ଧରେ କିପରି ଓଭର ଫ୍ଲୋ ହୋଇ ନଦୀ ଜଳ ଗାଁ ଭିତରକୁ ପ୍ରବେଶ କରୁଛି ତାର ସ୍ଥିତି ମଧ୍ୟ ଦେଖିଥିଲେ । ପରେ ବିପନ୍ନ ଲୋକଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଦେବାକୁ ପଞ୍ଚାୟତ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଥିଲେ । ସେହିପରି ବାଲି ବସ୍ତା ପକାଇ ନଦୀ ବନ୍ଧର ମରାମତି କରିବାକୁ ମଧ୍ୟ ଜିଲ୍ଲାପାଳ ସାଳନ୍ଦୀ କେନାଲ ଡିଭିଜନକୁ ନିର୍ଦେଶ ଦେବା ସହିତ ପାଣି କମିଗଲେ ଗାଁ ଗାଁରେ ସ୍ୱାସ୍ଥ୍ୟ ଟିମ ପହଞ୍ଚିବ । ପାଣିକୁ ବିଶୋଧନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢିଯାଇଛି । ଅଧିକାଂଶ ଲୋକଙ୍କ ଘରେ ଚୂଲି ଜଳିନି । ପିଇବା ପାଣି ପାଇଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
Also Read: ବୈତରଣୀରେ ଆସିଛି ଚଳିତ ବର୍ଷର ପ୍ରଥମ ବନ୍ୟା, ଶହ ଶହ ହେକ୍ଟର ଚାଷଜମିକୁ ମାଡିଯାଇଛି ବନ୍ୟାପାଣି