ମହାନଦୀ, ବୈତରଣୀରେ ବନ୍ୟା ଆଶଙ୍କା : କାଲି ଖୋଲିବ ହୀରାକୁଦର ୧୨ରୁ ୧୫ଟି ଗେଟ୍

ଭୁବନେଶ୍ବର : ମହାନଦୀରେ ବନ୍ୟା ଆଶଙ୍କା । ଲଗାଣ ବର୍ଷା ଫଳରେ ବଢ଼ିଛି ଜଳସ୍ତର । ଖୋଲିବ ହୀରାକୁଦ ଗେଟ୍‌ । ମହାନଦୀ କୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି । ସକାଳ ୧୧ଟାରେ ହୀରାକୁଦ ଡ୍ୟାମ୍‌ରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ଖୋଲିବ ୧୨ରୁ ୧୫ଟି ଗେଟ୍‌ । କଟକକୁ ବନ୍ୟାଜଳ ଆସିବା ପାଇଁ ୩୬ ଘଣ୍ଟା ଲାଗିବ । ବର୍ଷା ଓ ବନ୍ୟା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ହୀରାକୁଦ ଗେଟ୍‌ ଖୋଲିବା ପୂର୍ବରୁ ବର୍ଷା ଯୋଗୁ କଟକ ମୁଣ୍ଡୁଳିଠାର ମହାନଦୀରେ ପ୍ରବାହିତ ହେଉଛି ପ୍ରାୟ ୮ ଲକ୍ଷ କ୍ୟୁସେକ୍‌ ଜଳ । ମହାନଦୀ ଫୁଲିବାରୁ କଟକ ଜିଲ୍ଲା ଆଠଗଡ଼ ଓ ବାଙ୍କିର ଦୁଇଟି ପଞ୍ଚାୟର ୧୫ରୁ ଅଧିକ ଗାଁକୁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି। ଶହଶହ ଏକର ଜମିରେ ମାଡ଼ିଯାଇଛି ପାଣି । ଧାନ ଓ ପନିପରିବା ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି । ବଡ଼ମ୍ବାର ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିରରେ ବନ୍ୟା ପାଣି ପଶିଛି । କଟକ ଜିଲ୍ଲାର ୧୩ଟି ସ୍ଥାନରେ ରହିଛି ବନ୍ୟା ଆଶଙ୍କା । ସଜାଗ ରହିଛି ପ୍ରଶାସନ । ଆବଶ୍ୟକ କିରୋସିନ୍‌ ଓ ଚାଉଳ ମହଜୁଦ ରଖାଯାଇଛି । କଟକ ଜିଲ୍ଲାରେ ରହିଛି ୨୭ଟି ଆଶ୍ରୟସ୍ଥଳୀ।

ସେପଟେ ବୈତରଣୀ ନଦୀ ଆଖୁଆପଦାରେ ବିପଦ ସଙ୍କେତ ଛୁଇଁଛି । ପ୍ରଭାବିତ ହୋଇପାରେ ଧାମନଗର ଓ ଭଣ୍ଡାରୀପୋଖରୀର ୮-୯ଟି ପଞ୍ଚାୟତ । ଯାଜପୁର ଜିଲ୍ଲାରେ ବିରୂପା ଓ ଗେଙ୍ଗୁଟି ନଦୀରେ ମଧ୍ୟ ବନ୍ୟା ଆଶଙ୍କା ରହିଛି । ବର୍ତ୍ତମାନ ଯାଜପୁର ଓ ଦଶରଥପୁର ବ୍ଲକର ଅନେକ ଅଞ୍ଚଳ ଏବେ ଜଳମଗ୍ନ । ଏଠାରେ ମଧ୍ୟ ପ୍ରଶାସନ ସଜାଗ ରହିଛି।.

ପ୍ରବଳ ବର୍ଷା ଯୋଗୁ ସମ୍ବଲପୁରରେ ଏବେ ବି ୬ ହଜାର ଲୋକ ରିଲିଫ ସେଣ୍ଟରରେ ରହିଛନ୍ତି । ପ୍ରଭାବିତ ହୋଇଛନ୍ତି ପ୍ରାୟ ୩ ଲକ୍ଷ ଲୋକ। ୪ ଜଣଙ୍କ ମୃତ୍ୟୁ ହୋଇଛି। ଏକ ହଜାର ଘର ଆଂଶିକ ନଷ୍ଟ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.